ବିନା ତଦାରଖରେ ଚାଲିଛି ବିକେବିଏମ୍ ରାସ୍ତା ନିର୍ମାଣ କାର୍ଯ୍ୟ
ବନ୍ତ, (ଚାନ୍ଦିନୀ ମହାନ୍ତି):ଭଦ୍ରକ ଜିଲା ବନ୍ତ ବ୍ଲକ ଅଧିନ ବିକେବିଏମ୍୍(ବାରିକପୁର-କେନ୍ଦୁଆପଦା-ବନ୍ତ-ମହାନ୍ତିପଡା) ରାସ୍ତା ନିର୍ମାଣ କାର୍ଯ୍ୟ ବିନା ତଦାରଖରେ ଚାଲିଛି । ବାଡା ନଥିବା ପୁରୁଣା ପୋଲକୁ ମରାମତି କରାଯାଉନାହିଁ । ନିର୍ମାଣ କାର୍ଯ୍ୟ ବେଳେ କୌଣସି ଅଧିକାରୀ କିମ୍ବା ଠିକାଦାର ଉପସ୍ଥିତ ରହୁନାହାନ୍ତି । ଅନଭିଜ୍ଞ ସୁପରଭାଇଜର ମନମୁଖୀ ଭାବେ ନିମ୍ନମାନର କାର୍ଯ୍ୟ କରୁଥିବା ଦେଖାଯାଇଛି । ପ୍ରକାଶ ଯେ, ଭଦ୍ରକ ଜିଲା ପୂର୍ତ୍ତ ବିଭାଗ ଅଧିନରେ ଗତ ଜାନୁଆରୀ ଠାରୁ ୩୨ କିମି ଦୈର୍ଘ୍ୟ ବିଶିଷ୍ଟ ବିକେବିଏମ୍ ରାସ୍ତାର ଉନ୍ନତିକରଣ କାର୍ଯ୍ୟ ଚାଲିଛି । ପୁରୁଣା ରାସ୍ତାର ଉଭୟ ପାଶ୍ୱର୍କୁ ୭ ଫୁଟ୍ ଲେଖାଏଁ ଓସାରିଆ କରିବା ପାଇଁ ନିର୍ଦ୍ଦେଶ ରହିଛି । ମାତ୍ର ସମ୍ପୃକ୍ତ ଠିକାଦାର ମନମୁଖୀ ଭାବେ କେଉଁଠି କଣ କାର୍ଯ୍ୟ କରୁଛି ତାହା ଜାଣି ହେଉନାହିଁ । କେଉଁଠି ୫ ଫୁଟ୍ ଓ କେଉଁଠି ୬ ଫୁଟ୍ ଓସାର କରାଯାଉଛି । ରାସ୍ତା ପାଶ୍ୱର୍କୁ ଓସାରିଆ କରିବା ବେଳେ ନାଳର ଗଭୀରତା ମଧ୍ୟ ଠିକ୍ ରହୁନାହିଁ । ତରବରିଆ ଭାବେ ନାଳ ଖୋଳି ଦେଇ ବାଲି ଓ ଡଷ୍ଟ ପୂରଣ କରିଦିଆଯାଉଛି । ଏହି ରାସ୍ତାର ନିଳୋକ କୁମ୍ଭାରସାହି ଛକ ଠାରେ ଗୋବିନ୍ଦପୁର ଡିଷ୍ଟ୍ରିବ୍ୟୁଟର କେନାଲ ଅତିକ୍ରମ କରିଛି । ଏଠାରେ ବାଡା ନଥିବା ପୁରୁଣା ପୋଲକୁ ନୂଆ କରି ତିଆରି ନକରି ଛାଡି ଦିଆଯାଇଛି । ଏହି ସ୍ଥାନରେ ରାସ୍ତାର ଟର୍ଣ୍ଣିଂ ପଏଣ୍ଟ ଥିବା ବେଳେ କେତେ ବେଳେ ଯେ ଦୁର୍ଘଟଣା ନଘଟିବ ତାହା କହି ହେଉନାହିଁ । ଏହିସହ ଏହି ଟର୍ଣ୍ଣିଂ ପଏଣ୍ଟକୁ ସିଧା କରିବା ପାଇଁ ସ୍ଥାନୀୟ ଲୋକେ ବାରମ୍ବାର ଦାବୀ କରିଆସୁଛନ୍ତି । ମାତ୍ର ତାହାକୁ ସିଧା କରାଯାଉନାହିଁ । ସେହିପରି ଏହି ରାସ୍ତାର କେତେକ ବଜାର ଅଞ୍ଚଳ ଗୁଡିକୁ ଓସାରିଆ କରାଯାଉନାହିଁ । ଫଳରେ ବଜାର ଅଞ୍ଚଳରେ ଦୁର୍ଘଟଣା ଘଟିବାର ସମ୍ଭାବନା ଦେଖାଯାଇଛି । ସେଣ୍ଢତୀରା ବଜାର ଠାରେ ଦୁଇଟି ପୁରୁଣା କଲର୍ଭଟ ଥିବା ବେଳେ ତାହା ମାଟିରେ ପୋତି ହୋଇଯାଇଛି । ଫଳରେ ଜଳ ନିଷ୍କାସନରେ ବାଧା ସୃଷ୍ଟି ହେବ ବୋଲି ଲୋକେ ଅଭିଯୋଗ କରିଛନ୍ତି । ଏହାକୁ ମଧ୍ୟ ମରାମତି କରାଯାଇନାହିଁ । ବିଶେଷକରି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଠିକାଦାର କିମ୍ବା କୌଣସି ବିଭାଗୀୟ ଅଧିକାରୀ ଉପସ୍ଥିତ ରହୁନାହାନ୍ତି । ଫଳରେ ସୁପରଭାଇଜର ଦ୍ୱାରା ମନମୁଖୀ ଭାବେ ନିମ୍ନମାନର କାର୍ଯ୍ୟ ହେଉଥିବା ଦେଖାଯାଇଛି । ରାଜ୍ୟ ସରକାର ତଥା ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବୀ କରିଛନ୍ତି ।