ବିଲୁପ୍ତ ପ୍ରାୟ ତାଳପତ୍ର ଜାତକ ଓ ପୋଥି

ଆସିକା, (ଯୁଗାବ୍ଦ ନ୍ୟୁଜ):ଭାରତୀୟ ସଂସ୍କୃତି ଓ ପରମ୍ପରାରେ ତାଳପତ୍ରର ବହୁଳ ବ୍ୟବହାର ରହିଛି । ଅତି ପ୍ରାଚୀନ କାଳରୁ ସଂସ୍କୃତି, ଶାସ୍ତ୍ରୀୟ ମତ ବିଚାର, ଗ୍ରନ୍ଥା ଆଦି ତାଳପତ୍ରରେ ଲେଖା ଯାଇଛି । ବିଦ୍ୱାନ ମୁନୀଋଷିମାନେ ଏହି ତାଳପତ୍ର ଓ ଲେଖନୀକୁ ବ୍ୟବହାର କରି ବହୁ ମୂଲ୍ୟବାନ ଗ୍ରନ୍ଥ ଅତୀତରେ ରଚନା କରିଛନ୍ତି । ଭାରତରେ ବିଭିନ୍ନ ଗ୍ରନ୍ଥାଗାରରେ ତାଳପତ୍ରରେ ଖୋଦିତ ପୋଥି ଗୁଡିକ ଅତି ଯତ୍ନର ସହକାରେ ସଂରକ୍ଷଣ ଅବସ୍ଥାରେ ରଖାଯାଇଛି । ପୂର୍ବରୁ ଜାତକ ତାଳପତ୍ରରେ ଲେଖାଯାଉଥିଲା ବେଳେ ଏବେ କମ୍ପ୍ୟୁଟରରେ କରାଯାଉଛି । ଯାହାରି ଫଳରେ ତାଳପତ୍ରର ଚାହିଦା ଦିନକୁ ଦିନ ହ୍ରାସ ପାଇବାରେ ଲାଗିବା ସାଙ୍ଗକୁ ତାଳପତ୍ରର ଜାତକ ଓ ପୋଥି ବିଲୁପ୍ତର ଦ୍ୱାରଦେଶରେ ପହଞ୍ଚାସାରିଛି ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଛି । କମ୍ପ୍ୟୁଟର ମାଧ୍ୟମରେ କମ୍‍ ସମୟ ମଧ୍ୟରେ ଜାତକ ପ୍ରସ୍ତୁତ କରାଯାଉଛି । ପ୍ରାଚୀନ ସଂସ୍କୃତିର ବାର୍ତ୍ତା ବହନ କରିଆସୁଥିବା ତାଳପତ୍ର ଜାତକ କ୍ରମଶଃ ଦିନକୁ ଦିନ ବିଲୁପ୍ତ ହେବାକୁ ବସିଛି । ପରିବାରରେ ଶିଶୁଟିଏ ଜନ୍ମ ହେଲେ ପ୍ରଥମେ ତାର ଜାତକ ତାଳପତ୍ରରେ ପ୍ରସ୍ତୁତି ନିମନ୍ତେ ଅତୀତରେ ଜ୍ୟୋତିଷ ଖୋଜା ପଡେ । ମାତ୍ର ଏବେ ସମୟ ବଦଳିଯାଇଛି । ତାଳପତ୍ରର ସ୍ଥାନ ନେଇଛି କମ୍ପ୍ୟୁଟର । ହେଲେ ଅଧିକାଂଶ ଲୋକ ତାଳପତ୍ରରେ ଲେଖନୀର ଜାତକକୁ ଅଦ୍ୟାବଧି ଅଧିକ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ଏବେ ମଧ୍ୟ ଅନେକ ଜାଗାରେ ତାଳପତ୍ରର ପୋଥି ଘରେ ଘରେ ରଖାଯାଇଥିବା ଜଣାପଡିଛି । ଗାଁ ଗହଳିରେ ତାଳପତ୍ର ଓ ଲେଖନୀ ସାହଯ୍ୟରେ ବର୍ତ୍ତମାନ ବି କିଛି ମାତ୍ରାରେ ତାଳପତ୍ର ସାହାଯ୍ୟରେ ଜାତକ ପ୍ରସ୍ତୁତ କରାଯାଉଛି । ଜାତକରୁ ଜଣେ ବ୍ୟକ୍ତିଙ୍କ କଣ ଗ୍ରହ ଦୋଷ ରହିଛି, ଗ୍ରହ ଚଳନ ସ୍ଥିତି କିପରି ରହିଛି, ତିଥି ନକ୍ଷତ୍ର ଚଳନକୁ ଦେଖି ତାର ଭବିଷ୍ୟତ ସଂପର୍କରେ ଜ୍ୟୋତିଷମାନଙ୍କୁ ପଚାରି ବୁଝିଥାଏ । କାଗଜରେ ପ୍ରସ୍ତୁତ ଜାତକ କିଛି ବର୍ଷ ପରେ ନଷ୍ଟ ହେବାର ସମ୍ଭାବନା ଥିବା ବେଳେ ତାଳପତ୍ରରେ ପ୍ରସ୍ତୁତ ଜାତକ ଦୀର୍ଘ ଦିନ ସତେଜ ହୋଇ ରହିଥାଏ । ଯେତେବେଳେ ଛାପାକାଳି ନଥିଲା ସେହି ସମୟରେ ତାଳପତ୍ର ଲେଖନୀ ମୁନିରେ ଖୋଦେଇ କରି ବହୁ ପ୍ରାଚୀନ ଗ୍ରନ୍ଥ ଓ ଶାସ୍ତ୍ର ଲେଖାଯାଇଛି । ଏହାର ସଂରକ୍ଷଣ ଜରୁରୀ ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଛି । ବର୍ଷ ବର୍ଷ ପ୍ରାଚୀନ ପରମ୍ପରା ଆଧୁନିକତାର ବିଜ୍ଞାନ ଯୁଗରେ ହଜି ନଯାଇ ସେଥିପ୍ରତି ଚିନ୍ତା କରିବାର ଯଥେଷ୍ଟ ଆବଶ୍ୟକତା ରହିଛି । ଗାଁଗହଳିର ଅନେକ ଭାଗବତ ଟୁଙ୍ଗୀରେ ଏବେ ବି ତାଳପତ୍ରରେ ଖୋଦିତ ଗ୍ରନ୍ଥ ରହିଛି । ଏହାକୁ ମଧ୍ୟ ପୂଜାର୍ଚ୍ଚନା କରାଯାଉଥିଲା ବେଳେ ଏଥିରେ ବହୁ ମୂଲ୍ୟବାନ୍‍ ତଥ୍ୟ ରହିଛି । ରାଜ୍ୟ ସରକାର ତାଳପତ୍ର ଓ ଜାତକ ପୋଥି ଗୁଡିକର ସଂରକ୍ଷଣ ପ୍ରତି ଗୁରୁତ୍ୱ ଦେବାକୁ ବିଭିନ୍ନ ମହଲରେ ଦୃଢ ମତ ପ୍ରକାଶ ପାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ