ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ସମସ୍ୟା ଅନେକ ସମାଧାନ ଶୂନ୍ୟ

ବରଗଡ଼, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶାର ତୃତୀୟ ବୃହତ୍ତମ ଯାତ୍ରା ରୂପେ ମାନ୍ୟତା ପାଇଥିବା ବରଗଡ଼ ଧନୁଯାତ୍ରା ଧୀରେ ଧୀରେ ସମଗ୍ର ବିଶ୍ଵ ରେ ଖ୍ୟାତିଲାଭ କରିବା ସହିତ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଲୋକଙ୍କୁ ଆକର୍ଷିତ କରିପାରିଛି। ବରଗଡ଼ ଜିଲ୍ଲା ପ୍ରଶାସନ ଦ୍ଵାରା ଆୟୋଜିତ ଏହି ଏଗାରଦିନ ବ୍ୟାପି ଯାତ୍ରାରେ ଲକ୍ଷ ଲକ୍ଷ ଲୋକଙ୍କ ଜନସମାଗମ ହେଉଥିବା ବେଳେ ଏହାକୁ ପୁରୀ ରଥଯାତ୍ରା ଓ କଟକ ବାଲିଯାତ୍ରା ଭଳି ଆୟୋଜନ କରିବାରେ ଅନେକ ଚେଷ୍ଟା ସତ୍ତ୍ବେ ପ୍ରଶାସନ ସଫଳ ହୋଇପାରିନାହିଁ। ପ୍ରଥମତଃ, ସହରର ଜନଗହଳି ଅଞ୍ଚଳରେ ଏହିଭଳି ଏକ ବୃହତ୍ ଯାତ୍ରା ଆୟୋଜନ କରି ଏକ ବଡ ବିପଦକୁ ଆହ୍ବାନ କରାଯାଉଛି। କୌଣସି କାରଣବଶତଃ, ଯଦି କିଛି ଦଳାଚକଟା ବା ଅଗ୍ନିକାଣ୍ଡ ଘଟିଯାଏ, ଶହଶହ ଲୋକଙ୍କ ଆହତ/ ମୃତାହତ ହେବାର ସମ୍ଭାବନା ରହିଛି । ସୌଭାଗ୍ୟବଶତଃ, ଏହି ଯାତ୍ରାରେ ଆଜି ପର୍ଯ୍ୟନ୍ତ କିଛି ସେଭଳି ଅଘଟଣ ଘଟିନାହିଁ। କିନ୍ତୁ, ପ୍ରବଳଭିଡ଼ର ସୁଯୋଗ ନେଇ ଦୁର୍ବୃତ୍ତମାନଙ୍କ ଦ୍ଵାରା ପକେଟମାର, ସୁନା ଅଳଙ୍କାର ଲୁଟ, ମହିଳାମାନଙ୍କୁ ଦୁର୍ବ୍ୟବହାର ନିୟନ୍ତ୍ରଣ ବାହାରେ। ଅସାମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ ଯୋଗୁଁ ମହିଳାମାନେ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି। ପୋଲିସ ମୁଖ୍ୟରାସ୍ତାରେ ଟ୍ରାଫିକ ନିୟନ୍ତ୍ରଣ କରିବାରେ ବ୍ୟସ୍ତ; କିନ୍ତୁ ଯାତ୍ରାସଂଲଗ୍ନ ଅଣଓସାରିଆ ରାସ୍ତାରେ- ମୀନାବଜାରକୁ ଯାଉଥିବା ଜର୍ଜ ହାଇସ୍କୁଲ ରାସ୍ତା, ମହାରାଜ ହୋଟେଲ ରାସ୍ତା, ଶିବାନନ୍ଦ ନଗର ରାସ୍ତା ଇତ୍ୟାଦି; ରାଜଦରବାରକୁ ଯାଉଥିବା ପିପଲାନି ହୋଟେଲ ରାସ୍ତା,ଲେଙ୍ଗୁମିଶ୍ର ଛକ ଠାରୁ ଉମାଟକିଜ ରାସ୍ତା ଇତ୍ୟାଦି, ରଙ୍ଗମହଲକୁ ଯାଉଥିବା ମିନି ଷ୍ଟାଡିୟମ ରାସ୍ତା,କାଳୀ ମନ୍ଦିର ରାସ୍ତା,ବସଷ୍ଟାଣ୍ଡ ରାସ୍ତା ଇତ୍ୟାଦି ଉପଯୁକ୍ତ ଯୋଜନା ଅଭାବରୁ ଟ୍ରାଫିକ ସମସ୍ୟା ନିୟନ୍ତ୍ରଣ ବାହାରେ । ଏହି ଅଣଓସାରିଆ ରାସ୍ତାଗୁଡ଼ିକ, ଏହି ବିରାଟ ଯାତ୍ରା ସମୟର ଲକ୍ଷ ଲକ୍ଷ ଲୋକଙ୍କ ଯାତାୟାତ ସମ୍ଭାଳିବାକୁ ଅସମର୍ଥ ମନେ ହେଉଛନ୍ତି। ତେଣୁ, ଯାତ୍ରା ସମୟରେ ୱାନ-ୱେ ସିଷ୍ଟମ ହିଁ ଏହି ଭଳି ସରୁ ରାସ୍ତାରେ ଟ୍ରାଫିକ ନିୟନ୍ତ୍ରଣ କରିବାର ଏକମାତ୍ର ପନ୍ଥା।ଦ୍ଵିତୀୟତଃ, ଏହି ଯାତ୍ରା ସହର ଭିତରେ ହେଉଥିବାରୁ ଯାତ୍ରାସ୍ଥଳ ନିକଟସ୍ଥ ଜନବସତିର ଲୋକେ ବିଶେଷ ପ୍ରଭାବିତ ହେଉଛନ୍ତି। ଉଦାହରଣ ରୂପେ ହାଟପଦା ଅଞ୍ଚଳ କିମ୍ବା ଜର୍ଜ ହାଇସ୍କୁଲ ପଡିଆ ନିକଟସ୍ଥ ରାଧାରାଣୀ ବିହାରକୁ (ବ୍ରହ୍ମକୁମାରୀ ଆଶ୍ରମ ଗଳି) ନିଆଯାଉ। ଏଠାରେ ପ୍ରାୟ ୮୦/୧୦୦ ପରିବାର ବାସ କରୁଛନ୍ତି। ଏମାନଙ୍କର ମୁଖ୍ୟ ଓସାରିଆ ରାସ୍ତା ହେଉଛି, ପଡିଆର ପ୍ରଥମ ଗେଟ୍ ସଂଲଗ୍ନ ଜର୍ଜ ହାଇସ୍କୁଲ ରାସ୍ତା। ଏହି ପଡ଼ିଆରେ ଯାତ୍ରାର ମୁଖ୍ୟ ଆକର୍ଷଣ ମୀନାବଜାର ହେଉ ଥିବାରୁ ଲୋକାରଣ୍ୟ ହୋଇଥାଏ। ଅନୁମତି ପତ୍ର ନ ଥିଲେ ନିଜ ଘରକୁ ମଧ୍ୟ ଯିବା ମନା। ଆଉ ଅନୁମତି ପତ୍ର ଥିଲେ ମଧ୍ୟ ଯାତ୍ରା ଦିନ ଗୁଡ଼ିକରେ ଅସମ୍ଭାଳ ଭିଡ ଯୋଗୁଁ ନିଜ କାର୍ଯ୍ୟସ୍ଥଳରୁ ଘରକୁ ଆସିବା ସମ୍ଭବ ହୋଇନଥାଏ। କୌଣସି ବ୍ୟକ୍ତି ଅସୁସ୍ଥ ହେଲେ ଆମ୍ବୁଲାନ୍ସ ପ୍ରବେଶ କରିବା ଅସମ୍ଭବ। ଏହି ଅଞ୍ଚଳକୁ ଆସୁଥିବା ପ୍ରବେଶ ପଥରେ ଯଥେଷ୍ଟ ଆଲୋକ ସୁବିଧା ନ ଥିବା ହେତୁ ଲୋକେ ମଳମୂତ୍ର ତ୍ୟାଗ କରି ଉକ୍ତ ସ୍ଥାନକୁ ଅପରିଚ୍ଛନ୍ନ କରି ପକାଉଛନ୍ତି । ଉକ୍ତ ଦିନ ମାନଙ୍କରେ ଏହି ଅଞ୍ଚଳବାସୀ ସମସ୍ୟା ଜର୍ଜରିତ ଅବସ୍ଥାରେ ସମୟ କାଟିଥାନ୍ତି। ଅପେକ୍ଷା କରିଥାନ୍ତି, କେବେ ଧନୁଯାତ୍ରା ସରିବ ! ପ୍ରଶାସନ ଏଥି ଉପରେ ଦୃଷ୍ଟି ଦେଉନାହାନ୍ତି।ପୁନଶ୍ଚ ହାଟପଦା ନିକଟସ୍ଥ ମନାବନ୍ଧ,ଅମ୍ବାପାଲି ଫକିରା ବନ୍ଧ ଆଦି ପୁଷ୍କରିଣୀ ଗୁଡ଼ିକ ଧନୁଯାତ୍ରା ସମୟରେ ପବିତ୍ର ପୁଷ୍କରିଣୀ ର ମାନ୍ୟତା ପାଇ ଏବେ ଅପବିତ୍ର ଭାବେ ପଡିରହିଛି ! ମନା ବନ୍ଦ ରେ ରାଧାକୃଷ୍ଣ ଙ୍କ ନାବକେଳୀ ହେଉଥିବା ବେଳେ ଫକିରା ବନ୍ଧ ରେ କାଳୀୟଦଳନ ଅନୁଷ୍ଠିତ ହୋଇଥାଏ !ଏକ ନିର୍ଦ୍ଦିଷ୍ଟ ସୁଚିନ୍ତିତ ଯୋଜନା ଅନୁଯାୟୀ ଏହି ବିରାଟ ମହୋତ୍ସବ ଆୟୋଜିତ ହେଲେ ଏହାକୁ ବରଗଡ଼ବାସୀ ତଥା ବାହାରୁ ଆସୁଥିବା ପର୍ଯ୍ୟଟକମାନେ ଆନନ୍ଦର ସହିତ ଉପଭୋଗ କରିପାରିବେ ତଥା ସ୍ଥାନୀୟ ଓ ଦୂରଦୁରାନ୍ତରୁ ବେପାର କରିବା ପାଇଁ ଆସିଥିବା ଲୋକେ କିଛି ଉପାର୍ଜନ କରିପାରିବେ। ଫଳରେ ଏହି ଯାତ୍ରା ଆହୁରି ପ୍ରସିଦ୍ଧି ଲାଭ କରିପାରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ