ବରିଷ୍ଠ ନାଗରିକମାନଙ୍କ ପାଇଁ ସ୍ୱାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ

ବାଲେଶ୍ୱର, (ସରୋଜ ପଣ୍ଡା):ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ରବିବାର ଦିନ ପୂର୍ବାହ୍ନରେ ସ୍ଥାନୀୟ ନୃତ୍ୟ ସଂଗୀତ କଳାମନ୍ଦିର ପରିସରରେ ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ସଚେତନତା ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ ମଞ୍ଚର ଜିଲ୍ଲା ସଭାପତି ବୈଦ୍ୟନାଥ ଷଡ଼ଙ୍ଗୀ ଅଧ୍ୟକ୍ଷତା କରିଥିଲେ । ରାଜ୍ୟ ମହାସଂଘର ସାଧାରଣ ସଂପାଦକ ଡ. ଯୁଗଳ କିଶୋର ସାହୁ ଏହି ସଭାରେ ଯୋଗ ଦେଇ ବରିଷ୍ଠ ନାଗରିକମାନେ ନିଜର ଅଜ୍ଞତା କାରଣରୁ ବହୁ ଜରାରୋଗର ଚିକିତ୍ସା ସଠିକ୍ ସମୟରେ କରାଇ ପାରୁନାହାନ୍ତି ତେଣୁ ବୟସ୍କ ବ୍ୟକ୍ତିମାନେ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହିତ ନିଜର ସ୍ୱାସ୍ଥ୍ୟପ୍ରତି ଅଧିକ ସଚେତନ ହେବା ଜରୁରୀ ବୋଲି ମତ ଦେଇଥିଲେ । ଭୁବନେଶ୍ୱର ସ୍ଥିତ ସନ୍‌ସାଇନ୍ ହସ୍ପିଟାଲ୍‌ର ହୃଦ୍‌ରୋଗ, ସ୍ନାୟୁରୋଗ ଓ ମୂତ୍ରାଶୟଜନିତ ରୋଗର ବିଶେଷଜ୍ଞ ବରିଷ୍ଠ ଡା. ପ୍ରଫୁଲ୍ଲ କୁମାର, ଡା. ରିତେଶ ଆଚାର୍ଯ୍ୟ, ଡା. ଆଦିତ୍ୟ ପ୍ରସାଦ ପାଢ଼ୀ ଓ ନିର୍ଦ୍ଦେଶକ ଅୟସକାନ୍ତ ମହାନ୍ତି ପ୍ରମୁଖ ବରିଷ୍ଠ ପୁରୁଷ ଓ ମହିଳାମାନେ ଖାଦ୍ୟ, ପାନୀୟ ଓ ଦୈନନ୍ଦିନ ଜୀବନ ଶୈଳୀ ସମ୍ପର୍କରେ ଉପସ୍ଥିତମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ରାଜ୍ୟ ସାଧାରଣ ସମ୍ପାଦକ ଡ. ସାହୁଙ୍କୁ ମଞ୍ଚ ପକ୍ଷରୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସୁଶ୍ରୀ ଅର୍ଚ୍ଚନା ନନ୍ଦୀ ମାନପତ୍ର ପାଠ କରିଥିଲେ । ମଞ୍ଚର ଜିଲ୍ଲା କମିଟିର ଉପଦେଷ୍ଟା କମଳାକାନ୍ତ ବେହେରା, ଉପସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ ଓ ସାଧାରଣ ସମ୍ପାଦକ ଦାମୋଦର ନାୟକ, ପ୍ରତିଷ୍ଠାତା ସଦସ୍ୟ ଶରତ ଚନ୍ଦ୍ର ଦାଶ ପ୍ରମୁଖ ଏହି ସ୍ୱାସ୍ଥ୍ୟ ଶିବିର ଆୟୋଜନରେ ରାଜ୍ୟ ମହାସଂଘ ଓ ସନ୍‌ସାଇନ୍ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କୁ ସେମାନଙ୍କ ସହଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ । ଗୌରାଙ୍ଗ ପାଣିଗ୍ରାହୀ ଅତିଥିମାନଙ୍କୁ ସ୍ୱାଗତ ଜଣାଇ ମଞ୍ଚଆହ୍ୱାନ କରିଥିଲେ ଓ ସୀତାରାମ ପ୍ରଧାନ ଉପସ୍ଥିତମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।ସ୍ୱାସ୍ଥ୍ୟ ପରୀକ୍ଷା ଶିବିରରେ ମଞ୍ଚର ଶତାଧିକ ସଦସ୍ୟ ସଦସ୍ୟା ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହ ବିଶେଷଜ୍ଞ ଡାକ୍ତରମାନଙ୍କଠାରୁ ନିଦାନପତ୍ର ନେଇଥିଲେ । ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ମଞ୍ଚପକ୍ଷରୁ ଲକ୍ଷ୍ମୀନାରାୟଣ ଘୋଷ, ଶ୍ୟାମସୁନ୍ଦର ଜେନା, ଯଶୋଦାନନ୍ଦନ ଆଶ୍‌, ଲକ୍ଷ୍ମୀପ୍ରିୟା ଜେନା, ପୂର୍ଣ୍ଣଚନ୍ଦ୍ର ପାତ୍ର, ସରସ୍ୱତୀ ପଣ୍ଡା, ସଂଯୁକ୍ତା ବେହେରା, ଅକ୍ଷୟ ତ୍ରିପାଠୀ ଓ ଡ. ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ