ଭଞ୍ଜସେନା ପକ୍ଷରୁ ଟାଟା ପାୱାରର ଅତ୍ୟାଚାର ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ
କରଞ୍ଜିଆ,(ଜିତେନ୍ଦ୍ର ରାଜ): ଦେଶର ପ୍ରଥମ ରାଜ୍ୟ ଭାବରେ ଓଡ଼ିଶା ୧୯୯୦ ଦଶକରେ ବିଜୁଳି ଯୋଗାଣ ଓ ଉତ୍ପାଦନ ବ୍ୟବସ୍ଥାକୁ ଘରୋଇକରଣ କରି ଏକ ନୂଆ କ୍ରାନ୍ତି ଆଣିଥିଲା। ତେବେ ଏହି ତିନି ଦଶନ୍ଧି ମଧ୍ୟରେ ଓଡ଼ିଶାର ବିଜୁଳି କ୍ଷେତ୍ର ଆଶାନୁରୂପ ପ୍ରଗତି କରିପାରି ନାହିଁ । ଅନ୍ୟ ରାଜ୍ୟ ତୁଳନାରେ ପଛରେ ପଡ଼ିଛି। ବିଦ୍ୟୁତ ଯୋଗାଣ, ବିଜୁଳିର ମାନ ଓ ମୂଲ୍ୟ ଦୃଷ୍ଟିରୁ ଓଡ଼ିଶାର ଉପଭୋକ୍ତା ହନ୍ତସନ୍ତ ହେଉଛନ୍ତି । ଇତି ମଧ୍ୟରେ ରାଜ୍ୟର ବିଜୁଳି ବ୍ୟବସ୍ଥା ସରକାରଙ୍କ ନିୟନ୍ତ୍ରଣ ହରାଇ କମ୍ପାନୀରାଜର କରାୟତ୍ତ ହୋଇଛି। ଏହାକୁ ନିୟନ୍ତ୍ରଣ କରିବାକୁ ଯେଉଁ ବିଦ୍ୟୁତ ନିୟମକ ଆୟୋଗ ବ୍ୟବସ୍ଥା ରହିଛି ତାହା ଆଜି ସାଧାରଣ ଜନତାଙ୍କ ନିମ୍ନତମ ସ୍ଵାର୍ଥରକ୍ଷାରେ ସହାୟକ ହୋଇନ ପାରିବାର ଅଭିଯୋଗ ହେଉଛି । ଯାହାର ଜ୍ଵଳନ୍ତ ଉଦାହରଣ ମୟୂରଭଞ୍ଜ ଭଳି ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ପ୍ରତି ଗାଁ ଓ ପଞ୍ଚାୟତ ସହିତ ସହରରେ ଦେଖୁବାକୁ ମିଳୁଛି ।ଏପରିକି କୌଣସି ଘରକୁ ବିଦ୍ୟୁତ ବିଲ ନିମନ୍ତେ ଦଳବଳ ହୋଇ ୮ ରୁ ୧୦ ଜଣ କର୍ମଚାରୀ ଯାଇ ପହଞ୍ଚୁଥିବାରୁ ଲୋକେ ଭୟଭୀତ ହେଉଛନ୍ତି ଏଭଳି ବିଭିନ୍ନ ଅଭିଯୋଗ ସମ୍ବନ୍ଧରେ ୮ ଦଫା ଦାବିପତ୍ର ନେଇ ଜିଲ୍ଲାବାସୀଙ୍କ ତରଫରୁ ଭଞ୍ଜସେନା ପକ୍ଷରୁ ଆଜି ଦିବା ୧୧ଘଟିକା ୩୦ ମିନିଟ୍ ସମୟରେ ଉପଖଣ୍ଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଭଞ୍ଜସେନା ଜିଲ୍ଲା ଉପସଭାପତି ମହମ୍ମଦ ଫିରଜ, ପାଞ୍ଚପିଢ ସଂଯୋଜକ ଅରୁଣ କୁମାର ବେହେରା ଙ୍କ ନେତୃତ୍ୱ ରେ ଭଞ୍ଜସେନା ସଦସ୍ୟ ମାନେ ଏକତ୍ରିତ ହୋଇଥିଲେ। ତେବେ ଉପଜିଲ୍ଲାପାଳ ଆଜି କୌଣସି କାରଣରୁ ଅନୁପସ୍ଥିତ ଥିବାରୁ ଦାୟିତ୍ୱରେ ଥିବା ବରିଷ୍ଠ କିରାଣି ମଞ୍ଜୁଶ୍ରୀ ଦାସଙ୍କୁ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଆଗାମୀ ୧୫ ଦିନରେ ଏହି ଦାବୀ ଓ ଅଭିଯୋଗ ଗୁଡ଼ିକ ଉପରେ ସରକାର ପଦକ୍ଷେପ ନହେଲେ ଜନ ଆନ୍ଦୋଳନ ରୂପ ନେବା ସହିତ ଭଞ୍ଜସେନା ରାଜରାସ୍ତାକୁ ଓହ୍ଲାଇବ ବୋଲି ଭଞ୍ଜସେନ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ଦାବିପତ୍ର ପ୍ରଦାନ ସମୟରେ ଭଞ୍ଜସେନା ଜିଲ୍ଲା ଉପସଭାପତି ମହମ୍ମଦ ଫିରଜ, ପାଞ୍ଚପିଢ ଉପଖଣ୍ଡ ସଂଯୋଜକ ଅରୁଣ କୁମାର ବେହେରା, ଦୀପକ୍ କୁମାର୍ ମହାନ୍ତ,ରଞ୍ଜନ କୁମାର୍ ଦାସ୍, ସୁଗ୍ରୀବ ମହାନ୍ତ,ପ୍ରମୋଦ ଦାସ୍, ଅଭିନାସ ବାରିକ୍, ମହିତ୍ ଦାସ୍ ,ମଧୁସୂଦନ କେଶରୀଙ୍କ ସମେତ ଭଞ୍ଜସେନାର କର୍ମକର୍ତା ଉପସ୍ଥିତ ଥିଲେ ।