ବିରଳା ଟାୟାର୍ସ ଶ୍ରମିକମାନଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଟିୟୁଏସିସି ପକ୍ଷରୁ ଗଣଧାରଣା ମାର୍ଚ୍ଚ ୨୦ରେ
ବାଲେଶ୍ୱର, (ସରୋଜ ପଣ୍ଡା):ବିରଳା ଟାୟାର୍ସ ଶ୍ରମିକମାନଙ୍କର ଗଣତାନ୍ତ୍ରିକ ଶାନ୍ତିପୂର୍ଣ୍ଣ ଗଣଧାରଣା ଉପରେ ପ୍ରଶାସନପକ୍ଷରୁ ଆକ୍ରମଣକୁ ବିରୋଧ କରି ଓ ସେମାନଙ୍କୁ ଆଇନଗତ ପ୍ରାପ୍ୟ ପ୍ରଦାନ ସହ ନ୍ୟାୟ ପ୍ରଦାନ ଦାବିରେ ଆସନ୍ତା ୨୦ ତାରିଖ ଗୁରୁବାର ଦିନ ଟ୍ରେଡ୍ ୟୁନିୟନ୍ ଆସୋସିଏସନ୍ କୋଡ଼ିନେସନ୍ କମିଟି (ଟିୟୁଏସିସି) ପକ୍ଷରୁ ବାଲେଶ୍ୱର ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରେ ଗଣଧାରଣା ପାଇଁ ନିଷ୍ପତ୍ତି ନିଆଯାଇଛି । ସୋମବାର ସନ୍ଧ୍ୟାରେ ଉଠାଜଳସେଚନ କର୍ମଚାରୀ ଭବନରେ ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଟିୟୁଏସିସିର ପ୍ରସ୍ତୁତ ବୈଠକରେ ଏଥିପାଇଁ ଚୁଡ଼ାନ୍ତ ନିଷ୍ପତ୍ତି ନିଆଯାଇଛି । ସାଧାରଣ ସଂପାଦକ ଗୌରାଙ୍ଗ ପାଣିଗ୍ରାହୀ ଓ ଉପସଭାପତି ଶାନ୍ତନୁ ଦାସ ଗତକାଲି ବିରଳା ଟାୟାର୍ସ କର୍ମଚାରୀମାନଙ୍କ ବୈଠକରେ ପୂର୍ବତନ ଶ୍ରମମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ସୁଧାଂଶୁ ଶେଖର ପରିଡ଼ା ଓ ସ୍ୱରୂପ କୁମାର ଦାସଙ୍କ ସମେତ ବହୁ ସାମାଜିକ ସଂଗଠନର କର୍ମକର୍ତ୍ତା ଯୋଗଦେଇ ଟିୟୁଏସିସି ପକ୍ଷରୁ ପ୍ରସ୍ତାବିତ ଶାନ୍ତିପୂର୍ଣ୍ଣ ଗଣଧାରଣାକୁ ଦୃଢ଼ ସମର୍ଥନ ଜଣାଇଥିବାର ବୈଠକରେ ପ୍ରକାଶ କରିଥିଲେ । ଜିଲ୍ଲାପାଳଙ୍କୁ ରାଜ୍ୟ ସରକାର ଗତ ଜାନୁଆରୀ ୪ ତାରିଖ ଦିନ ଏକ ଉଚ୍ଚସ୍ତରୀୟ ବୈଠକରେ ଶ୍ରମିକମାନଙ୍କ ଆଇନଗତ ପ୍ରାପ୍ୟ ପ୍ରଦାନ ସଂପର୍କରେ ନିଷ୍ପତ୍ତି ନେବାକୁ ଦାୟିତ୍ୱ ଦେଇଥିଲେ । କିନ୍ତୁ ଜିଲ୍ଲା ପ୍ରଶାସନ ସମସ୍ୟାର ସମାଧାନ ନକରି ଗତ ଚାରିମାସ ଧରି ଶ୍ରମିକ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ପକ୍ଷରୁ କାରଖାନା ଫାଟକ ନିକଟରେ ଚାଲିଥିବା ଶାନ୍ତିପୂର୍ଣ୍ଣ ଗଣଧାରଣାକୁ ପୋଲିସ୍ ଦ୍ୱାରା ବଳପୂର୍ବକ ଉଠାଇଦେବା ଓ ଶ୍ରମିକନେତାମାନଙ୍କୁ ମିଥ୍ୟା ଅଭିଯୋଗରେ ଗିରଫ କରିବା ଘଟଣାକୁ ଟିୟୁଏସିସିର ଗତ ବୈଠକରେ ନିନ୍ଦା କରାଯାଇଥିଲା । ପୁନଶ୍ଚ ଆଗାମୀ ୨୦ ତାରିଖରେ ଟିୟୁଏସିସି ସହ ବିଭିନ୍ନ ସାମାଜିକ ସଂଗଠନ ଓ ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନେ ଶାନ୍ତିପୂର୍ଣ୍ଣ ଗଣଧାରଣା ଜରିଆରେ ବିବାଦର ସୁସମାଧାନ ପାଇଁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ ପାଇଁ ବୈଠକରେ ସର୍ବସମ୍ମତ ନିଷ୍ପତ୍ତି ନିଆଯାଇଛି । ଏହି ଗଣଧାରଣାରେ ସମସ୍ତ ଗଣତନ୍ତ୍ରପ୍ରେମୀ ବ୍ୟକ୍ତିବିଶେଷ ଓ ସଂଗଠନମାନେ ଯୋଗଦେବାକୁ ବୈଠକରେ ନିବେଦନ କରାଯାଇଛି ।ଏହି ବୈଠକରେ ଟିୟୁଏସିସିର କର୍ମକର୍ତ୍ତାମାନଙ୍କ ସମେତ ବିଭିନ୍ନ ସଂଗଠନ ପକ୍ଷରୁ ସର୍ବଶ୍ରୀ ନିରଞ୍ଜନ ରାଉତ, ରାଜକିଶୋର ଲେଙ୍କା, ବିଷ୍ଣୁପ୍ରସାଦ ମହାନ୍ତି, ଶ୍ୟାମସୁନ୍ଦର ଜେନା, ଦୁକୁଲ ଘଡ଼ାଇ, ହରେକୃଷ୍ଣ ଚାନ୍ଦ, ଶରତ ଚନ୍ଦ୍ର ଦଳାଇ, ଭରତ ଚନ୍ଦ୍ର ସେଠୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପୂର୍ଣ୍ଣଚନ୍ଦ୍ର ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।