ବିଜେଡି କର୍ମୀଙ୍କୁ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ ଜଣେ ଅଟକ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର):ଦିଗପହଣ୍ଡି ବ୍ଳକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମର ମନରେଗା କାର୍ଯ୍ୟାଦେଶକୁ କେନ୍ଦ୍ରକରି ବିଜେଡି କର୍ମୀ ଜି.ବଂଶୀ ଦୋରାଙ୍କୁ ସଂଘବଦ୍ଧ ଭାବେ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ କରାଯାଇଛି। ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଜଣେ ବିଜେପି ସମର୍ଥକ ବି.କାର୍ତ୍ତିକ ଦୋରାଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛନ୍ତି। ଏହି ଘଟଣାର ୮ ଅଭିଯୁକ୍ତ ଗିରଫ ଭୟରେ ଫେରାର ଥିବା ଜଣାପଡିଛି। ସୋମବାର ରାତି ପ୍ରାୟ ସାଢ଼େ ୮ ଟାରେ ବଂଶୀ ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରୁ ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ଗାଁ ହନୁମାନ ମନ୍ଦିର ସମ୍ମୁଖରେ ପୂର୍ବ ଯୋଜନା ପ୍ରକାରେ ବିଜେପିର ୯ରୁ ଉର୍ଦ୍ଧ୍ବ ସମର୍ଥକ ତାଙ୍କୁ ଚାରିପଟୁ ଘେରି ଯାଇ ଖଣ୍ଡା, କାତି ଓ ଠେଙ୍ଗା ପ୍ରଭୃତି ମାରଣାସ୍ତ୍ର ଦ୍ଵାରା ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଅଭିଯୁକ୍ତ ମାନେ ତାଙ୍କ ନିକଟରୁ ମୋବାଇଲ ଫୋନ୍,ସୁନା ମୁଦି, ହାତ ଘଣ୍ଟା ଓ ପକେଟରେ ଥିବା ପ୍ରାୟ ୫ ହଜାର ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ।ପରିବାର ଲୋକେ ଖବର ପାଇ ଚେତା ଶୂନ୍ୟ ଅବସ୍ଥାରେ ରକ୍ତ ଜୁଡୁ ବୁଡୁ ହୋଇ ତଳେ ପଡିଥିବା ବଂଶୀ ଙ୍କୁ ଉଦ୍ଧାର କରି ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରିଥିଲେ।ତାଙ୍କ ମୁଣ୍ଡ, ୨ ହାତ ଓ ୨ ଗୋଡ଼ କୁ ଅଭିଯୁକ୍ତ ମାନେ ଖଣ୍ଡା ଓ କାତି ରେ ହାଣି ଥିବା ଅଭିଯୋଗ ହୋଇଛି।ଏନେଇ ବଂଶୀ ଙ୍କ ସ୍ତ୍ରୀ ଜି. ଶଶି ଦୋରା ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି।ଏତଲାକୁ ଭିତ୍ତିକରି ଦିଗପହଣ୍ଡି ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଅଭିଯୁକ୍ତ ମାନଙ୍କ ନାଁ ରେ ଥାନା ମାମଲା ନଂ.୪୭୫/୨୪ ଅନୁଯାୟୀ ମକଦ୍ଦମା ରୁଜୁ କରିବା ସହ ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ବି. କାର୍ତ୍ତିକେଶ୍ୱର ଦୋରା ଙ୍କୁ ଅଟକ ରଖି ତଦନ୍ତ ଚଳାଇଛନ୍ତି।ସୋମବାର ସନ୍ଧ୍ୟା ରେ ଗ୍ରାମର ମନରେଗା ଯୋଜନାରେ ଉନ୍ନୟନ କାମ କୁ ନେଇ ବ୍ଲକ କାର୍ଯ୍ୟାଳୟକୁ ଆସିଥିବା ବିଜେପି ଏବଂ ବିଜେଡ଼ି ସମର୍ଥକଙ୍କ ମଧ୍ୟରେ ବଚସା ହେବା ସହ ଗଣ୍ଡଗୋଳ ର ସୂତ୍ରପାତ ଘଟିଥିଲା।ଉଭୟପକ୍ଷ ଏନେଇ ଥାନାରେ ଏତଲା ଦେଇଥିଲେ।ପୋଲିସ ଥାନା ମାମଲା ନଂ.୪୭୨/୨୪ ଏବଂ ୪୭୩/୨୪ ଅନୁଯାୟୀ ପୃଥକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲେ।ଘଟଣାକୁ କେନ୍ଦ୍ର କରି ବିଜେପି ସମର୍ଥକ ମାନେ ଗ୍ରାମର ବିଜେଡ଼ି ମୁଖିଆ ବଂଶୀ ଙ୍କୁ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଥିବା ବେଳେ ଗ୍ରାମରେ ଚାପା ଉତ୍ତେଜନା ଲାଗିରହିଛି। ବଂଶୀ ଙ୍କୁ ଆକ୍ରମଣ ଘଟଣା ପ୍ରଚାରିତ ହେବାପରେ ବିଜେଡ଼ି ସମର୍ଥକ ମାନେ ଜଣେ ବିଜେପି ସମର୍ଥକ କାର୍ତ୍ତିକେଶ୍ୱର ଙ୍କ ଭଉଣୀ ଏସ.ଲକ୍ଷ୍ମୀ ଦୋରା ଏବଂ ଜି.ସରସ୍ଵତୀ ଦୋରା ଙ୍କୁ ଆକ୍ରମଣ କରିଥିବା ନେଇ ଥାନାରେ ଏତଲା ହୋଇଛି। ଏତଲାକୁ ଭିତ୍ତିକରି ଥାନା ମାମଲା ନଂ.୪୭୪/୨୪ ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇଥିବା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର କହିଛନ୍ତି।