ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ଆନୁକୂଲ୍ୟରେ ସଭାଗୃହ ପରିସରରେ ଗୁରୁବାର ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ପାଳିତ ହୋଇଛି। ଉପଖଣ୍ଡ ଚିକିତ୍ସାଳୟ ଅଧୀକ୍ଷକ ତଥା ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଶ୍ରୀକାନ୍ତ ସାହୁଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ତାଲୁକା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ସବ ଜର୍ଜ ଅବକାଶ ଚୌଧୁରୀ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ଅଧ୍ୟକ୍ଷ ଶ୍ରୀ ଚୌଧୁରୀ ସାମ୍ପ୍ରତିକ ପରିସ୍ଥିତିରେ କର୍ମ କ୍ଷେତ୍ରରେ କାର୍ଯ୍ୟରତ ବିଭିନ୍ନ ବ୍ୟକ୍ତିବିଶେଷ ପ୍ରାୟତଃ ମାନସିକ,ପାରିବାରିକ, ଆର୍ଥିକ କିମ୍ବା ଶାରୀରିକ ଭାବେ ଚାପଗ୍ରସ୍ତ ପରିସ୍ଥିତର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ ସେମାନଙ୍କ କାର୍ଯ୍ୟ ଦକ୍ଷତା ସଠିକ ଭାବେ ପ୍ରତିପାଦିତ ହେବାରେ ଅନ୍ତରାୟ ସୃଷ୍ଟି ହୋଇଥାଏ। ଏଥିପାଇଁ ମାନସିକ ସ୍ଥିରତା ବଜାୟ ରଖିବା ପାଇଁ ପ୍ରତ୍ୟେକ ଦିନ ବ୍ୟାୟାମ,ଯୋଗ, ପ୍ରାଣାୟମ, ପୋଷଣ ଯୁକ୍ତ ସୁଷମ ଖାଦ୍ୟ ଭୋଜନ, ଉତ୍ତମ ନିଦ୍ରା, ପ୍ରଚୁର ଜଳପାନ କରିବା, କର୍ମ ସ୍ଥଳରୁ କିଛି ଦିନ ପାଇଁ ନିବୃତ୍ତ ରହି ମନ ପସନ୍ଦ ସ୍ଥାନରେ ଚିତ୍ତ ବିନୋଦନ କରିବା ସହ ଆଧ୍ୟାତ୍ମିକ ସଙ୍ଗୀତ ଆଦି ଉପଯୋଗ କରି ଅବସାଦ ଲାଘବ କରିବା ପାଇଁ ପ୍ରଚେଷ୍ଟା ଜାରି ରଖିବାକୁ ପରାମର୍ଶ ଦେଇଥିଲେ। ଅଧୀକ୍ଷକ ଡାକ୍ତର ସାହୁ ମାନସିକ ସମସ୍ୟା ସମ୍ପର୍କିତ କୌଣସି ସହାୟତା ପାଇଁ ଟେଲି ମାନସ (୨୪x୭) ର ନିଃଶୁଳ୍କ ନମ୍ୱର ୧୪୪୧୬ ରେ ଯୋଗାଯୋଗ କରିବା ପାଇଁ ଉପସ୍ଥିତ ବ୍ୟକ୍ତିଙ୍କୁ ସୂଚନା ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଡ଼ାକ୍ତର ମାଧବ ଚନ୍ଦ୍ର ସାହୁ, ଡ଼ାକ୍ତର ସନ୍ତୋଷ ଷଡ଼ଙ୍ଗୀ,ଡାକ୍ତର ପ୍ରିୟଙ୍କା ଚୌଧୁରୀ,ଡାକ୍ତର ସ୍ଵୟଂଭୂ ପ୍ରସାଦ ରାଏ, ଡ଼ାକ୍ତର ମନସ୍ଵିନୀ ମିଶ୍ର, ଡ଼ାକ୍ତର ଶୁଭସ୍ମିତା ପାଣିଗ୍ରାହୀ,ଓକିଲ ସଂଘ ସମ୍ପାଦକ ଶାନ୍ତନୁ ପୋଲେଇ, ସଭାପତି ଦ୍ଵୀତିକୃଷ୍ଣ ସାବତ, ନିରଞ୍ଜନ ସାହୁ, ମହେନ୍ଦ୍ର କୁମାର ପାତ୍ର,ପ୍ରମୋଦ କୁମାର ଦଳାଇ, ରାମଚନ୍ଦ୍ର ମହାପାତ୍ର, ମହେଶ୍ୱତା ପାତ୍ର,ଫାର୍ମାସିଷ୍ଟ କାର୍ତ୍ତିକ ସାହୁ, ସାଗର ସାହୁ, ରଜତ ସେଠୀଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।