ବାହାଘର
ଝିଅ ଆହାନା ଆଜି ଶିକ୍ଷୟତ୍ରୀ, ମାଣିଆବନ୍ଧ ହାଇସ୍କୁଲରେ. ଯୋଉଠିକାର ଅଧିକାଂଶ ଲୋକ ବୁଦ୍ଧଙ୍କୁ ଭଗବାନ ବୋଲି ମାନନ୍ତି. ସୁଧା ଗୁରୁମା ଓ ତାଙ୍କ ସ୍ୱାମୀ,ଆହାନା ତାର ପିତା ମାତା ଦୁହିଁଙ୍କୁ ନେଇ ମାଣିଆବନ୍ଧ ବୁଲେଇ ବୁଦ୍ଧ ମନ୍ଦିର ଓ ବୁଦ୍ଧ ମନ୍ଦିର ସଂଲଗ୍ନ ମ୍ୟୁଜିଅମ ଦେଖାଇଲା ବେଳେ ମନେ ପକାଏ ମାଆ ପାଖେ ପଢିଥିବା ସିକିମ ଅଧିବାସୀଙ୍କର ସାଗା ଦାୱା ପର୍ବ କଥା. ଏଠାରେ ମଧ୍ୟ ବୁଦ୍ଧଙ୍କ ଉପାସନା ପାଇଁ ଖୁବ ଧୁମଧାମରେ ବୁଦ୍ଧ ଜୟନ୍ତୀ ପାଳନ ହେଲାବେଳେ, ମୁଖ୍ୟବକ୍ତା ରୂପେ ଆହାନା ସୁନ୍ଦର ବକ୍ତୃତା ଦେଇ, ବୁଦ୍ଧଙ୍କ ଜୀବନୀ ଓ ଦର୍ଶନ ବିଷୟରେ କହି ଉଚ୍ଚ ପ୍ରଶଂଶିତ ହୋଇଥିବାରୁ ବାପା ମାଆ ଖୁବ ଖୁସି ହୋଇଥିଲେ. ଏଣେ ଆହାନା ପାଇଁ ପୁଅ ଖୋଜା ଚାଲିଥିଲା.ଯେତେ ପୁଅ ଆସୁଥିଲେ ସେମାନେ କାହିଁକି ଆହାନାକୁ ନାପସନ୍ଦ କରି ବିବାହ ପ୍ରସ୍ତାବ ଭାଙ୍ଗି ଯାଉଥିଲା କେହି ବୁଝି ପାରୁନଥିଲେ. ସବୁ ପୁଅ ନିଜ ପରିବାର ସହ ଆସି ଝିଅ ଦେଖି ପସନ୍ଦ କରିସାରିବା ପରେ ନିରୋଳାରେ ଦୁଇ ମିନିଟ ଝିଅ ସଙ୍ଗେ ଏକାନ୍ତରେ କଥାବାର୍ତ୍ତା ହେବାକୁ ଅନୁମତି ପାଇବା ପରେ ସବୁ ଖୁସିର ମୁହୂର୍ତ୍ତ କାହିଁକି ଯେ ବଦଳି ଯାଏ ବୁଝି ପାରନ୍ତି ନାହିଁ କେହି. ସୁଧାଙ୍କ ମନରେ ଅନେକ ଜଟିଳ ସରଳ ପ୍ରଶ୍ନ ଉଙ୍କି ମାରୁଥାଏ. ପିଲା ଦିନ ଭଳି ଆହାନା କିଛି ପ୍ରଶ୍ନ ଉପସ୍ଥାପନା କରୁନି ତ?? ଯେମିତି ପିଲାଦିନେ ପଚାରୁଥିଲା ହନୁମାନ କେମିତି ଖାଉଥିବେ ତାଙ୍କ ପାଟି ଏମିତି କାହିଁକି ହୋଇଛି ତଥା ସିଦ୍ଧାର୍ଥ ଘର ଛାଡ଼ି ସନ୍ୟାସୀ ହେଲା ପରେ ରାହୁଳ କାହାକୁ ବାପା ଡାକିବ? ମଥା ଘୁରିଯାଏ ସୁଧାଙ୍କର. ଅବସର ପୂର୍ବରୁ ଝିଅ ବାହାଘର ସରିପାରିବ କି ନା ଭାବି ଚିନ୍ତାଗ୍ରସ୍ତ ହେଲାବେଳେ ମା ଦଶଭୁଜାଙ୍କ ରୂପ ପ୍ରକଟ ହୁଅନ୍ତି ତାଙ୍କ ସାମ୍ନାରେ. ସୁଧା କୁହନ୍ତି ମାଆ ଲୋ ମାଆ ମୋ ଝିଅ ବାହାଘର ଭଲରେ ହୋଇଯାଉ ମାଆ.ଆହାନା ପୂଜାଛୁଟିରେ ଏ ବର୍ଷ ସିକିମ ଯିବାକୁ ସ୍ଥିର କରି ଟିକେଟ କାଟି ସାରିଥିଲା. ସୁଧା ବିରକ୍ତ ହେଉଥିଲେ ଦୁର୍ଗା ପୂଜାରେ ମାଆ ଦୁର୍ଗାଙ୍କ ପୂଜା ଛାଡ଼ି ଏତେ ଦୂର ଯାଇପାରିବେନି ସେ କିନ୍ତୁ ଆହାନା କହିଥିଲା ଦେବୀ ଦୁର୍ଗାଙ୍କ ପୂଜା ସାରି ଆମେ ଯିବା. ହଠାତ ଫୋନଟିଏ ପାଇଲେ ସୁଧାକରବାବୁ. ଆହ୍ୱାନ ନାମ୍ନୀ ଏକ ବ୍ୟାଙ୍କ ଅଫିସର ନିଜ ପାଇଁ ପ୍ରସ୍ତାବ ରଖୁଥିଲେ ଆହାନା ପାଇଁ. ପରିବାରରେ ଖୁସିର ଲହରୀ. ସୁଧାକର ବାବୁ ଯେବେ କହୁଥିଲେ ଏଇ ଥର ବାହାଘର ଏଠାରେ ପକ୍କା ଜାଣ. ସୁଧା କହିଲେ ତୁମେ କେମିତି ଜାଣିଲ? ଆରେ ତୁମେ ସୁଧା ମୁଁ ସୁଧାକର. ତୁମେ ଶିକ୍ଷୟିତ୍ରୀ ମୁଁ ବ୍ୟାଙ୍କ ଅଫିସର. ଏବେ ଦେଖୁନ ଆହାନା ପାଇଁ ଆସିଥିବା ପ୍ରସ୍ତାବ ବ୍ୟାଙ୍କ ଅଫିସର ପୁଣି ନାମ ଆହ୍ୱାନ. ହେତ ଯେତେ ସବୁ ବାଜେ କଥା ଓ ଚିନ୍ତାଧାରା ବାପା ଝିଅ ଉଭୟଙ୍କର କହି ମାଆ ଦୁର୍ଗା ପୂଜା କରିବା ଆୟୋଜନ କରୁ କରୁ କାହିଁକି କେଜାଣି ଉଜ୍ଜଳି ଉଠୁଥିଲା ସୁଧାଙ୍କ ମନ ପ୍ରାଣ ହୃଦୟ. ଡାକୁଥିଲେ ମାଆ ଲୋ ମାଆ, ତୁ ଏକା ସାହା. ଉପରକୁ କହୁଥିଲେ ତାଙ୍କ ମୁରବୀଙ୍କୁ କଥା ଦେଇଦିଅ ଆମେ ସିକିମରୁ ଫେରିବା ପରେ ସେମାନେ ଦେଖିବାକୁ ଆସନ୍ତୁ ଝିଅ. ସେମାନେ ଝିଅ ଦେଖି ସାରିଛନ୍ତି ମାଣିଆବନ୍ଧ ଯାଇ ଗୁପ୍ତରେ. ସୁଧା କୁରୁଳି ଉଠୁଥିଲେ ବି ଭାବୁଥିଲେ ଝିଅର ପସନ୍ଦ ନାପସନ୍ଦ ତ ଅଛି. ହଉ ସିକିମରୁ ଫେରିବା ପରେ ବୁଝିନେବେ ଆହାନାଠାରୁ.ଅପୂର୍ବ ସଂଯୋଗ. ସିକିମରେ ବୁଦ୍ଧ ଦର୍ଶନ ସାଙ୍ଗକୁ ଆହ୍ୱାନ ଓ ତାଙ୍କ ପରିବାର ସହିତ ଭେଟଘାଟ ଟିକେ ଟିକେ ଅଲଗା ଲାଗୁଥିଲା କଥାଟା. ପୁଣି ଯେବେ ଆହାନା ଓ ଆହ୍ୱାନ ପୂର୍ବ ପରିଚିତ ଜାଣିଲେ ସୁଧା ଚମକି ପଡିଲେ. ବୁଦ୍ଧ ମନ୍ଦିର ପ୍ରାଙ୍ଗଣ ଭିତରେ ଆହ୍ୱାନକୁ ଯେବେ ଆହାନାର ଜେଜେମା ପଚାରି ଦେଇଥିଲେ ତୁମେ କେଉଁ ଠାକୁରଙ୍କୁ ଭକ୍ତି କରି ପୂଜା କର ସେ ସଙ୍ଗେ ସଙ୍ଗେ ବୁଦ୍ଧ କହିଥିଲେ ତ ମୁହଁ ଶୁଖାଇ ଜେଜେମା କହୁଥିଲେ ମୁଁ ସେଇ ବାଲୁଙ୍ଗା ଠାକୁର କହ୍ନେଇଙ୍କୁ ଭକ୍ତି କରେ ପୁଅ, ମଣିଷ ଦେବତା, ଏଇ ବୁଦ୍ଧ କି ସାଇ ବାବା ମୋର ପସନ୍ଦ ନୁହଁନ୍ତି, ସେ ଏକଥା କହୁ କହୁ ସୁଧା ତାଙ୍କ ପାଟିରେ ହାତ ଦେଇ ଭିଡ଼ିନେଲେ ଅନ୍ୟ ଆଡ଼େ. ଜେଜେ ତାଗିଦା କରୁଥିଲେ ଜେଜେମାଙ୍କୁ ଅଳ୍ପ କଥା କହିବାକୁ କହି ତ ହସୁଥିଲେ ସୁଧା କହିଥିଲେ ବାହାଘର ସରିଯାଉ ମନଭରି ନାତୁଣୀ ଜୋଇଁ ସଙ୍ଗେ ଗପିବେ ମାଆ. ତୁନି ପଡିଗଲେ ଜେଜେମା ଆଉ ସିକିମ ବୁଲା ପରେ ବାହାଘର ସମ୍ପର୍ଣ୍ଣ ହୋଇଗଲା ସୁରୁଖୁରୁରେ.
ଏଥର ଘରକୁ ପ୍ରଥମ କରି ଜୋଇଁ ଡାକରାରେ ଆସିଥିବା ଆହ୍ୱାନ ସହ ଯେତେ ଗପିବେ ଗପନ୍ତୁ ମାଆ କହି ସୁଧା ଚାଲିଯିବା ପରେ ଜେଜେମା ପୁଣି ସେହି ବାକି ରହିଯାଇଥିବା କଥାର ଖିଅ ଯୋଡୁଥିଲେ. ମୁଁ କହ୍ନେଇଙ୍କୁ ଭକ୍ତି କରେ ଆହ୍ୱାନ. ସିକିମ ସିନା ଯାଇଥିଲି ହେଲେ ମୋର ବୁଦ୍ଧ ଦେବଙ୍କ ଉପରେ ବିଶ୍ୱାସ ନାହିଁ. ଆହ୍ୱାନ ଚୁପି ଚୁପି କହୁଥିଲେ ମୋର ମଧ୍ୟ ସେୟା ଜେଜେମା ହେଲେ ଆହାନା ପାଇଁ କେବଳ. ଏଁ କହି ଚମକି ପଡିଲେ ଜେଜେମା. ତୁନି ତୁନି ଆହ୍ୱାନ କହୁଥିଲେ ହଁ ଜେଜେମା ମୁଁ ଓ ମୋ ପରିବାର ମଧ୍ୟ ଦୁର୍ଗା ଓ କୃଷ୍ଣ ଭକ୍ତ. କିଛି ବୁଝିନପାରି ଜେଜେମା କହୁଥିଲେ ତେବେ ତୁମେ ଓ ତୁମ ପରିବାର ସିକିମରେ, ବୌଦ୍ଧ ମନ୍ଦିର ପରିଦର୍ଶନରେ ପୁଣି ଏକା ସଙ୍ଗେ ଏକା ସମୟରେ !ହଁ ଜେଜେମା ଏସବୁ ନାଟକ ଥିଲା. ଆପଣଙ୍କ ନାତୁଣୀର ସବୁ ବାହାଘର କାହିଁକି ଭାଙ୍ଗି ଯାଉଥିଲା ଜାଣିଛନ୍ତି ଜେଜେମା?? ସବୁ ପୁଅଙ୍କୁ ଆହାନା ବୌଦ୍ଧ ଭକ୍ତ ହେବାକୁ କହିସାରି ଜୀବନରେ ଥରେ ସିକିମ ଯିବାକୁ କୁହେ ତ ତା କଥାର ଭିତିରି ଅର୍ଥ ବୁଝିନପାରି ସବୁ ପୁଅ ବିବାହ ପ୍ରସ୍ତାବ ଭାଙ୍ଗି ଚାଲିଯାଆନ୍ତି ପାଗଳି ଭାବି . ହେଲେ ଏସବୁ ତୁମେ କେମିତି ଜାଣିଲ ଆହ୍ୱାନ!ମୁଛୁକୁନ୍ଦିଆ ହସଟେ ହସି ଆହ୍ୱାନ କହିଥିଲେ ମୋ ଦୂର ସମ୍ପର୍କୀୟା ଭଉଣୀ ଆହାନାର ସହକର୍ମୀ.ସେ ସବୁକଥା ମତେ କହିଥିଲା. ଆହାନା ପରି ସୁନ୍ଦରୀ, ଶିକ୍ଷିତା,ଚାକିରିଆ ପୁଣି ବୌଦ୍ଧଙ୍କ ସତମାର୍ଗରେ ବିଶ୍ୱାସୀ ଝିଅକୁ ହାତ ଛଡା ନକରିବାକୁ ଏସବୁ ପ୍ଲାନ ଥିଲା ମୋର. ତାଛଡା ସିକିମ ଭଳି ପ୍ରାକୃତିକ ସମ୍ଭାର ଦୃଶ୍ୟରାଜି ପରିହିତ ଜାଗାରେ ବୁଦ୍ଧମନ୍ଦିର ପରିଦର୍ଶନ ଭାଗ୍ୟ କେତେଜଣଙ୍କୁ ମିଳେ?? ଜେଜେମା ସନ୍ତୁଷ୍ଟି ନୟନରେ ହସୁଥିଲେ ଠୋ ଠୋ. ସବୁଶୁଣି ସୁଧା ଜାଳୁଥିଲେ ଦୀପ ଦୁର୍ଗାଙ୍କୁ ସ୍ମରଣ କରି. ଆଉ ସୁଧାକର ବାବୁ ଖୁସିରେ ଫାଟି ପଡୁଥିଲେ ତାଙ୍କ ଅନୁମାନ ସତ୍ୟ ହେଇଛି ବୋଲି. ଆଉ ଆହାନା ସମସ୍ତଙ୍କଠୁ ବେଶି ଖୁସି ଥିଲା ଅଷ୍ଟାଙ୍ଗମାର୍ଗକୁ ମାନି ସଂସାରତ୍ୟାଗୀ ନହୋଇ ସଂସାର ଭିତରେ ରହି ବୁଦ୍ଧଙ୍କୁ ଭକ୍ତି କରୁଥିବା ଆହ୍ୱାନଙ୍କୁ ସ୍ୱାମୀ ରୂପେ ପାଇ. ପିଲାଦିନୁ ଗାନ୍ଧିଙ୍କ ନୀତି ଅହିଂସାକୁ ସ୍କିଲ ରୂପେ ସ୍ୱୀକାର କରିଥିବା ଆହ୍ୱାନ,ବୁଦ୍ଧ ଓ ବୁଦ୍ଧଙ୍କ ନୀତି ଅନୁସରଣ କରୁଥିବା ପତ୍ନୀ ପାଇ ଖୁବ ଗର୍ବିତ ଅନୁଭବ କରୁଥିଲେ. ଏଥର ଡ଼ିସେମ୍ବର ମାସରେ କୁଆଡେ ନଯାଇ ମାଣିଆବନ୍ଧରେ ବୁଦ୍ଧ ମନ୍ଦିର ଦର୍ଶନ ଓ ବୁଦ୍ଧ ଜୟନ୍ତୀ ପାଳନ ପ୍ରସ୍ତାବରେ, ଘରୋଇ ତାଳି ବାଜୁଥିଲା ଘନ ଘନ.
ସୁନନ୍ଦା ମହାନ୍ତି
ସାକ୍ଷୀଗୋପାଳ
ପୁରୀ