ବାଲେଶ୍ୱରରେ ଜିଲ୍ଲାସ୍ତରୀୟ ବିଶ୍ୱ ମତ୍ସ୍ୟ ଦିବସ ପାଳିତ
ବାଲେଶ୍ୱର, (ସରୋଜ ପଣ୍ଡା):୧୧ ଘଟିକା ସମୟରେ ସ୍ଥାନୀୟ ବ୍ରିଟ କଲ୍ୟାଣ ମଣ୍ଡପଠାରେ ଜିଲ୍ଲାସ୍ତରୀୟ ବିଶ୍ୱ ମତ୍ସ୍ୟ ଦିବସ ପାଳିତ ହୋଇଯାଇଛି I ଏହି ଅବସରରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ବିଧାୟକ ବାଲେଶ୍ୱର ସଦର ଶ୍ରୀ ମାନସ ଦତ୍ତ ପ୍ରକାଶ କରିଥିଲେ ଯେ ଶତକଡା ୨୫ ଭାଗ ସମଗ୍ର ଓଡିଶାର ମତ୍ସ୍ୟ ଉତ୍ପାଦାନରୁ ବାଲେଶ୍ୱରର ଭାଗିଦାର ଥାଏ I ତୃଣମୂଳସ୍ତରରେ ସରକାରୀ ଯୋଜନା ଗୁଡ଼ିକୁ ଚାଷୀ ମାନଙ୍କ ଠାରେ ପହଞ୍ଚାଇବା ନିମନ୍ତେ ବ୍ଲକସ୍ତରରେ ସଚେତନତା କାର୍ଯ୍ୟକ୍ରମ ଓ ଅଭିଯୋଗ ଶୁଣାଣିକୁ ଅଧିକ ତ୍ୱରିତ କରିବା ପାଇଁ ଶ୍ରୀ ଦତ୍ତ ପରାମର୍ଶ ଦେଇଥିଲେ I ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ମାନ୍ୟବର ଅଧ୍ୟକ୍ଷ ଶ୍ରୀ ନାରାୟଣ ପ୍ରଧାନ ଉପସ୍ଥିତ ରହି ମତ୍ସ୍ୟଚାଷୀମାନଙ୍କୁ ବିଭିନ୍ନ ସରକାରୀ ଯୋଜନାର ସଫଳ ରୂପାୟନ ନିମନ୍ତେ ଉଦବୋଧନ ଦେଇଥିଲେ I ପ୍ରାରମ୍ଭିକ ସମ୍ବଭାଷଣରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକ ମତ୍ସ୍ୟଚାଷ ସହିତ ସମ୍ପର୍କିତ ବିଭିନ୍ନ ସରକାରୀ ଯୋଜନାକୁ ପାଥେୟ କରି ମତ୍ସ୍ୟ ଉତ୍ପାଦନ ବୃଦ୍ଧି କରିବା ସହିତ ନିଜେ ସ୍ୱାବଲମ୍ବୀ ହେବା ଦିଗରେ ଆଲୋକପାତ କରିଥିଲେ I ସଭାରେ ଉପସ୍ଥିତ ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ଉପନିର୍ଦ୍ଧେଶକ ଉଦ୍ୟାନ ବିଭାଗ ଶ୍ରୀ ତପନ କୁମାର ମହାନ୍ତି, ସହକାରୀ ନିର୍ଦ୍ଧେଶକ ଉଦ୍ୟାନ ବିଭାଗ ଶ୍ରୀ ଗୋପୀନାଥ କର, ଜିଲ୍ଲା କୃଷି ବିଭାଗ ଅଧିକାରୀ ଶ୍ରୀ ସରୋଜ କୁମାର ଗିରି, ଅତିରିକ୍ତ ଜିଲ୍ଲା ପ୍ରାଣୀ ବିଭାଗ ଅଧିକାରୀ ଶ୍ରୀ ଶିବ ପ୍ରସାଦ ଦାସ, ଜିଲ୍ଲା ମୃତିକା ସଂରକ୍ଷଣ ଅଧିକାରୀ ଶ୍ରୀ ଜ୍ଞାନରଞ୍ଜନ ଆଚାର୍ଯ୍ୟ, ଡିପିସି ମିଶନ ଶକ୍ତି ଶ୍ରୀ କାର୍ତ୍ତିକ ଚନ୍ଦ୍ର ନାୟକ, ଏଲଡିଏମ କାର୍ଯ୍ୟାଳୟର ଜୋନାଲ ମ୍ୟାନେଜର ଶ୍ରୀ ଅମିତ କୁମାର ମତ୍ସ୍ୟଚାଷ ସହିତ ସମ୍ମିଳିତ ଚାଷ ଫାର୍ମପଣ୍ଡ, ଉଦ୍ୟାନକୃଷି, ଗୋପାଳନ, ବ୍ୟାଂକଋଣ ଇତ୍ୟାଦି ସମ୍ୱନ୍ଧେ ଚାଷୀ ମାନଙ୍କ ସହିତ ଆଲୋଚନା କରିଥିଲେ I ମଞ୍ଚାସୀନ ଉପମତ୍ସ୍ୟ ନିର୍ଦ୍ଧେଶକ ଶ୍ରୀ ଦୀପ୍ତି କୁମାର ମହାପାତ୍ର ମାଛ ଚାଷର ବୈଷୟିକ ଜ୍ଞାନ କୌଶଳ ଓ ଲୋକାଭିମୁଖୀ ସରକାରୀ ଯୋଜନା ଗୁଡିକର ଉପକାରିତା ସମ୍ୱନ୍ଧେ ଆଲୋକପାତ କରିଥିଲେ I ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ ଜିତେନ୍ଦ୍ର କୁମାର ବେହେରା ସଭା ପରିଚାଳନା ସହିତ ବିଶ୍ୱ ମତ୍ସ୍ୟ ଦିବସର ଆଭିମୁଖ୍ୟ ଓ ଉପଦେୟତା ସମ୍ୱନ୍ଧେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ I ବିଭିନ୍ନ ଯୋଜନାରେ ଶ୍ରେଷ୍ଠତ୍ଵ ପ୍ରତିପାଦନ କରିଥିବା ଛ’ ଜଣ ମତ୍ସ୍ୟଜୀବୀ ଓ ମତ୍ସ୍ୟଚାଷୀଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ I ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଲକ ଓ ମେରାଇନ ୟୁନିଟ ର ମତ୍ସ୍ୟ ଅଧିକାରୀ, ବରିଷ୍ଠ ଓ କନିଷ୍ଠ ବୈଷୟିକ ମତ୍ସ୍ୟ ସହାୟକ ଓ ସାଗର ମିତ୍ର ମାନେ ଉପସ୍ଥିତ ଥିଲେ I ସର୍ବଶେଷରେ ଶ୍ରୀମତୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ I