ବିଲରେ ଉଜୁଡା ଫସଲ ଦେଖି ଆତ୍ମ ହତ୍ୟା କଲେ ଚାଷୀ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧୀନ ବଡ଼ମାଧପୁର ପଞ୍ଚାୟତ ଅଧୀନ ବରଙ୍ଗ ଗାଁର ଜଣେ ଚାଷୀ ଘରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଚାଷୀ ଜଣକ ହେଲେ ବରଙ୍ଗ ଗ୍ରାମର ବନମାଳୀ ପେଣ୍ଠେଇ(୬୪)। ଚାଷୀ ଉଜୁଡ଼ା ଫସଲ ଦେଖି ଏବଂ ଅଦିନିଆ ବର୍ଷାରେ ଧାନ ଫସଲ ବ୍ୟାପକ କ୍ଷତି ହେବାରୁ ଏହା ସହି ନ ପାରି ସେ ଏଭଳି ଚରମ ପଦକ୍ଷେପ ନେଇଥିବା ଜଣାଯାଇଛି। ଗରିବ ଚାଷୀ ବନମାଳି ଙ୍କ ଅଳ୍ପ ପରିମାଣର ନିଜସ୍ବ ଚାଷ ଜମି ଥିବାରୁ ସେ ଗ୍ରାମର କେତେଜଣଙ୍କ ଜମିରେ ଭାଗ ଚାଷ କରି କରିଆସୁଥିଲେ। ବହୁ ଧାର କରଜ କରି ସେ ଏଥର ଧାନ ଫସଲ କରିଥିଲେ, ଗତ ସପ୍ତାହରେ ହୋଇଥିବା ଲଗାଣ ବର୍ଷାରେ ତାଙ୍କ ପାଚିଲା ଧାନ ଜମିରେ ଭିଜି ଯାଇଥିଲା। ଏହାକୁ ଉଦ୍ଧାର ପାଇଁ ବନମାଳି ୨ /୩ଦିନ ହେଲା ବହୁ ଚେଷ୍ଟା କରୁଥିଲେ ମଧ୍ୟ ପୁନର୍ବାର ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ଲଗାଣ ବର୍ଷାରେ ସେହି ଧାନ ଫସଲ ବିଲରେ ଭାସୁଥିଲା, ଏହା ଦେଖି ସେ ସମ୍ପୂର୍ଣ୍ଣ ଭାଙ୍ଗିପଡିଥିଲେ। ଧାର କରଜ କିପରି ଶୁଝିବେ ସେହି ଚିନ୍ତାରେ ସେ ଆତ୍ମ ହତ୍ୟା କରିଥିବା ତାଙ୍କର ଭଉଣୀ ଅପସରା ପ୍ରଧାନ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଖବର ପାଇ ଛତ୍ରପୁର ଥାନା ଅଧିକାରୀ ନିରୋଦ କୁମାର ଦାସ, ଛତ୍ରପୁର ଏସଡିପିଓ ଗୈାରହରି ସାହୁ, ତହସିଲଦାର ଦିବ୍ୟା ମହାନ୍ତି, ଅତିରିକ୍ତ ତହସିଲଦାର ସ୍ମୃତି ଶୁଭଦର୍ଶନି ସାହୁ, ଏଆରଆଇ ରାମଚନ୍ଦ୍ର ଦଳେଇ, ଛତ୍ରପୁର ଗୋଷ୍ଠୀ କୃଷି ଅଧିକାରୀ ଚୌଧୁରୀ ସନ ମାର୍ଗ, ଗ୍ରାମ୍ୟ କୃଷି ଅଧିକାରୀ ନିହାରିକା ପଣ୍ଡା ଓ କୃଷି ଅଧି ଦର୍ଶକ ଦୁର୍ଗା ପ୍ରଧାନ ପ୍ରମୁଖ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହାପରେ ଚାଷୀଙ୍କ ମୃତ ଦେହ ବ୍ୟବଚ୍ଛେଦ ପାଇଁ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇ, ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା। ଏହା ପରେ ତହସିଲଦାର ଦିବ୍ୟା ମହାନ୍ତି ପରିବାର ବର୍ଗଙ୍କୁ ଭେଟି ରେଡକ୍ରସ ତରଫରୁ ନଗଦ ୬୦ ହଜାର ଟଙ୍କା ଏବଂ ପଞ୍ଚାୟତ ତରଫରୁ ହରିଶ୍ଚନ୍ଦ୍ର ଯୋଜନାରେ ୩ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ପରିବାର ବର୍ଗଙ୍କୁ ସହାୟତା ବେଳେ ସରପଞ୍ଚ ପ୍ରତିନିଧି ଶିବଶଙ୍କର ସେଠୀ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଏସ କିଶୋର ଚନ୍ଦ୍ର ରେଡ୍ଡୀ, ମହେଶ୍ୱର ପ୍ରଧାନ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଅନ୍ୟପଟେ ଏନେଇ ବିଜୁ ଜନତା ଦଳର ଏକ ପ୍ରତିନିଧି ଦଳ ଘଟଣା ସ୍ଥଳରେ ପହଁଚି ଅଦିନିଆ ବର୍ଷା ଯୋଗୁଁ ସରକାର ଙ୍କ ନୀରବତା ଲାଗି ଆଜି ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି, ଏଣୁ ମୃତ ଚାଷୀ ଙ୍କ ପରିବାର ବର୍ଗଙ୍କୁ ୨୫ ଲକ୍ଷ ଟଙ୍କାର ତୁରନ୍ତ କ୍ଷତିପୂରଣ ପ୍ରଦାନ ପାଇଁ ଗଞ୍ଜାମ ବିଜେଡ଼ି ଜିଲ୍ଲା ଉପସଭାପତି ଶଙ୍କର ପ୍ରସାଦ ଦାଶ ଦାବି କରିଛନ୍ତି। ଏହା ସହିତ ତାଙ୍କର ପରିବାର ଚଳିବା ନିମନ୍ତେ ମାସିକ ଭତ୍ତା ସହ ଅନ୍ୟାନ୍ୟ ସୁବିଧା ଯୋଗାଇବା ନିମନ୍ତେ ଯୁବ ନେତା ବିମଳ କୁମାର ପଣ୍ଡା, ଟି. ଚନ୍ଦ୍ର ଶେଖର ଓ କିଶୋର ବେହେରା ଦାବୀ କରିଛନ୍ତି, ସୂଚନା ଯୋଗ୍ୟ ଯେ ତାଙ୍କର ୪ଟା ଝିଅ ଓ ଗୋଟିଏ ପୁଅ ବିବାହ କରି ସାରି ଛନ୍ତି, ସେ ଚଳିତ ବର୍ଷ ପ୍ରାୟ ୫ଏକର ଜମି ରେ ଧାନ ଫସଲ ଭାଗ ହିସାବ ରେ ଚାଷ କରୁଥିଲେ, ୨ ଲକ୍ଷ ରୁ ଅଧିକା ଟଙ୍କା ଅନ୍ୟ ମାନଙ୍କ ଠାରୁ ଧାର କରଜ ଆଣି ଚାଷ କାର୍ଯ୍ୟ ଲଗାଇଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ