ବ୍ରହ୍ମାକୁମାରୀସ୍, ଶାନ୍ତିକୁଣ୍ଡରେ ବିଶ୍ୱ ମଧୁମେହ ଦିବସ ପାଳିତ

ବ୍ରହ୍ମପୁର,(ଅନିଲ କୁମାର):ପ୍ରଜାପ୍ରତି ବ୍ରହ୍ମାକୁମାରୀସ୍ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ଶାନ୍ତିକୁଣ୍ଡରେ ଆଜି ପୂର୍ବାହ୍ନରେ ବିଶ୍ୱ ମଧୁମେହ ଦିବସ ପାଳିତ ହୋଇଯାଇଅଛି। 2024-2026 ବର୍ଷ ପାଇଁ ମଧୁମେହ ଦିବସର ଥିମ ବା ପ୍ରସଙ୍ଗ ରଖାଯାଇଅଛି- ‘ମଧୁମେହ ଓ ସୁସ୍ଥତା’। ମଧୁମେହ ଚିକିତ୍ସାରେ ସୁସ୍ଥ ଜୀବନ ଉପରେ ଧ୍ୟାନ ଦେବା ତଥା ଜନସାଧାରଣଙ୍କୁ ସେମାନଙ୍କଠାରେ ଉତ୍ପନ୍ନ ରୋଗର ସ୍ଥିତି ବା ଜଟିଳତା ନିୟନ୍ତ୍ରଣ କରିବାରେ ସଚେତନ କରାଇବା ଏହି ପ୍ରସଙ୍ଗର ମୁଖ୍ୟ ଉଦ୍ଦେଶ୍ୟ ଅଟେ। ଉକ୍ତ କାର୍ଯ୍ୟକ୍ରମରେ ଏମ୍.କେ.ସି.ଜି ମେଡିକାଲ କଲେଜର ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗୀୟ ମୁଖ୍ୟ ପ୍ରଫେସର ଡା. ଭାରତୀ ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ଆଲୋଚ୍ୟ ବିଷୟ ପ୍ରସଙ୍ଗରେ ନିଜ ବକ୍ତବ୍ୟରେ କହିଥିଲେ ଯେ ଏହି ନିରବ ଘାତକ ମଧୁମେହ ରୋଗ ବର୍ତ୍ତମାନ ସମୟରେ ବୃଦ୍ଧିପ୍ରାପ୍ତ କରିବାର କାରଣ ହେଉଛି- ଜନସଚେତନତାର ଅଭାବ। ଏଥିରେ ପୀଡିତ ବ୍ୟକ୍ତିଙ୍କର ହୃଦଘାତ, ମସ୍ତିଷ୍କଘାତ, ବୃକକ୍, ହୃତପିଣ୍ଡ, ରକ୍ତବାହିକା ସ୍ନାୟୁ, ଆଖି-ଆଦି ଅଙ୍ଗ ଖରାପ ତଥା ଅଚଳ ହୋଇଯାଇ ଅନ୍ଧତ୍ୱ ସମେତ ଅନେକ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ । ଏଣୁ ଏହି ରୋଗର ସମ୍ପର୍କରେ ସଚେତନ, ନିୟନ୍ତ୍ରଣ, ନିରାକରଣ ଦ୍ୱାରା ପୀଡ଼ିତ ବ୍ୟକ୍ତିଙ୍କ ଠାରେ ଉତ୍ପନ୍ନ ବିରକ୍ତ ଭାବ, ଚିଡାଚିଡାପନ, ମାନସିକ କମଜୋରୀ, ବାରମ୍ବାର ଶୋଷ ଏବଂ ପରିଶ୍ରା ଲାଗିବା, ପ୍ରବଳ ଭୋକ ହେବା, ଓଜନରେ ହ୍ରାସ ହେବା, ବାରମ୍ବାର ମିଜାଜ ବଦଳିବା, କ୍ଲାନ୍ତ ବା ଦୁର୍ବଳ ଅନୁଭବ ହେବା… ଆଦି ପ୍ରତିବନ୍ଧକରୁ ମୁକ୍ତ ସୁସ୍ଥ ଜୀବନଯାପନ ପ୍ରଣାଳୀ ସମ୍ପର୍କରେ ଡା.ମିଶ୍ର ଗୁରୁତ୍ୱ ଆରୋପ କରିଥିଲେ। ସମ୍ମାନନୀୟ ଅତିଥି ରୂପେ ବରିଷ୍ଠ ଭେଷଜ ତଥା ମଧୁମେହ ବିଶେଷଜ୍ଞ ଡା.ପ୍ରକାଶ ଚନ୍ଦ୍ର ପାତ୍ର ଯୋଗଦେଇ ନିଜ ବକ୍ତବ୍ୟରେ କହିଥିଲେ ଯେ ନିୟମିତ ବ୍ୟାୟାମ, ପ୍ରାତଃ ଭ୍ରମଣ, ଅଧିକ ଶର୍କରା ଜାତୀୟ ଖାଦ୍ୟ ଗ୍ରହଣ ନ କରିବା, ଚାପମୁକ୍ତ ଜୀବନ ନିର୍ବାହ, ଧୂମ୍ରପାନ ସମ୍ପୂର୍ଣ୍ଣ ପରିହାର, ସୁଖ ନିଦ୍ରାରେ ଶୋଇବା, ପୁଷ୍ଟିକର ଖାଦ୍ୟ ସେବନ ତଥା ଶାରୀରିକ ସକ୍ରିୟତା ବଜାୟ ରଖିବା ଦ୍ୱାରା ଏହି ରୋଗରେ ପୀଡ଼ିତ ହେବାର ଆଶଙ୍କା କମ ହୋଇପାରିବ। ଡା. ପାତ୍ର ଟାଇପ-1, ଟାଇପ-2 ମଧୁମେହର ରୋଗ ସମ୍ପର୍କରେ ଇନସୁଲିନ ସେବନ ଦ୍ୱାରା ଏହି ରୋଗର ନିୟନ୍ତ୍ରଣ କରିବା ପୂର୍ବକ ଶାରୀରିକ ସ୍ବାସ୍ଥ୍ୟ, ମାନସିକ ସ୍ଵାସ୍ତ୍ୟ, ସାମାଜିକ ସ୍ବାସ୍ଥ୍ୟ ଓ ଆଧ୍ୟାତ୍ମିକ ସ୍ବାସ୍ଥ୍ୟ ସମ୍ପର୍କରେ ସମ୍ୟକ ସଚେତନ କରାଇଥିଲେ। ବ୍ରହ୍ମାକୁମାରୀସ୍ ଗଞ୍ଜାମ ଓ ଗଜପତି ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ଭଗିନୀ ମାଳା ମୁଖ୍ୟବକ୍ତା ରୂପେ ଯୋଗଦେଇ ନିଜ ବକ୍ତବ୍ୟରେ କହିଥିଲେ ସଙ୍କଳ୍ପକୁ ସକାରାତ୍ମକ ଦିଶାରେ ପରିଚାଳିତ କରିବା, ବାଣୀରେ ନିରହଙ୍କାରିତା ଏବଂ କର୍ମରେ ନିଃସ୍ବାର୍ଥ ଭାବ ପ୍ରଦର୍ଶନ ଦ୍ୱାରା ଗୁଣାତ୍ମକ ମାନ ବୃଦ୍ଧି ତଥା ଚରିତ୍ର ନିର୍ମାଣ ହେବା ପୂର୍ବକ ଏକ ସୁସ୍ଥ, ମଧୁମେହ ମୁକ୍ତ ଜୀବନଯାପନ କରିହେବ। ତତସହ ଭଗିନୀ ମାଳା ରାଜଯୋଗର ଅଭ୍ୟାସ ଦ୍ୱାରା ପବିତ୍ରତା, ସୁଖ ଶାନ୍ତିର ଅନୁଭୂତି କରାଇଥିଲେ। ବ୍ରହ୍ମାକୁମାରୀ ଅର୍ଚ୍ଚନା ଅତିଥି ପରିଚୟ, ସ୍ବାଗତ ଭାଷଣ କରିବା ପୂର୍ବକ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ପରିଶେଷରେ ପ୍ରୋଜେକ୍ଟର ଶୋ ମାଧ୍ୟମରେ ମଧୁମେହ ରୋଗର ନିରୂପଣ ଏବଂ ନିରାକରଣ ବିଷୟରେ ଅବଗତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ସହରର ଅନେକ ମଧୁମେହ ରୋଗୀ ତଥା ପ୍ରତିଷ୍ଠିତ ବ୍ୟକ୍ତିଗଣ ଅଂଶଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ