ବୋମାମାଡ଼ ଏବଂ କାର ଜାଳି ଦେବା ଘଟଣାରେ  ୪ ଅପରାଧି ଗିରଫ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ଓ ଦିଗପହଣ୍ଡି ଅଞ୍ଚଳରେ ଗତ କିଛିଦିନ ହେଲା ଆତଙ୍କ ଚଳାଇଥିବା ଅପରାଧି ଗ୍ୟାଙ୍ଗର ୪ ପେସାଦାର ଅପରାଧିଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି। ସୋମବାର ସମସ୍ତ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।ଗିରଫ ଅଭିଯୁକ୍ତ ମାନେ ହେଲେ ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ହଳଦିଆ ପଦର ଗ୍ରାମରେ ରହୁଥିବା କେନ୍ଦ୍ରାପଡ଼ା ଜିଲା ରାଜନଗର ଥାନା ଚନ୍ଦନ ପୁର ଗ୍ରାମର ଶୁଭେନ୍ଦୁ କୁମାର ନାୟକ,ବ୍ରହ୍ମପୁର ସଦର ଥାନା ବାଲିପଡ଼ା  ଗ୍ରାମର ବିକାଶ ବିଷୋୟୀ, ଗୋଳନ୍ଥରା ଥାନା ହଳଦିଆପଦର ଗ୍ରାମର ଚନ୍ଦନ କୁମାର ସେଠୀ ଏବଂ ବ୍ରହ୍ମପୁର ନିମଖଣ୍ଡି ଥାନା ବ୍ରଜନଗର ୨ ୟ ଲେନ ରେ ରହୁଥିବା ବ୍ରହ୍ମପୁର ସଦର ଥାନା ଲାଠି ଗ୍ରାମର ଶୁଭମ ରାଉଳ। ଥାନା ମାମଲା ନଂ.୪୨୩/୨୪ ଅନୁଯାୟୀ ସେମାନଙ୍କୁ ଗିରଫ କରାଯାଇଥିବା ତଦନ୍ତକାରୀ ଅଧିକାରୀ ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଏକ ପ୍ରେସ ରିଲିଜ ରେ ପ୍ରକାଶ କରିଛନ୍ତି। ଗତ ୨୮ ତାରିଖ ରାତି ପ୍ରାୟ ୧୨ ଟାରେ ଏକ ବାଲେନୋ କାର (ନଂ. ଓଡ଼ି ୦୭ ଏ ଡ଼ବ୍ଲ୍ୟୁ – ୪୪୮୨) ଏବଂ ଏକ ଧଳା ରଙ୍ଗର ସ୍ଵିଫ୍ଟ୍ ଡିଯାଏର କାର (ନଂ. ଓଡ଼ି ୦୨ ସିୟୁ -୬୬୫୯) ଯୋଗେ ବ୍ରହ୍ମପୁର ସଦର ଥାନା ଦକ୍ଷିଣପୁର ଗ୍ରାମର ଗ୍ୟାଙ୍ଗ ଲିଡର ସନ୍ତୋଷ ଗୌଡ଼, ଅଜିତ ଓରଫ ବଳିଆ ସେଠୀ, କାହ୍ନା ସେଠୀ,ପପୁ ଲେଙ୍କା,ନନ୍ଦନ ବେହେରା, ରାକେଶ ସାହୁ,କାଳିଆ ସେଠୀ, ଜଗନ ସେଠୀ,ଚନ୍ଦନ ମହାନ୍ତି, ଶୁଭେନ୍ଦୁ କୁମାର ନାୟକ,ଚନ୍ଦନ କୁମାର ସେଠୀ, ବିକାଶ ବିଷୋୟୀ,ଶୁଭମ ରାଉଳ  ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗ୍ରାମର ଗାଡ଼ି ଚାଳକ ଧନୁ ଗୌଡ଼ ଙ୍କ ଘର ସମ୍ମୁଖରେ ପହଞ୍ଚି ତାଙ୍କୁ ହତ୍ୟା ଧମକ ଦେବାସହ ବୋମାମାଡ଼ କରି  କିଛି ସାମଗ୍ରୀ ପୋଡ଼ିଦେଇଥିଲେ।ପରେ ତାଙ୍କ ପୁଅ ଙ୍କ ଦୋକାନ ସମ୍ମୁଖରେ ଥିବା ଏବଂ ସେ ଚଳାଉଥିବା ମହିନ୍ଦ୍ରା ଏକ୍ସୟୁଭି ୫୦୦ କାର (ନଂ. ଓଡ଼ି ୦୫ ଏଏକ୍ସ – ୪୧୬୫) କୁ ପେଟ୍ରୋଲ ଢ଼ାଳି ଜାଳି ଦେଇଥିଲେ।ପରେ ତାଙ୍କର ଏକ ଟିଭିଏସ ଆପାଚେ ବାଇକ କୁ ଜାଳି ଦେବା ପାଇଁ ଉଦ୍ୟମ କରିଥିଲେ କିନ୍ତୁ ସେଥିରେ ସଫଳ ହୋଇନଥିଲେ। ସମସ୍ତ ଅଭିଯୁକ୍ତ ୨ ଟି କାର ରେ ରାୟଗଡ଼ା ରାସ୍ତା ରେ ଫେରାର ହୋଇଯାଇଥିଲେ। ରବିବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ  ଦିଗପହଣ୍ଡି ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ସଦଳବଳେ ପାଟ୍ରୋଲିଂ କରୁଥିବା ବେଳେ କେ.ନୂଆଗାଁ ଥାନା ଦେଓଖାଳି ଗ୍ରାମରୁ କିଛି ଅଭିଯୁକ୍ତ ଏକ ବଡ଼ ଧରଣର ଅପରାଧ ଘଟାଇବା ପାଇଁ ବାଲେନୋ କାର ରେ ଦିଗପହଣ୍ଡି ଆସୁଥିବା ଖବର ପାଇଥିଲେ।ପଦ୍ମନାଭପୁର ନିକଟରେ ପୋଲିସ ଟିମ୍ କାର କୁ ଅଟକାଇ ଖାନ ତଲାସ କରିବାରୁ ଅଭିଯୁକ୍ତ ମାନେ ପୋଲିସ ଟିମ୍ କୁ ଆକ୍ରମଣ କରି ଖସି ପଳାଇବାକୁ ଉଦ୍ୟମ କରିଥିଲେ।କିନ୍ତୁ ପୋଲିସ ଟିମ୍ ୪ ଅଭିଯୁକ୍ତ ଙ୍କୁ ଗିରଫ କରି କାର ସହ ଥାନାକୁ ଉଠାଇ ଆଣିଥିଲେ। କାର ମଧ୍ୟରୁ ୨ ଟି ଖଣ୍ଡା,ଗୋଟିଏ ଲୁହା ଛଡ଼,ଏକ ଖେଳଣା ବନ୍ଧୁକ ଏବଂ ୫ ଟି ମୋବାଇଲ ଫୋନ୍ ମିଳିଥିଲା। ଅଭିଯୁକ୍ତ ମାନେ ବୋମାମାଡ଼ ଏବଂ କାର ପୋଡି ଘଟଣାରେ ସମ୍ପୃକ୍ତ ଥିବା ସହ ଗତ ୨୬ ତାରିଖ ସନ୍ଧ୍ୟାରେ ଦିଗପହଣ୍ଡି ସହରରେ ଘଟିଥିବା ବୋମାମାଡ଼ ଘଟଣାରେ ସେମାନେ ସାମିଲ ଥିଲେ ବୋଲି ପୋଲିସ ନିକଟରେ ସ୍ବୀକାର କରିଥିଲେ। ଦିଗପହଣ୍ଡି ର ରାଜୁ ପାତ୍ର ଏବଂ ଦକ୍ଷିଣପୁର ଗ୍ରାମର ସନ୍ତୋଷ ଗୌଡ଼ ୨ ଜଣ ଭିନ୍ନ ଅପରାଧି ଗୋଷ୍ଠୀର ଗ୍ୟାଙ୍ଗ ଲିଡର । ସେମାନେ ସେମାନଙ୍କ ଅପରାଧ ସାମ୍ରାଜ୍ୟ କୁ ବିସ୍ତାର ପାଇଁ ବିଭିନ୍ନ ଅଞ୍ଚଳର ଅପରାଧି ମାନଙ୍କ ସହ ଯୋଗସୂତ୍ର ରଖି ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାସହ ଆବଶ୍ୟକ ସମୟରେ ସେମାନଙ୍କୁ ବ୍ୟବହାର କରିଥାନ୍ତି। ଜଳି ଯାଇଥିବା ମହିନ୍ଦ୍ର ଏକ୍ସୟୁଭି କାର କୁ ପାଖରେ ରଖିଥିବା ପାଟପୁର ଥାନା କଂସାମାରି ଗ୍ରାମର ମୁନା ଦୋରା ଙ୍କ ସାଙ୍ଗ ହେଲେ ରାଜୁ ପାତ୍ର। ସେ ତାଙ୍କୁ ବିଭିନ୍ନ ସମୟରେ କାର ଦେଉଥିବାରୁ ଅନ୍ୟ ପ୍ରତିପକ୍ଷ ଗୋଷ୍ଠୀର ଅପରାଧି ମାନେ କ୍ଷୁବ୍ଧ ଥିଲେ। ଏବଂ ଘଟଣା ଦିନ ରାତିରେ ଆସି କାର ଟିକୁ ପେଟ୍ରୋଲ ଢ଼ାଳି ଜାଳି ଦେଇଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ଆଇଆଇସି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ