ବି.ଏମ.ସିରେ ଅନିୟମିତତା ଓ ଦୁର୍ନୀତିର ଗନ୍ଧ ବାରିହେଉଛି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭୁବନେଶ୍ୱରକୁ ସବୁଜ ସୁନ୍ଦର ରଖିବା ପାଇଁ ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟ କରିବା କଥା । କିନ୍ତୁ ଅତ୍ୟନ୍ତ ଦଃଖ ଓ ପରିତାପର ବିଷୟ ବି.ଏମ.ସି ଅଧିକାରୀମାନଙ୍କର ମେରୀରାୟ ନୀତି ଓ ବିଭିନ୍ନ କମ୍ପାନୀ ମାନଙ୍କ ସହିତ ମନ୍ଦୁଚନ୍ଦ୍ରିକା କାରଣରୁ ବି.ଏମ.ସି ଦିନକୁ ଦିନ ଅନିୟମିତତା ଓ ଦୁର୍ନୀତିର ଅଳିଆ ଗଦା ମଧ୍ୟକୁୁ ଟାଣି ହୋଇଯାଉଛି । ଏ ସଂକ୍ରାନ୍ତୀୟ ହସ୍ତଗତ ହୋଇଥିବା କିଛି ତଥ୍ୟ ଆମ୍ଭେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ଗଠିତ ରାଜନୈତିକ ଦଳ ‘ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ୍‌’ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ ଉପସ୍ଥାପନା କରୁଛୁ । ଦୀର୍ଘବର୍ଷ ଧରି ବି.ଏମ.ସି.କୁ ସ୍ୱଚ୍ଛ ରଖିବା ପାଇଁ କାର୍ଯ୍ୟରତ ସଫେଇ କର୍ମଚାରୀ, ସଫେଇ ମିତ୍ର ଓ ସ୍ୱଚ୍ଛ ସାଥି ଓ ଅନ୍ୟାନ୍ୟ ଅସ୍ଥାୟୀ କର୍ମଚାରୀମାନେ ନିଜର ଶ୍ରମଶକ୍ତିକୁ ନିୟୋଜିତ କରି ଆସୁଛନ୍ତି । ଭୁବନେଶ୍ୱର ସହରକୁ ସ୍ୱଚ୍ଛ ସୁନ୍ଦର ରଖି ଆସୁଥିବା ଏହି କର୍ମଚାରୀମାନଙ୍କୁ ଦୀର୍ଘବର୍ଷ ମଧ୍ୟରେ ବି.ଏମ.ସି ପକ୍ଷରୁ ସର୍ବନିମ୍ନ ମଜୁରୀ ପ୍ରଦାନ ସମେତ ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରଦାନ କରିବା ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାରେ ବି.ଏମ.ସି ଅଧିକାରୀମାନେ ବିଫଳ ହୋଇଛନ୍ତି । ଏଭଳି ସ୍ଥଳେ ଅତ୍ୟନ୍ତ ତରବରିଆ ଭାବରେ ଗତ ଜୁଲାଇ ଶେଷ ସପ୍ତାହରେ ବି.ଏମ.ସି. କର୍ତ୍ତୃପକ୍ଷ ଏକ ଟେଣ୍ଡର ଆବେଦନ କରିଥିଲେ । ଏହି ଟେଣ୍ଡର ପ୍ରକ୍ରିୟାରେ ଯେଉଁମାନେ ସାମିଲ ହେଲେ ସେମାନଙ୍କ ମଧ୍ୟରୁ ସେରାବାଲି ଇନ୍‌ଫ୍ରାଷ୍ଟ୍ରକ୍‌ଚର ପ୍ରାଇଭେଟ ଲିମିଟେଡ କମ୍ପାନୀ ସହ ଗତ ୨୭ ସେପ୍ଟେମ୍ବର ୨୦୨୪ରିଖରେ ସଫେଇ କାର୍ଯ୍ୟରେ ନିୟେଜିତ ଗାଡ଼ି ଓ ମାନବ ସମ୍ବଳ ଯୋଗାଇବା ପାଇଁ ଏକ ଚୁକ୍ତିନାମା ବି.ଏମ.ସି ଅଧିକାରୀମାନଙ୍କ ଦ୍ୱାରା ସ୍ୱାକ୍ଷରିତ ହୋଇଛି । ରାଜ୍ୟ ସରକାରଙ୍କ ସର୍ବନିମ୍ନ ମଜୁରୀ ସଂକ୍ରନ୍ତୀୟ ନିର୍ଦ୍ଦେଶନାମାକୁ ଉଲଙ୍ଘନ କରାଯାଇ ଏଭଳି ଚୁକ୍ତିନାମା ବି.ଏମ.ସି ଅଧିକାରୀମାନେ ସ୍ୱାକ୍ଷର କରିଥିବା ଆମ୍ଭେ ଅନୁସନ୍ଧାନରୁ ଜାଣିବାକୁ ପାଇଛୁ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଅଣକୁଶଳୀ ଶ୍ରମିକମାନଙ୍କୁ ଦୈନିକ ସର୍ବନିମ୍ନ ୪୫୦ ଟଙ୍କା ମଜୁରି ପ୍ରଦାନ ପାଇଁ ସ୍ଥିର କରାଯାଇଥିଲା ବେଳେ ଏହି କମ୍ପାନୀକୁ ଅଣକୁଶଳୀ ଶ୍ରମିକମାନଙ୍କ ଦୈନିକ ମଜୁରି ବାବଦରେ ୫୫୦ ଟଙ୍କା ଲେଖାଏଁ ପ୍ରଦାନ ପାଇଁ ବି.ଏମ.ସି ଅଧିକାରୀମାନେ ଚୁକ୍ତିନାମାରେ ଦସ୍ତଖତ କରିଛନ୍ତି । ଅନୁରୂପ ଭାବରେ ଅର୍ଦ୍ଧକୁଶଳୀମାନଙ୍କ ପାଇଁ ୫୫୦ ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ ଏହି ଚୁକ୍ତିନାମାରେ ଦୈନିକ ୬୫୦ ଟଙ୍କା ଲେଖାଏଁ ଉକ୍ତ କମ୍ପାନୀକୁ ପ୍ରଦାନ କରାଯିବା ପାଇଁ ବି.ଏମ.ସି ପକ୍ଷରୁ ଦର୍ଶାଯାଇଛି । ଯାହା ସରକାରୀ ଧାର୍ଯ୍ୟ ସର୍ବନିମ୍ନ ଦୈନିକ ମଜୁରି ଠାରୁ ପ୍ରାୟ ୧୦୦ ଟଙ୍କା ଲେଖାଏଁ ଅଧିକ । ଏହା ନଜରକୁ ଆସିବା ପରେ ବି.ଏମ.ସି କର୍ତ୍ତୃପକ୍ଷଙ୍କ ଦ୍ୱାରା ହୋଇଥିବା ଚୁକ୍ତିନାମା ପଛରେ ଉକ୍ତ କମ୍ପାନୀ କର୍ତ୍ତୃପକ୍ଷ ଏବଂ ବି.ଏମ.ସି ଅଧିକାରୀମାନଙ୍କ ମଧୁଚନ୍ଦ୍ରିକା ସ୍ପଷ୍ଟ ଅନୁମେୟ । ବି.ଏମ.ସି କର୍ତ୍ତୃପକ୍ଷ ଏଭଳି ପାତର ଅନ୍ତର ଚୁକ୍ତିନାମାରୁ ଓହରିଯାଇ ବି.ଏମ.ସି ସଫେଇ କାର୍ଯ୍ୟରେ ନିୟୋଜିତ ସଫେଇ କର୍ମଚାରୀ, ସଫେଇ ମିତ୍ର ଓ ସ୍ୱଚ୍ଛସାଥିଙ୍କ ସମେତ ଅନ୍ୟାନ୍ୟ ଶ୍ରମିକ ମାନଙ୍କୁ ସମାନ କାମକୁ ସମାନ ଦରମା ପ୍ରଦାନ ପାଇଁ ଆମ୍ଭେ ଏହି ସାମ୍ବାଦିକ ସମ୍ମଳନୀରେ ଦାବୀ କରୁଛୁ । ଉକ୍ତ ଚୁକ୍ତିନାମାରେ ସଫେଇ କାର୍ଯ୍ୟରେ ନିୟୋଜିତ ଗାଡ଼ିଭଡ଼ା ବାବଦକୁ ବର୍ତ୍ତମାନ ପ୍ରଦାନ କରାଯାଉଥିବା ଦୈନିକ ପାଉଣା ଠାରୁ ପ୍ରାୟ ତିନି ଗୁଣା ଅଧିକ ହାରରେ ଭଡ଼ା ପ୍ରଦାନ ପାଇଁ ଚୁକ୍ତିନାମା କାରାଯାଇଛି । ଯାହା ବର୍ତ୍ତମାନ ପ୍ରଦାନ କରାଯାଉଥିବା ଗାଡ଼ିଭଡ଼ା ଠାରୁ ଢେର ଅଧିକ ହୋଇଥିବାରୁ ଏଥିରେ ମଧ୍ୟ ଦୁର୍ନୀତିର ଗନ୍ଧ ବାରି ହେଉଛି । ଏକ ନିର୍ଦ୍ଧିଷ୍ଟ କମ୍ପାନୀ ସହିତ ବି.ଏମ.ସିର କି ମଧୁଚନ୍ଦ୍ରିକା ରହିଛି ତାହା ଅନୁସନ୍ଧାନ ସାପେକ୍ଷ । ବି.ଏମ.ସି ବିଭିନ୍ନ କମ୍ପାନୀ ଓ କଣ୍ଟ୍ରାକ୍ଟରମାନଙ୍କୁ ସେମାନଙ୍କର ନିର୍ଦ୍ଦିଷ୍ଟ ସେବା ପାଇଁ ପ୍ରଦାନ କରୁଥିବା ଅର୍ଥରାଶି ସାଧାରଣ ଜନତାଙ୍କର ଟିକସ ପଇସା ହୋଇଥିବାରୁ ଏହି ପଇସାର ବାଟମାରଣାକୁ ରୋକାଯିବା ପାଇଁ ସମସ୍ତସ୍ତରରେ ଉଦ୍ୟମ ହେବା ଆବଶ୍ୟକ । ଏହାକୁ ବିଚାରକୁ ନେଇ ରାଜ୍ୟ ସରକାର ବି.ଏମ.ସିରେ ହେଉଥିବା ଏଭଳି ସମସ୍ତ ଅନିୟମିତତା, ବାଟମାରଣା ଓ ଦୁର୍ନୀତିର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେବାକୁ ଫରୱାର୍ଡ଼ ବ୍ଲକ ଦାବି କରିଛି । ଏଥିରେ ସମ୍ପୃକ୍ତ ବରିଷ୍ଠ ଅଧିକାରୀମାନଙ୍କ ବିରୁଦ୍ଧରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ୍‌ର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର ଦାବି କରିଛନ୍ତି । ଗତ କିଛିଦିନ ଧରି ମହାନଗର ନିଗମ ପରିଷଦ ବୈଠକରେ ଆଲୋଚନା ନ ହୋଇ କୋଟି କୋଟି ଟଙ୍କାର କମ୍ପୁଟର ଓ ଅନ୍ୟାନ୍ୟ ଆସବାବ ପତ୍ର କିଣାରେ ବାଟମାରଣା ଠାରୁ ଆରମ୍ଭ କରି ବିନା ୱାର୍କଅର୍ଡ଼ରରେ ସଫେଇ କାମ କରିବାକୁ ବିଭିନ୍ନ ସଂସ୍ଥାମାନଙ୍କୁ ନିୟୋଜିତ କରାଯିବା ଫଳରେ ବି.ଏମ.ସି ଅଧିନସ୍ଥ ଟି.ଟି.ଏସ୍‌.ରେ ମଧ୍ୟ ସଠିକ ଭାବରେ କାର୍ଯ୍ୟ ସମ୍ପାଦନ ହୋଇପାରୁନାହିଁ । ଫଳରେ ଆଖପାଖ ଅଞ୍ଚଳ ଦୁର୍ଗନ୍ଧମୟ ହେବା ସହ ପରିବେଶ ପ୍ରଦୂଷିତ ହେଉଥିବା ଫରୱାର୍ଡ଼ ବ୍ଲକ୍‌ର ଅନୁସନ୍ଧାନରୁ ଜଣାପଡ଼ିଛି । ଦୀର୍ଘବର୍ଷ ଧରି ବି.ଏମ.ସିକୁ ସ୍ୱଚ୍ଛ ଓ ସୁନ୍ଦର କରିବାରେ ନିଜକୁ ଏବଂ ନିଜର ଗାଡ଼ିଗୁଡ଼ିକୁ ନିୟୋଜିତ କରିଥିବା ବେକାର ଯୁବକଯୁବତୀମାନଙ୍କ ଗାଡ଼ି ଗୁଡ଼ିକୁ ବାଦ୍ ଦେଇ ବିଭିନ୍ନ କମ୍ପାନୀମାନଙ୍କୁ ଅହେତୁକ ଅନୁକମ୍ପା ପ୍ରଦାନ ପୂର୍ବକ ସେମାନଙ୍କ ଜରିଆରେ ଚଢା ଦରରେ ଗାଡ଼ି ଓ ଅନ୍ୟାନ୍ୟ ମେସିନ ଭଡ଼ାରେ ନେବାକୁ ବି.ଏମ.ସି କର୍ତ୍ତୃପକ୍ଷ ଉଦ୍ୟମ ଚଳାଇଥିବା ଜଣାପଡ଼ିଛି । ଯାହା କାର୍ଯ୍ୟକାରୀ ହେଲେ ଏହି କାର୍ଯ୍ୟରେ ନିୟୋଜିତ ବହୁ ଯୁବକଯୁବତୀମାନେ ରୋଜଗାର ହରାଇ ବେସାହାର ହୋଇପଡ଼ିବେ । ତାହାକୁ ଦୃଷ୍ଟିରେ ରଖି ବିଏମ୍‌ସି କର୍ତ୍ତୃପକ୍ଷ ନିଜର ଏଭଳି ଝିଣ୍ଟିକା ମାରି ବଣି ପୋଷିବା ନୀତିରୁ ନିବୃତ୍ତ ରହିବାକୁ ଏହି ସାମ୍ବାଦିକ ସମ୍ମିଳନୀରେ ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍‌ର ରାଜ୍ୟ ସଭାପତି ପୂର୍ଣ୍ଣଚନ୍ଦ୍ର ପାଢୀ, ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର, ଭୁବନେଶ୍ୱର ଜିଲ୍ଲା କମିଟିର ସମ୍ପାଦିକା ଲକ୍ଷ୍ମୀ ଦୋରା ପ୍ରମୁଖ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ