ବାଲେଶ୍ୱର ଜିଲ୍ଲାସ୍କୁଲ୍ ଭୂସଂପତ୍ତିର ସୁରକ୍ଷା ପାଇଁ ସାମ୍ବାଦିକ ସମ୍ମିଳନୀ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲ୍ଲାସ୍କୁଲ୍‌ର ଭୂସଂପତ୍ତିର ସୁରକ୍ଷା ପାଇଁ ବିଭିନ୍ନ ସମୟରେ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ପୌରପରିଷଦ ନେଇଥିବା ନିଷ୍ପତ୍ତିକୁ ସଠିକ୍ କାର୍ଯ୍ୟକାରୀ କରାନଯିବା ଦ୍ୱାରା ପରିସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଜିଲ୍ଲାସ୍କୁଲ୍ ଖେଳପଡ଼ିଆ ଯାହାକି ଅଦ୍ୟାବଧି ବାଲେଶ୍ୱର ପୌରସଂସ୍ଥା ନାମରେ ରହିଛି, ସେହି ୪ଏକର ୭୨ଡିସିମିଲ୍ ଜମିକୁ ତୁରନ୍ତ ସ୍କୁଲ୍ ନାମରେ ରେକର୍ଡ଼ଭୁକ୍ତ କରିବା ଓ ଏହି ସଂପତ୍ତିକୁ ଚିହ୍ନଟ କରିବା ପାଇଁ ବାଲେଶ୍ୱର ସିଭିଲ୍ ସୋସାଇଟି ପକ୍ଷରୁ ଗତ ତା ୨୧-୦୮-୨୦୨୪ ରିଖରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯିବା ସହିତ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା । ପୁନଶ୍ଚ ତା ୧୧-୦୯-୨୦୨୪ ରିଖରେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏହି ସମସ୍ୟାର ସମାଧାନ ଦାବିରେ ରାଜସ୍ୱମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । କିନ୍ତୁ ଜିଲ୍ଲାପାଳ କିମ୍ବା ସରକାରଙ୍କ ପକ୍ଷରୁ କୌଣସି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ । ତେଣୁ ଗତ ସେପ୍ଟେମ୍ବର ୩୦ ତାରିଖ ଦିନ ବାଲେଶ୍ୱର ସିଭିଲ୍ ସୋସାଇଟି, ଜିଲ୍ଲା ସ୍କୁଲ୍‌ର ପରିଚାଳନା କମିଟି ଓ ପୁରାତନ ଛାତ୍ର ସଂସଦ କର୍ମକର୍ତ୍ତାଙ୍କ ସମେତ ବହୁ ସାମାଜିକ ସଂଗଠନର ଶତାଧିକ କର୍ମକର୍ତ୍ତା ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରେ ଗଣଧାରଣାରେ ବସିଥିଲେ । କିନ୍ତୁ ଦୁଃଖର ବିଷୟ ଯେ ଅଦ୍ୟାବଧି ଜିଲ୍ଲାସ୍କୁଲ୍‌ର ସେହି ୪ଏକର ୭୨ଡିସିମିଲ୍ ଜମିକୁ ଚିହ୍ନଟ କରାଗଲା ନାହିଁ କିମ୍ବା ସ୍କୁଲ୍ ନାମରେ ରେକର୍ଡ଼ଭୁକ୍ତ କରାଗଲା ନାହିଁ । ଜିଲ୍ଲାସ୍କୁଲ୍‌ର ପୂର୍ବରୁ ଥିବା ଖେଳପଡ଼ିଆର ୬ଏକର ୫୮ ଡିସିମିଲ୍ ଭୂସଂପତ୍ତି (ପରମିଟ୍ ପଡ଼ିଆ)କୁ ବାଲେଶ୍ୱର ପୌରସଂସ୍ଥା ନେଇ ଜିଲ୍ଲା ଏଥ୍‌ଲେଟିକ୍ ଆସୋସିଏସନ୍‌କୁ ଦେଇଛି ଓ ପୌରସଂସ୍ଥା ନାମରେ ଥିବା ୪ଏକର ୭୨ଡିସିମିଲ୍ ଜାଗା ଯେଉଁଥିରେ କି ବାଲେଶ୍ୱର ଏଥ୍‌ଲେଟିକ୍ ଆସୋସିଏସନ୍ (ପୁରୁଣା ଷ୍ଟାଡିୟମ୍‌) ଥିଲା, ତାକୁ ବାଲେଶ୍ୱର ଜିଲ୍ଲାସ୍କୁଲ୍ ନାମକୁ ପରିବର୍ତ୍ତନ କରାଯାଇନାହିଁ । ଗତ ୨୭-୦୯-୧୯୮୫ ରିଖରେ ପୌର ପରିଷଦର କାଉନ୍‌ସିଲ୍ ବୈଠକର ରିଜୋଲ୍ୟୁସନ୍ ନଂ.-୨୦ରେ ଏହା ଅନୁମୋଦନ ହୋଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ବାଲେଶ୍ୱରର ପୂର୍ବତନ ଜିଲ୍ଲାପାଳ ତା ୧୨-୦୪-୨୦୦୨ରିଖରେ ସମସ୍ତ ବିଭାଗୀୟ ସଂପୃକ୍ତ ଅଧିକାରୀମାନଙ୍କୁ ଓ ବାଲେଶ୍ୱରର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସ୍ୱାକ୍ଷରରେ ଏହି ପରିବର୍ତ୍ତନ ସଂପର୍କରେ ସର୍ବସମ୍ମତି ରିଜୋଲ୍ୟୁସନ୍ ମାଧ୍ୟମରେ ଏକ ଲିଖିତ ବିବରଣୀ ପ୍ରକାଶ କରିଥିଲେ । କିନ୍ତୁ ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ପୌରସଂସ୍ଥା ନାମରେ ଥିବା ୪ଏକର ୭୨ଡିସିମିଲ୍ (ପୁରୁଣା ଷ୍ଟାଡିୟମ୍‌)ର ଭୂସଂପତ୍ତିକୁ ଆଜିପର୍ଯ୍ୟନ୍ତ ଜିଲ୍ଲା ସ୍କୁଲ୍ ନାମରେ ରେକର୍ଡ଼ଭୁକ୍ତ କରାଯାଇନାହିଁ । ଗତ କିଛିଦିନ ତଳେ ବାଲେଶ୍ୱର ପୌର ପରିଷଦ ପକ୍ଷରୁ ସେହି ସ୍ଥାନରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ଯାହାକି ସଂପୂର୍ଣ୍ଣ ଅନ୍ୟାୟ ଓ ସରକାରୀ ନିଷ୍ପତ୍ତିର ବିରୁଦ୍ଧାଚରଣ କରୁଅଛି । ଜିଲ୍ଲା ପ୍ରଶାସନ ଓ ପୌର କର୍ତ୍ତୃପକ୍ଷଙ୍କୁ ଏହି ତ୍ରୁଟି ସଂପର୍କରେ ବାରମ୍ବାର ଦର୍ଶାଇଥିଲେ ମଧ୍ୟ କଲ୍ୟାଣମଣ୍ଡପ ନିର୍ମାଣ କାର୍ଯ୍ୟରୁ କର୍ତ୍ତୃପକ୍ଷ ବିରତ ହୋଇନାହାନ୍ତି । ତେଣୁ ତୁରନ୍ତ ଜିଲ୍ଲା ପ୍ରଶାସନ ଓ ପୌର ପରିଷଦ ଏହି ୪ଏକର ୭୨ଡିସିମିଲ୍ ଭୂସଂପତ୍ତି ଜିଲ୍ଲା ସ୍କୁଲ୍‌ନାମରେ ରେକର୍ଡ଼ଭୁକ୍ତ କରାଇ ତାହାର ସୁରକ୍ଷା ସହ ସ୍କୁଲ୍‌ର ଅଫିସ୍‌, ସମସ୍ତ ଶ୍ରେଣୀଗୃହ ଓ ହଷ୍ଟେଲ୍ ପ୍ରଭୃତି ଥିବା ୧୨ଏକର ୬୧ ଡିସିମିଲ୍ ଜମିର ସୁରକ୍ଷା ପାଇଁ ବାଲେଶ୍ୱର ସିଭିଲ୍ ସୋସାଇଟି, ଜିଲ୍ଲାସ୍କୁଲ୍‌ର ପରିଚାଳନା କମିଟି ଓ ପୁରାତନ ଛାତ୍ରସଂସଦର ପ୍ରତିନିଧିମାନେ ମଙ୍ଗଳବାର ଦିନ ଅପରାହ୍ନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଦୃଢ଼ ଦାବି କରିଛନ୍ତି ।
ପ୍ରକାଶ ଥାଉକି, ବାଲେଶ୍ୱର ସିଭିଲ୍ ସୋସାଇଟିର କୋଷାଧ୍ୟକ୍ଷ ସନ୍ତୋଷ କୁମାର ସାହୁ ଓ ପରିଚାଳନା କମିଟିର ସଭାପତି ସଞ୍ଜିବ କୁମାର ମିଶ୍ରଙ୍କ ପକ୍ଷରୁ ମାନ୍ୟବର ଓଡ଼ିଶା ହାଇକୋଟ୍‌ର୍ରେ ଆଗତ ମୋକଦ୍ଦମା (ଡଚ(ଉ)-୨୪୮୮୬/୨୪ )ରେ ମାନ୍ୟବର ହାଇକୋର୍ଟ ସ୍କୁଲ୍ ସଂପତ୍ତି ଉପରେ କଲ୍ୟାଣମଣ୍ଡପ କିମ୍ବା କୌଣସି ନିର୍ମାଣକାର୍ଯ୍ୟ ଉପରେ ଜବାବ ତଲବ କରିଥିôବା ସଂପର୍କରେ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ କର୍ମକର୍ତ୍ତାମାନେ ପ୍ରକାଶ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ସିଭିଲ୍ ସୋସାଇଟିର ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀ, ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ, ସଂପାଦକ ମନୋଜ ନାୟକ, ସ୍କୁଲ୍ ପରିଚାଳନା କମିଟିର ସଭାପତି ସଞ୍ଜିବ କୁମାର ମିଶ୍ର, ପୁରାତନ ଛାତ୍ର ସଂସଦର ସଭାପତି ଡା. ସୁରେନ୍ଦ୍ରନାଥ ସାହୁ ପ୍ରମୁଖ ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ । ବିଭିନ୍ନ ସଂଗଠନ ତରଫରୁ ବରିଷ୍ଠ ଆଇନଜୀବୀ ଶରତ ମହାପାତ୍ର, ସୀତାରାମ ପ୍ରଧାନ, ଖଗେନ୍ଦ୍ର ସାହୁ, ଭାରତୀ ପଣ୍ଡା, ଶ୍ୟାମସୁନ୍ଦର ଜେନା, କମଳାକାନ୍ତ ବେହେରା, ପୂର୍ଣ୍ଣଚନ୍ଦ୍ର ପାତ୍ର, ଶରତ ଚନ୍ଦ୍ର ଦଳାଇ, ପୂର୍ବତନ ଶିକ୍ଷକ ନିରଞ୍ଜନ ପଣ୍ଡା, ସୋମନାଥ ନାୟକ, ଅରୁଣ ଜେନା ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ