ବାତ୍ୟା ଦେଇଗଲା ଚାଷୀଙ୍କୁ ଦୁଃଖ, ଏକର ଏକର ଚାଷଜମି ଜଳମଗ୍ନ, ଚିନ୍ତାରେ ଚାଷୀ
ହାଟଡିହି, (ବିକାଶ ବିଶ୍ୱାଳ):ବାତ୍ୟା “ଦାନା” ଚାଲିଯିବା ପରେ ଏବେ ଚାଷୀ ମୁଣ୍ଡରେ ପଡିଛି ଚଡ଼କ | କେନ୍ଦୁଝର ଜିଲ୍ଲାରେ ୩୫୩ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଆନନ୍ଦପୁର ଉପଖଣ୍ଡରେ ଏହାର ପ୍ରଭାବ ପଡିଛି। ହାଟଡିହି ବ୍ଳକରେ ୭୫.୪ ମିଲିମିଟର ବର୍ଷା ରେକର୍ଡ କରାଯାଇ ଥିବା ବେଳେ ତଳିଆ ଅଞ୍ଚଳର ଚାଷ ଜମି ଏବେ ପାଣିରେ ଭାଷୁଛି। ବର୍ଷା ଓ ପବନ ଯୋଗୁ କେନ୍ଦୁଝର ଜିଲ୍ଲାର ଭାତହାଣ୍ଡି ଭାବେ ପରିଚିତ ହାଟଡିହି ବ୍ଲକ ରେ ଶହ ଶହ ହେକ୍ଟର ଜମିରେ ଧାନ ଚାଷ କ୍ଷତିଗ୍ରସ୍ତ ହୋଇଛି। ଯାହାକୁ ଦେଖି ଚାଷୀ ଙ୍କ ଆଖିରୁ ଲୁହ ଶୁଖୁନି। ହାଟଡିହି ବ୍ଲକ ର ଶିବନାରାୟଣପୁର ଗାଁରେ ବାସ କରନ୍ତି ୮ ଶହରୁ ଉର୍ଦ୍ଧ୍ଵ ପରିବାର। ଗାଁର ୯୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରି ଚଳନ୍ତି। ଧାନ ସହିତ ବିଭିନ୍ନ ପନି ପରିବା ଚାଷ କରି ଏମାନେ ଜୀବନ ବିତାଇଥାନ୍ତି। ହେଲେ ଚଳିତ ଥର ବାତ୍ୟା ଦାନା ଏମାନଙ୍କ ଧାନ ଫସଲ କୁ ଉଜାଡି ଦେଲା। ଚ଼ଳିତବର୍ଷ ବିଳମ୍ବରେ ଚାଷ ହୋଇଥିବାରୁ ଏବେ ଧାନଗଛ ଗୁଡିକ ଥୋଡ ବାହାରି ଫୁଲଖେଳାଉ ଥିଲା। ଏ ସମୟରେ ଧାନଗଛ ଗୁଡିକ ଭାଙ୍ଗିପତି ପାଣିରେ ଲୋଟୁ ଥିବାରୁ ଏଥିରୁ ଧାନ ଫଳ ବାହାରି ପାରିବ ନାହିଁ ବୋଲି ଚାଷୀମାନେ ଅଭିଯୋଗ କରୁଛନ୍ତି।ସେହିପରି ଅନେକ ପନିପରିବା ଚାଷ ମଧ୍ୟ ଉଜୁଡି ଯାଇଛି । ଚାଷୀ ମାନେ ଋଣ କରିବା ସହିତ ହାତ ଉଧାରୀ ଆଣି ଚାଷ କାମରେ ଲଗାଇଥିଲେ ହେଲେ ଏବେ ଭବିଷ୍ୟତ ଚିନ୍ତାରେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଛୁଆ ପିଲା ଖାଇବେ କଣ ଘର ଚଳିବ କେମିତି ତାକୁ ନେଇ ଚିନ୍ତାରେ। ଅନ୍ୟ ପଟେ ଏଯାବତ କ୍ଷୟ କ୍ଷତି ଆକଳନ ପାଇଁ ଗାଁରେ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନଥିବା ବେଳେ ତୁରନ୍ତ ଏମାନଙ୍କୁ ସାହାଯ୍ୟ ଯୋଗାଇଦେବା କୁ ପ୍ରଦ୍ୟୁମ୍ନ ବେହେରା, ବଳରାମ ମିଶ୍ର, ନଟବର ମହାନ୍ତି, ପ୍ରଭାକର ଖଣ୍ଡା, କୋଦଣ୍ଡଧର ମହାନ୍ତି, ମୀନହରି ପ୍ରଧାନ, ନିରାକାର ମହାନ୍ତି, ନନ୍ଦ କିଶୋର ଜେନା, ସୁବାସ ଗିରି, ରମାକାନ୍ତ ପ୍ରଧାନ, କାଳନ୍ଦି ମହାନ୍ତି, ଅନାଦି ମହାନ୍ତି, ଗଣେଶ ଗିରି, ଜୟଦେବ ବେହେରା, ଚିତ୍ତ ରଞ୍ଜନ ମିଶ୍ର, ମଦନ ମହାନ୍ତି ପ୍ରମୁଖ ଚାଷୀମାନେ ଅନୁରୋଧ କରିଛନ୍ତି । ଖାଲିଏହି ଗାଁ ନୁହେଁ ପଞ୍ଚୁଗୋଛିଆ, ଅକରୁଆ, ଆମ୍ବୋ , ଢେଙ୍କା, ସଢା, ଶାସଙ୍ଗ, ହାଟଡିହି, ପନ୍ଦାଡୋ ଆଦି ପଞ୍ଚାୟତର ଅନେକ ଗ୍ରାମରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି।