ବାତ୍ୟା କ୍ଷୟକ୍ଷତି ସମ୍ପର୍କରେ ମନ୍ତ୍ରୀଙ୍କ ସମୀକ୍ଷା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ କେନ୍ଦ୍ରାପଡା ପ୍ରଦକ୍ଷଣ ଭବନରେ ବାତ୍ୟା \”ଦାନା\” ଯୋଗୁଁ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ସୋମବାର ସନ୍ଧ୍ୟାରେ ସମୀକ୍ଷା କରିଛନ୍ତି । ପ୍ରଦକ୍ଷଣ ଭବନରେ ମନ୍ତ୍ରୀ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସ୍ୱାଗତ କରାଯାଇଥିଲା । ପ୍ରଦକ୍ଷଣ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କ୍ଷତିଗ୍ରସ୍ତ କୌଣସି ଦରିଦ୍ର ଲୋକ ଯେପରି ସରକାରୀ ସାହାଯ୍ୟରୁ ବଞ୍ଚିତ ନ ହୁଏ ସେଥିପ୍ରତି ଜିଲ୍ଲା ପ୍ରଶାସନ ଧ୍ୟାନ ଦେବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ । ବାତ୍ୟା ଦାନା ପୂର୍ବରୁ ଓ ପରବର୍ତ୍ତୀ ସମୟରେ ତାହାର ସଫଳ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଏବଂ କ୍ଷୟକ୍ଷତିର ଆକଳନ ସମ୍ପର୍କରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ପଞ୍ଚାୟତରାଜ, କୃଷି, ରାସ୍ତା ଓ କୋଠାବାଡି, ବେସାମରିକ ଯୋଗାଣ, ଗ୍ରାମ୍ୟ ଉନ୍ନୟନ, ପ୍ରାଣୀ ସମ୍ପଦ ଆଦି ବିଭାଗ ପକ୍ଷରୁ ତଥ୍ୟ ମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା । ଜଣାଯାଇଛି ଯେ ବାତ୍ୟା ଯୋଗୁଁ ଜିଲ୍ଲାରେ ୫ ଟି କଚା ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇ ଥିବା ବେଳେ ୧୨୦୭ ଟି କଚ୍ଚା ଘର ଆଂଶିକ, ୧୬୫ ଟି ଗୁହାଳ ଘର, ୪୯ ଟି କୁଡିଆ ଘର, କ୍ଷତିଗ୍ରସ୍ତ ହୋଇଥିଲା । ବାତ୍ୟା ଯୋଗୁଁ କେନ୍ଦ୍ରାପଡା ଡିଭିଜନ-୧ ଓ ମାର୍ଶାଘାଇ ଡିଭିଜନର ୩୦ଲକ୍ଷ ୩ହଜାର ୩୪୪ ବିଦ୍ୟୁତ ଉପଭୋକ୍ତଙ୍କ ମଧ୍ୟରୁ ୨୯ଲକ୍ଷ ୭ହଜାର୨ ଜଣ ଉପଭୋକ୍ତଙ୍କୁ ତା.୨୭.୧୦.୨୦୨୪ ସୁଦ୍ଧା ବିଦ୍ୟୁତ ଯୋଗାଣ କରାଯାଇଥିଲା । ରାଜନଗର, ରାଜକନିକା, ମହାକାଳପଡା ବ୍ଲକର ମୋଟ ୧୩୩୩୬୩ ଗୃହ ପାଳିତ ପଶୁଙ୍କୁ ତା.୦୪.୧୧.୨୦୨୪ ସୁଦ୍ଧା ୭୧ ଜଣ ଟୀକା ପ୍ରଦାନକାରୀ ଦଳଙ୍କ ଦ୍ୱାରା ପ୍ରତିଷେଧକ ଟିକା ପ୍ରଦାନ କରାଯାଇଥିବା ବେଳେ ରାଜନଗରରେ ବଳକା ୪୦୦ ଗୃହପାଳିତ ପଶୁଙ୍କୁ ଟୀକା ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଥିଲା । ବାତ୍ୟା ପୂର୍ବରୁ ୨୮୨ ଜଣ ଗର୍ଭବତୀ ମହିଳାଙ୍କୁ ନିକଟରେ ଥିବା ଡେଲିଭରି ସେଣ୍ଟରକୁ ସ୍ଥାନାନ୍ତର କରାଯାଇଥିଲା । ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ୭୪୭୨୪ ଓ ଆର୍ ଏସ୍ ପ୍ୟାକେଟ୍, ୨୨୪୦୧୮ ହାଲୋଜିନ୍ ବଟିକା ବଣ୍ଟନ କରାଯାଇଥିବା ବେଳେ ୧୩୦୭୪ଟି କୂଅକୁ ବାତ୍ୟା ପରେ ବିଶୋଧିତ କରାଯାଇଛି । ବାତ୍ୟା ପରବର୍ତ୍ତୀ ସମୟରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୩୬ଟି ଏମ୍ ଏଚ୍ ଟି, ୧୦ଟି ମେଡିକାଲ ରିଲିଫ ସେଣ୍ଟର ଓ ୧୦ଟି ରାପିଡ୍ ରେଶପନସ ଟିମ୍ କାର୍ଯ୍ୟ କରୁଥିଲେ । ପୁନଃରୁଦ୍ଧାର ସମୟରେ ଏନଡିଆରଏଫ, ଓଡ୍ରାଫ୍, ଫରେଷ୍ଟ ଓ ଅଗ୍ନିଶମ ବିଭାଗର ୩୦ଟି ଦଳ ୬୪ଟି ରାସ୍ତା ଅବରୋଧ ହଟାଇବା ସହ ଭାଙ୍ଗିଥିବା ଗଛ କାଟିବାରେ ନିୟୋଜିତ ଥିଲେ । ସମଗ୍ର ଜିଲ୍ଲାରେ ୧୨୧୧୧୬ରୁ ଉର୍ଦ୍ଧ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ୬୪୬ ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇ ସେମାନଙ୍କୁ ଶୁଖିଲା ଖାଦ୍ୟ ଓ ୨୩ ତାରିଖରୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଥିଲା । ତା୨୪.୧୦.୨୦୨୪ ରିଖ ସୁଦ୍ଧା ୧୦୦୩.୨୫ କ୍ୱିଣ୍ଟାଲ ଚୁଡା, ୧୦୨.୬ କ୍ୱିଣ୍ଟାଲ ଗୁଡ଼, ୧୭୦୯ ପ୍ୟାକେଟ ବିସ୍କୁଟ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ଜିଲ୍ଲା ପ୍ରଶାସନର ପକ୍ଷରୁ ବିଭିନ୍ନ ବିଭାଗ, ଲାଇନ୍ ଡିପାର୍ଟମେଣ୍ଟ ଓ ବ୍ଲକ କାର୍ଯ୍ୟାଳୟରେ ୨୪୍ଠ୭ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲା ଯାଇଥିଲା । ବାତ୍ୟା ସମ୍ପର୍କରେ ଜଦି କିଛି ଅଭିଯୋଗ ବା ଭିଜୁଆଲ ଆସେ ତେବେ ସେ ଅନୁସାରେ କାର୍ଯ୍ୟ କରିବା ଘର ଭଙ୍ଗା ତାଲିକାର ଆବଶ୍ୟକସ୍ଥଳେ ପୁନଃ ଯୁଗ୍ମ ତଦନ୍ତ କରିବା ପାନୀୟ ଜଳର ଅସୁବିଧା ଥିଲେ ନଳକୂପ ଖନନ କରିବା, ବ୍ଲକ ରାସ୍ତାର ଉନ୍ନତିକରଣ କରିବା, ବାତ୍ୟା ପରିଚାଳନା ସମ୍ପର୍କରେ ଅନିୟମିତତା ଦୃଷ୍ଟିଗୋଚର ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । କୃଷି କ୍ଷୟକ୍ଷତିର ସଠିକ ଆକଳନ କରି ରିପୋର୍ଟ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ମହାକାଳପଡା ବିଧାୟକ ଡ. ଦୂର୍ଗା ପ୍ରସନ୍ନ ନାୟକ, ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ର, ଉପ ଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନ, ବିଜେପି ନେତା ତେଜେଶ୍ୱର ପରିଡା, ଗୀତାଞ୍ଜଳି ସେଠୀ, ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଲାଇନ୍ ଡିପାର୍ଟମେଣ୍ଟର ଅଧିକ୍ଷକ ଓ ନିର୍ବାହୀ ଯନ୍ତ୍ରୀ ସମସ୍ତ ବ୍ଲକର ବିଡିଓ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଜିଲ୍ଲାପାଳ ଧନ୍ୟବାଦ ଦେଇଥିଲେ ।