ବାତ୍ୟା ଦାନା କ୍ଷୟକ୍ଷତି ସମୀକ୍ଷା ନିମନ୍ତେ ଆନ୍ତଃମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ୍ ର ବାଲେଶ୍ୱର ଗସ୍ତ
ବାଲେଶ୍ୱର, (ସରୋଜ ପଣ୍ଡା):ଦିନିକିଆ ବାଲେଶ୍ୱର ଗସ୍ତରେ ଆସି ଆନ୍ତଃମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ୍ ଆଜି ବାଲେଶ୍ୱର ଜିଲ୍ଲାର ବାତ୍ୟା ଦାନାରେ ବିଶେଷ ଭାବେ ପ୍ରଭାବିତ ସୋର, ସିମୁଳିଆ ଓ ସଦର ବ୍ଲକ ଗୁଡ଼ିକୁ ପରିଦର୍ଶନ କରିଛନ୍ତି। ଉକ୍ତ ଗସ୍ତ ସମୟରେ ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ଶ୍ରୀ ପି କେ ରାୟଙ୍କ ନେତୃତ୍ୱରେ ଏହି ଚାରି-ଜଣିଆ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ପ୍ରଭାବିତ ଅଞ୍ଚଳଗୁଡୀକୁ ବ୍ୟାପକ ପରିଦର୍ଶନ କରିଥିଲେ ଏବଂ କ୍ଷୟକ୍ଷତିର ପରିମାଣ ଏବଂ ଆବଶ୍ୟକ ଥଇଥାନ ପଦକ୍ଷେପର ମୂଲ୍ୟାଙ୍କନ କରିବା ପାଇଁ ପ୍ରଭାବିତ ଜନସାଧାରଣଙ୍କ ସହିତ ଆଲୋଚନା କରିଥିଲେ I ଏହି ଦଳରେ ବ୍ୟୟ ବିଭାଗ, ଅର୍ଥ ମନ୍ତ୍ରଣାଳୟର ଉପନିର୍ଦ୍ଦେଶକ ଶ୍ରୀ ମହେଶ କୁମାର, ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ବାଲାଜୀ କେ ଏମ ଏବଂ ଓଡ଼ିଶା ସରକାରଙ୍କ ପାନୀୟ ଜଳ ଓ ପରିମଳ ବିଭାଗର ନିର୍ଦ୍ଦେଶକ ଶ୍ରୀ ଭିନୀତ ଭରଦ୍ଵାଜ ଉପସ୍ଥିତ ଥିଲେ Iଏହି ସମୀକ୍ଷାରେ ସଡ଼କ, ବିଦ୍ୟୁତ ଯୋଗାଣ, ରିଲିଫ ବଣ୍ଟନ ଏବଂ ଘର କ୍ଷୟକ୍ଷତି ସମେତ ଭିତ୍ତିଭୂମିର କ୍ଷତି ବିଷୟରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହିତ ବିସ୍ତୃତ ଆଲୋଚନା କରାଯାଇଥିଲା I ଏହି ଟିମ୍ ବିଶେଷ କରି କୃଷି ଜମି ଓ ଫସଲ ଉପରେ ପଡୁଥିବା ପ୍ରଭାବ ଉପରେ ଗୁରୁତ୍ୱାରୋପ କରିବା ସହିତ ଆବାସିକ ସମ୍ପତ୍ତିର କ୍ଷୟକ୍ଷତି ଓ ବାସିନ୍ଦାଙ୍କ ବିସ୍ଥାପନ ବିଷୟରେ ପଚାରି ବୁଝିଥିଲେ । ବାତ୍ୟା ପରବର୍ତ୍ତୀ ସମୟରେ ଅତ୍ୟାବଶ୍ୟକ ସେବା ଓ ରିଲିଫ ବଣ୍ଟନର ସ୍ଥିତି ସହିତ ପଶୁଧନର କ୍ଷତି ଓ ମତ୍ସ୍ୟଚାଷ ଜନିତ ପ୍ରଭାବ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା । ଏହି ଗସ୍ତ ସମୟରେ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ, ଆରକ୍ଷୀ ଅଧିକ୍ଷକ ଶ୍ରୀ ରାଜ ପ୍ରସାଦ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକ, ଉପଜିଲ୍ଲାପାଳ ଶ୍ରୀ ପ୍ରଥମେଶ ଅରବିନ୍ଦ ରାଜେସିର୍କେ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ସାଇ କୃଷ୍ଣ ଜେନା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ଐଶ୍ଵର୍ଯ୍ୟା ସାମନ୍ତ, ସହକାରୀ କଲେକ୍ଟର ଶ୍ରୀ ଅମ୍ଲାନ ନାୟକ ଏବଂ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ I