ବାତ୍ୟା ମୁକାବିଲା ପାଇଁ ସଦର ବିଧାୟକ ମାନସ କୁମାର ଦତ୍ତଙ୍କ ସାମ୍ଭାବ୍ୟ ପ୍ରଭାବିତ ଅଂଚଳ ପରିଦର୍ଶନ

ବାଲେଶ୍ୱର, (ସରୋଜ ପଣ୍ଡା):ବାତ୍ୟା ‘ଦାନା’ପାଇଁ ବାଲେଶ୍ୱର ଜିଲ୍ଲାକୁ ରେଡ ଆଲର୍ଟ ଜାରି ହୋଇଥିବା ବେଳେ ଜିରୋ କାଜୁଆଲଟି ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି । ଏହି ବାତ୍ୟା ପାଇଁ ସଦର ବ୍ଲକର ୩୭ଟି ପଂଚାୟତ ମଧ୍ୟରୁ ୨୩ଟି ପଂଚାୟତ ଅଧିକ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି । ବାତ୍ୟା ମୁକାବିଲା ସମ୍ପର୍କୀତ ଜିଲ୍ଲା ପ୍ରଶାସନର ପ୍ରସ୍ତୁତିକୁ ଅନୁଧ୍ୟାନ ପାଇଁ ସଦର ବିଧାୟକ ମାନସ କୁମାର ଦତ୍ତ ବିଭିନ୍ନ ସାମ୍ଭାବ୍ୟ ପ୍ରଭାବିତ ଅଂଚଳ ପରିଦର୍ଶନ କରିଛନ୍ତି । ପ୍ରଥମେ ବିଧାୟକ ଶ୍ରୀ ଦତ୍ତ ସଦର ନିର୍ବାଚନ ମଣ୍ଡଳୀର ସମୁଦ୍ର ତଟବର୍ତ୍ତୀ ଚାନ୍ଦିପୁର ଓ ଶ୍ରୀକୋଣା ଅଂଚଳରେ ପହଂଚି ବାତ୍ୟା ପ୍ରସ୍ତୁତିକୁ ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ତିନି ବର୍ଷ ତଳେ ‘ୟାସ’ ବାତ୍ୟାରେ ସମ୍ପୃକ୍ତ ଅଂଚଳଗୁିଡକ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ତେଣୁ ସମଦ୍ର ତଟବର୍ତ୍ତୀ ତଥା ନଦୀ କୂଳିଆ ଅଂଚଳରେ ବସବାସ କରୁଥିବା ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବା ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ଦୁର୍ବଳ ନଦୀବନ୍ଧର ସମୀକ୍ଷା ସହ ବାତ୍ୟା ଓ ପରବର୍ତ୍ତୀ ଅବସ୍ଥାରେ ସାମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଯୁଦ୍ଧକାଳୀନ ମରାମତି ଦିଗରେ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ବିଧାୟକ ଶ୍ରୀ ଦତ୍ତ ନିର୍ଦ୍ଦେଶ ଦେଇଥିଲେ । ଧନ ଜୀବନକୁ ସୁରକ୍ଷିତ ରଖିବା ସହିତ ବାତ୍ୟାର ସଫଳ ମୁକାବିଲା ନିମନ୍ତେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିଛନ୍ତି ବୋଲି ସେ କହିଥିଲେ । ପରେ ସେ ସଦର ନିର୍ବାଚନମଣ୍ଡଳୀର ସାର୍ଥା ମୁହାଣ ଅଂଚଳ ପରିଦର୍ଶନ କରିଥିଲେ । ୨୦୨୧ ମସିହାର ‘ୟାସ’ ବାତ୍ୟା ପ୍ରଭାବରେ ସମୁଦ୍ର ଜୁଆର ମାଡି ଆସିବା ଯୋଗୁଁ ସାର୍ଥା ପଂଚାୟତ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ପ୍ରାୟ ଛଅ କିଲୋମିଟର ଭିତରକୁ ଲୁଣା ପାଣି ମାଡି ଥିବା କାରଣରୁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ । ସେଠାରେ ପାନୀୟ ଜଳର ଅଭାବ ପ୍ରମୁଖ ସମସ୍ୟା ଭାବେ ଦେଖା ଦେଇଥିଲା । ତେଣୁ ‘ଦାନା’ ବାତ୍ୟା ସ୍ଥଳଭାଗ ଛୁଇଁବା ପୂର୍ବରୁ ପ୍ରଭାବିତ ହେବାକୁ ଥିବା ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିବା ଉପରେ ବିଧାୟକ ଶ୍ରୀ ଦତ୍ତ ଗୁରୁତ୍ୱାରୋପ କରିଥିଲେ । ଏହା ସହିତ ପର୍ଯ୍ୟାପ୍ତ ପରିମାଣରେ ଶୁଖିଲା ଖାଦ୍ୟ ଓ ବିଶୁଦ୍ଧ ପାନୀୟ ଜଳ ମହଜୁଦ ରଖିବାକୁ ସ୍ଥାନୀୟ ପ୍ରଶାସନକୁ ଶ୍ରୀ ଦତ୍ତ ପରାମର୍ଶ ଦେଇଥିଲେ । ଏହି ଅବସରରେ ସେ ସାର୍ଥା ପଂଚାୟତର ବିଭିନ୍ନ ବାତ୍ୟାଶ୍ରୟ ବୁଲି ସେଠାକାର ପ୍ରସ୍ତୁତି ସମ୍ପର୍କରେ ତଦାରଖ କରିଥିଲେ । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ ପ୍ରକିୟା, ଯୋଗାଯୋଗ, ବିଦ୍ୟୁତସେବା, ଖାଦ୍ୟ ଓ ପାନୀୟ ଜଳର ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା ଭଳି ବିଷୟକୁ ସୁବ୍ୟବସ୍ଥିତ କରିବା ଦିଗରେ ଗୁରୁତ୍ୱ ଦେବା ପାଇଁ ଶ୍ରୀ ଦତ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସର୍ବଦା ସଜାଗ ରହିଥିବା ତଥା ସହଯୋଗ ନିମନ୍ତେ ପ୍ରସ୍ତୁତ ଥିବାରୁ ଜନସାଧାରଣଙ୍କୁ ଆଦୌ ଭୟଭୀତ ନହୋଇ ପ୍ରଶାସନ ଦ୍ୱାରା ଜାରି ହେଉଥିବା ବାତ୍ୟା ସତର୍କ ସୂଚନା ମାନିବାକୁ ବିଧାୟକ ଶ୍ରୀ ଦତ୍ତ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଏଥିରେ ଜଳସମ୍ପଦ ଅଧିକ୍ଷଣ ଯନ୍ତ୍ରୀ, ବିଡ଼ିଓ, ତହସିଲଦାର ଓ ଅନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ