ଭାରତର ସ୍ବାଧୀନତା ସଂଗ୍ରାମର ସିଂହ ଅମର ନେତାଜୀ
ଭାସ୍କର ବାରିକ୍
ଭାରତୀୟ ସ୍ବାଧୀନତା ସଂଗ୍ରାମର ରକ୍ତାକ୍ତ ପୃଷ୍ଠଭୂମିରେ ସେ ଏକ ଝଡ଼ର ଇଗଲ, ବିଶ୍ବାସର ବଳୟ ବାହାରେ ଏକ ଦୁର୍ଦ୍ଦାନ୍ତ ଘୂର୍ଣ୍ଣିଝଡ ଓ ବିତର୍କର ଭୟଙ୍କର ତୋଫାନ ଯାହାଙ୍କର” ଦିଲ୍ଲୀ ଚଲୋ” ଓ “ଜୟ ହିନ୍ଦ୍” ର ସିଂହ ଗର୍ଜନରେ ପ୍ରକମ୍ପିତ ହୋଇଛି ଭାରତର ମାଟି ,ପାଣି ,ପବନ ଓ ଆକାଶ । ଏମିତି କ୍ରାନ୍ତିକାରୀ ଯାହାଙ୍କର ପ୍ରଚଣ୍ଡ ରଣହୁଙ୍କାର ଭୂ ରୁ ଭୂମା ଯାଏ ଭରିଦେଇଛି ଉନ୍ମାଦନା ଓ ଏକ ନୃତନ ଆଶାର ଆଲୋକ। ଭାରତୀୟ ମାନଙ୍କ ଚିନ୍ତା ଚେତନାରେ ଆଣିଛି ବୈପ୍ଳବିକ ପରିବର୍ତ୍ତନ । ଭାରତ ମାତାର ଓଠରେ ହସ ପାଇଁ ନିଜ ଜୀବନକୁ ସଂପୂର୍ଣ୍ଣ ଭାବରେ ଉତ୍ସର୍ଗ କରି ଦେଇଛନ୍ତି ଭାରତ ମାତାର ଏହି ସୁଯୋଗ୍ୟ ସନ୍ତାନ । ଜୀବନର ସମସ୍ତ ସୁଖ ସ୍ବାଛନ୍ଦକୁ ଏଡେଇ ଦେଇ ଇଂରେଜ ଶାସନରୁ ଦେଶକୁ ମୁକ୍ତ କରିବା ପାଇଁ ଯେଉଁମାନେ ଅକଥନୀୟ ଯନ୍ତ୍ରଣା ସହି ଭାରତର ସ୍ବାଧୀନତା ଯଜ୍ଞରେ ନିଜର ପ୍ରତିଟି ରକ୍ତ ବିନ୍ଦୁକୁ ଆହୁତି ଦେଇଥିଲେ ,ସେମାନଙ୍କ କଥା ଉଠିଲେ , ସେହି ବୀର ମାନଙ୍କ ଭିତରୁ ବିସ୍ମୟକର ବ୍ୟକ୍ତିତ୍ଵ, କ୍ରାନ୍ତିକାରୀ , ଭାରତର ସ୍ବାଧୀନତା ସଂଗ୍ରାମର ସିଂହ ,ବୀରଯୋଦ୍ଧା ନେତାଜୀ ସୁବାଷଚନ୍ଦ୍ର ବୋଷଙ୍କ ନାମ ଆଗରେ ଆସେ । “ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ଵାଧୀନତା ଦେବି”, । ଭାରତର ପାଦରୁ ପରାଧିନତା ବେଢ଼ିକୁ କାଢ଼ି ବହୁ ଦୂରକୁ ଫିଙ୍ଗି ଦେବାର ପ୍ରୟାସ ଓ ଶତ ସିଂହର ଗର୍ଜନ ସହିତ ଏମିତି ଆହ୍ବାନ କେବଳ ବୀର ସୁବାଷ ବୋଷ ହିଁ ଦେଇ ପାରନ୍ତି । ଗାନ୍ଧୀ ଅହିଂସାର କଥା କହୁଥିଲା ବେଳେ , ସୁବାଷ ଆପଣେଇଥିଲେ ରକ୍ତାକ୍ତ ସଂଘର୍ଷର ପଥ । ସାପ ପାଟିରେ ଥିବା ବେଙ୍ଗକୁ ସାପ କେବେବି ଛାଡିବନି ବିଚରା ବେଙ୍ଗ ଯେତେ କାକୁତି ମିନତି କରୁ । ବିଶ୍ବରେ ପରାଧିନତାର ବେଢ଼ିରେ ବନ୍ଧା ପଡିଥିବା କୌଣସି ଦେଶ ବିନା ରକ୍ତପାତରେ କେବେ ସ୍ବାଧୀନତା ପାଇଛନ୍ତି କି ? ଭାରତ ବା କେମିତି ଅତ୍ୟାଚାରୀ ଲୁଟେରା ଇଂରେଜମାନଙ୍କ କବଳରୁ ମୁକ୍ତ ହେଇଥାନ୍ତା । ତେଣୁ ଯାଇଛି ଅସଂଖ୍ୟ ଜୀବନ, ଘଟିଛି ରକ୍ତପାତ । କିଏ ଫାଶୀ ଖୁଣ୍ଟରେ ଝୁଲିଛି , କିଏ ଗୁଳିରେ ମରିଛି ତ ଆଉ କିଏ କଳାପାଣିରେ କାଟିଛି ଭୟଙ୍କର ନିର୍ବାସନ ଦଣ୍ଡ । ୨୮ ଅପ୍ରେଲ ୧୮୫୮ ରେ ଗୋଟିଏ ଦିନରେ ଭାରତର ୫୨ ଜଣ କ୍ରାନ୍ତିକାରୀଙ୍କୁ ଉତ୍ତରପ୍ରଦେଶର ଫତେପୁରରେ ଗୋଟିଏ ଗଛରେ ଝୁଲେଇ ଦେଇଥିଲେ ଇଂରେଜ ସରକାର ଓ ସେମାନଙ୍କର ଶବ ସତ୍କାର ତ ଦୂରର କଥା, ଗୋଟେ ମାସ ପର୍ଯ୍ୟନ୍ତ ସେମାନଙ୍କ ଶବ ଛୁଇଁବା ପାଇଁ କାହାକୁ ଦିଆଯାଇ ନଥିଲା । ଏମିତି ନୃଶଂସ ହତ୍ୟାକାଣ୍ଡ , ଗୁଳିକାଣ୍ଡ ଅତ୍ୟାଚାର, ବର୍ବରତା ,ନିଷ୍ଠୁରତା , କ୍ରୁରତାର ଅନେକ ଘଟଣା, ଅନେକ କାହାଣୀରେ ରକ୍ତ ରଞ୍ଜିତ ଭାରତର ସ୍ବାଧୀନତା ସଂଗ୍ରାମର ଇତିହାସ । ଏମିତି ରକ୍ତାକ୍ତ ସଂଗ୍ରାମର ଇତିହାସ ବୋଧହୁଏ ବିଶ୍ୱରେ ବିରଳ । ଯଦି କହିବା ଆମ ଦେଶ ଭାରତ ସଂପୁର୍ଣ୍ଣ ଅହିଂସା ବଳରେ ସ୍ବାଧିନତା ହାସଲ କରିଛି , ଭଗତ୍ ସିଂ ଙ୍କ ଭଳି ଅନେକ ଯୁବକ କଅଁଳ ବୟସରେ କାହିଁକି ଫାଶୀ ଖୁଣ୍ଟରେ ଝୁଲିଲେ ? କ’ଣ ପାପ କରିଥିଲେ ବାଜି ରାଉତ, ଖୁଦିରାମ ବୋଷ ? ଆଉ ଯେଉଁମାନଙ୍କର ଜୀବନ କାରାଗାରରେ ଅବା ନିର୍ବାସନ ଦଣ୍ଡରେ ଛାରଖାର ହୋଇଗଲା , ସେମାନଙ୍କ ତ୍ୟାଗର ମୂଲ୍ୟାୟନ କେବେ ହେଇଛି କି ? ଅପ୍ରିଲ୍ ୧୩, ୧୯୧୯ ରେ ଅମ୍ରିତସରର ଜାଲିଆନାୱାଲାବାଗରେ ଯେଉଁ ଶହ ଶହ ନିରସ୍ତ୍ର ଦେଶପ୍ରେମୀ ଇଂରେଜମାନଙ୍କ ଗୁଳି ମାଡରେ ସେଇଠି ଟଳି ପଡ଼ିଲେ ଅବା ପଙ୍ଗୁ ହେଇଗଲେ, ସେ ବିଷୟରେ କିଏ କହିବ ? ସେପ୍ଟେମ୍ବର ୨୮, ୧୯୪୨ ରେ ଓଡ଼ିଶାର ରକ୍ତ ତୀର୍ଥ ଇରମରେ ଘଟିଥିବା ଦ୍ବିତୀୟ ଜାଲିଆନାୱାଲାବାଗ ଭଳି ରକ୍ତାକ୍ତ କାଣ୍ଡକୁ କିଏ ଭୁଲି ପାରିବ ? ସେଦିନ ପାଖାପାଖି ପାଂଚ ହଜାର ନିରସ୍ତ୍ର ଲୋକ ଏକତ୍ରିତ ହୋଇଥିଲେ ଇରମରେ। ଇଂରେଜ ସରକାରଙ୍କ ନିର୍ଦ୍ଦେଶରେ ଡିଏସପି କୁଂଜବିହାରୀ ମହାନ୍ତିଙ୍କ ନେତୃତ୍ଵରେ ଆରମ୍ଭ ହେଲା ଗୁଳିମାଡ । ୨୯ ରୁ ଅଧିକ ଦେଶପ୍ରେମୀ ପ୍ରାଣ ହରେଇଲେ , କେତେ ଯେ ଆହତ,ପଙ୍ଗୁ ହେଲେ , ତା’ର ସଠିକ୍ ତଥ୍ୟ ମିଳିବା କଷ୍ଟ । ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଏ ଲୋକମାନେ ଇଂରେଜ ସରକାର ବିରୋଧରେ ଏକତ୍ରିତ ହୋଇଥିଲେ । ମାତ୍ର ଅହିଂସାର ଫଳ ମିଳିଲା ନିଷ୍ଠୁର ହିଂସାକାଣ୍ଡରେ, ଭିଜିଲା ଇରମର ମାଟି ମଣିଷର ତାଜା ରକ୍ତରେ । ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଅହିଂସାର ମନ୍ତ୍ର ଆପଣେଇ ନେଇଥିଲା ଭାରତ କିନ୍ତୁ କ୍ରୁର ଇଂରେଜ ସରକାର ଅହିଂସାର ଯବାବ୍ ଦେଇଛନ୍ତି ହିଂସାର ବିଭିନ୍ନ ନୃଶଂସ ବାଟ ଆପଣେଇ । ଗାନ୍ଧିଜୀଙ୍କ ଚିନ୍ତାଧାରା,ଦୃଷ୍ଟିଭଙ୍ଗୀ ଓ ସୁବାଷ ବୋଷଙ୍କ ଚିନ୍ତାଧାରା ଭିତରେ ଫରକ୍ ଥିଲା । ଜଣେ ଅହିଂସାର ପୂଜକ ଆଉ ଜଣଙ୍କର ଯେସାକୁ ତେସା ନୀତିରେ ବିଶ୍ବାସ । ଉଭୟଙ୍କର କିନ୍ତୁ ଲକ୍ଷ୍ୟ ଗୋଟିଏ । ବିଶ୍ବାସ କରାଯାଏ ଯଦି ଇଂରେଜମାନଙ୍କ ପାଖରେ ଥିବା ଅସ୍ତ୍ରଶସ୍ତ୍ର ଭାରତ ପାଖରେ ଥାଆନ୍ତା , ତାହେଲେ ଗାନ୍ଧୀ ବି ସୁବାଷ ବୋଷଙ୍କ ପରି ଚିନ୍ତାଧାରା ଆପଣେଇ ନେଇଥାନ୍ତେ । ଗାନ୍ଧୀ ତ ନିଜେ ତାଙ୍କ ଆତ୍ମଜୀବନୀରେ କହିଛନ୍ତି, ଯଦି ଭାରତ ପାଖରେ ଖଣ୍ଡା ଥାଆନ୍ତା, ତାହେଲେ ମୁଁ ଇଂରେଜମାନଙ୍କ ବିରୋଧରେ ଭାରତୀୟ ମାନଙ୍କୁ ଖଣ୍ଡା ବାହାର କରିବାକୁ କହିଥାନ୍ତି, କିନ୍ତୁ ଯେହେତୁ ଭାରତ ପାଖରେ ଖଣ୍ଡା ନଥିଲା, ମୁଁ ଅସହଯୋଗ ଓ ଅହିଂସା ଅସ୍ତ୍ରକୁ ଭାରତୀୟ ମାନଙ୍କୁ ଆପଣେଇ ନେବାକୁ କହିଥିଲି । ଭାରତୀୟ ସ୍ବାଧୀନତା ସଂଗ୍ରାମରେ ଗାନ୍ଧିଜୀଙ୍କ ଅହିଂସା ମନ୍ତ୍ରର ଅବଦାନ ଅତୁଳନୀୟ, କିନ୍ତୁ ଯେଉଁମାନେ ହିଂସାର ପଥରେ ଚାଲି ଭାରତକୁ ସ୍ବାଧିନ କରିବାକୁ ଚେଷ୍ଟା କରିଛନ୍ତି , ସେମାନଙ୍କ ତ୍ୟାଗ ଓ ବଳିଦାନକୁ ଅଣଦେଖା କରାଯାଇ ପାରିବନି । ଏହି ମହାନ ତ୍ୟାଗ ଓ ବଳିଦାନର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ସୁବାଷ ବୋଷ । ଜୀବନର ପ୍ରଥମ ଥର ଭାରତୀୟ ଜାତୀୟ କଂଗ୍ରେସର ସଭାପତି ହୋଇଥିଲେ ସୁବାଷ ବୋଷ ୧୯୩୮ ରେ । ଦ୍ବିତୀୟ ଥର ପାଇଁ ୧୯୩୯ ରେ ଗାନ୍ଧିଜୀଙ୍କ ମନୋନୀତ ପ୍ରାର୍ଥୀ ପଟ୍ଟାଭି ସିତାରମେୟା ଙ୍କୁ ପରାସ୍ତ କରିଥିଲେ ସୁବାଷ ବୋଷ । ଏଥିରୁ ବୁଝାପଡେ କଂଗ୍ରେସ ଭିତରେ ସୁବାଷ ବୋଷଙ୍କ ଲୋକପ୍ରିୟତା ଓ ପ୍ରାଧାନ୍ୟ କେତେ ଥିଲା । କିନ୍ତୁ ପରେ ପରିସ୍ଥିତି ନିୟନ୍ତ୍ରଣାଧୀନ ବାହାରକୁ ଯାଉଥିବା ଅନୁଭବ କରି ଇସ୍ତଫା ଦେଇଥିଲେ କଂଗ୍ରେସର ସଭାପତି ପଦରୁ । ଗଢିଥିଲେ ଫରଓ୍ବାଡ ବ୍ଲକ । ଦ୍ବିତୀୟ ବିଶ୍ବଯୁଦ୍ଧରେ ଭାରତ ଇଂରେଜମାନଙ୍କ ସପକ୍ଷରେ ଲଢିବ ବୋଲି ତତ୍କାଳୀନ ଗଭର୍ଣ୍ଣର ଜେନେରାଲ ଲିନ୍ଥିଗୋ ଘୋଷଣା କଲେ । ଗାନ୍ଧିଜୀଙ୍କ ଆଶା ଥିଲା ଦ୍ବିତୀୟ ବିଶ୍ବଯୁଦ୍ଧରେ ଯଦି ଭାରତ ଇଂରେଜମାନଙ୍କ ସପକ୍ଷରେ ଲଢେ, ତାହେଲେ ଇଂରେଜ ସରକାର ଆନୁଗତ୍ୟତା ଦେଖେଇ ଭାରତକୁ ମୁକ୍ତ କରିଦେବ । କିନ୍ତୁ ଏହି ଚିନ୍ତାଧାରାର ଘୋର ବିରୋଧୀ ଥିଲେ ସୁବାଷ ବୋଷ । ଏ ଘଟଣାକୁ ନେଇ ଗାନ୍ଧୀ ଓ ସୁବାଷଙ୍କ ଭିତରେ ବଢ଼ିଛି ଆହୁରି ଦୂରତା । ୧୯୪୧, ଜାନୁଆରୀ ୧୭ ତାରିଖ ରାତି ଅଧରେ ଲମ୍ବା ଦାଢ଼ି ରଖି ଏକ ଲମ୍ବା କୋଟ୍ ପିନ୍ଧି ଜଣେ ମୁସଲମାନ ବେଶରେ ଦେଶ ଛାଡ଼ି ଚାଲି ଯାଇଛନ୍ତି ବିଦେଶକୁ । କାବୁଲ ଦେଇ ଯାଇଛନ୍ତି ମସ୍କୋ । ମସ୍କୋରେ ପାଇ ନାହାଁନ୍ତି ବିଶେଷ କିଛି ସଫଳତା । ମସ୍କୋରୁ ଯାଇଛନ୍ତି ଜର୍ମାନୀ। ବିତେଇଛନ୍ତି ଏକ ବର୍ଷରୁ ଅଧିକ ସମୟ ଜର୍ମାନୀରେ । ଇତିହାସରେ ଯାହା ନାମ ଶୁଣିଲେ ଛାତି ଧଡଧଡ ଡାକେ, ସୁବାଷ ବୋଷ ଭେଟିଛନ୍ତି ସେହି ଆଡଲଫ ହିଟଲରଙ୍କୁ । ତାଙ୍କର ରହିବାର ସମସ୍ତ ବ୍ୟବସ୍ଥା କରିଛନ୍ତି ଜର୍ମାନୀର ସରକାର । ଜର୍ମାନୀରେ ବନ୍ଦୀ ଥିବା ଭାରତୀୟ ସୈନିକ ମାନଙ୍କୁ ଏକଜୁଟ କରିଛନ୍ତି ଇଂରେଜ ସରକାର ବିରୋଧରେ ସଶସ୍ତ୍ର ଲଢେଇ ପାଇଁ । ସେଇଠି ଜଣେ ଅଷ୍ଟ୍ରେଲିଆର ଝିଅ ଏମିଲ୍ ସିଙ୍କଲ ଙ୍କ ପ୍ରେମରେ ପଡିଛନ୍ତି । ବାପା ହେଇଛନ୍ତି । ଝିଅର ନାଁ ଅନୀତା ବୋଷ ଯେ ଜର୍ମାନୀର ଜଣେ ପ୍ରତିଷ୍ଠିତ ଜଣାଶୁଣା ଅର୍ଥନୀତି ବିଶାରଦ । ତାପରେ ସ୍ତ୍ରୀ ଓ ଛୋଟ ଝିଅକୁ ଛାଡି ଚାଲି ଯାଇଛନ୍ତି ଜାପାନ । ଦେଖା ହୋଇଛି ରାସବିହାରୀ ବୋଷଙ୍କ ସହିତ । ଜାପାନ ସରକାରଙ୍କ ସହଯୋଗରେ ଦୃଢ଼ ନେତୃତ୍ୱ ଦେଇଛନ୍ତି ଆଜାଦ ହିନ୍ଦୀ ଫୌଜକୁ । ବିରାଙ୍ଗନା ରାଣୀ ଲକ୍ଷ୍ମୀଵାଇ ଙ୍କ ନାମରେ ଗଠିତ ହୋଇଛି ନାରୀ ସୈନ୍ୟ ବାହିନୀ । ଆକ୍ରମଣାତ୍ମକ ଭଙ୍ଗୀରେ ବାହାଦୁର ସେନା , ଜାପାନ ସହାୟତାରେ ମାଡ଼ି ଆସିଛନ୍ତି । ପୋର୍ଟ ବ୍ଲେୟଏ ରେ ୩୦ ଡିସେମ୍ବର,୧୯୪୩ ରେ ଉଡ଼େଇଛନ୍ତି ଜାତୀୟ ପତାକା। ଆଣ୍ଡାମାନ ଦ୍ବୀପର ନାମ ଦେଇଛନ୍ତି ସହିଦ୍ ଓ ନିକୋବର ଦ୍ଵୀପପୁଞ୍ଜର ନାମ ଦେଇଛନ୍ତି ସ୍ୱରାଜ । ମଣିପୁରର ଏକ ଛୋଟ ଟାଉନ୍ ମୋଇରାଙ୍ଗରେ ବି ଉଡେଇଛନ୍ତି ଜାତୀୟ ପତାକା । ମାତ୍ର ଦୁର୍ଭାଗ୍ୟ ଆକାଶ ମାର୍ଗରୁ ଜାପାନ ତରଫରୁ ଯେତିକି ମିଲିଟାରୀ ସାହାଯ୍ୟ ମିଳିବା କଥା , ତାହା ମିଳି ପାରିନାହିଁ ଜାପାନର ଅତ୍ୟଧିକ କ୍ଷୟ କ୍ଷତି ପାଇଁ । ଦ୍ବିତୀୟ ବିଶ୍ବଯୁଦ୍ଧରେ ହିରୋସୀମା ଓ ନାଗାସାକୀ ସହର ଧ୍ବଂସ ପାଇଛି ଆମେରିକାର ପରମାଣୁ ବୋମାମାଡରେ । ଚୁରୁମାର ହୋଇଛି ବିପ୍ଲବୀ ସୁବାଷଙ୍କ ସ୍ବପ୍ନ । ଯେସାକୁ ତେସା ନୀତିରେ ଦେଶକୁ ମୁକ୍ତ କରିବାର ଆଶା ମଉଳିଯାଇଛି । ତାପରେ ତାଙ୍କ ଜୀବନର ଗତିପଥ କୁଆଡେ ଯାଇଛି, ଈଶ୍ୱର ଜାଣନ୍ତି । କିନ୍ତୁ ଏକଥା ସତ୍ୟ ଯଦି ସୁବାଷ ବୋଷଙ୍କ ସୁଚିନ୍ତିତ ଶସସ୍ତ୍ର ସଂଗ୍ରାମ ଫଳବତୀ ହୋଇଥାନ୍ତା ଓ ଦ୍ବିତୀୟ ବିଶ୍ବଯୁଦ୍ଧରେ ଜାପାନ ହାରି ନଥାନ୍ତା , ତାହେଲେ ଭାରତ ୧୯୪୭ ର କେଇ ବର୍ଷ ଆଗରୁ ବୋଧହୁଏ ବନ୍ଧନମୁକ୍ତ ହୋଇଥାନ୍ତା ।
ଏମିତି ଜଣେ ବରପୁତ୍ରଙ୍କର ଜାନୁୟାରୀ ୨୩ ,୧୮୯୭ ରେ ଓଡ଼ିଶାର କଟକ ସହରରେ ଏକ ବିତ୍ତଶାଳୀ ବେଙ୍ଗଲୀ ପରିବାରରେ ଜନ୍ମ । ପିତା ଜାନକୀନାଥ ବୋଷ ଜଣେ ଖ୍ୟାତନାମା ଓକିଲ ଓ ମାତା ପ୍ରଭାବତୀ ବୋଷ ଜଣେ ଧର୍ମପରାୟଣା ସୁଗୃହିଣୀ । ପିତା ମାତାଙ୍କର ସୁବାଷ ଥିଲେ ନବମ ସନ୍ତାନ ଓ ଷଷ୍ଠ ପୁତ୍ର । ପିଲାବେଳୁ ସୁବାଷ ଜଣେ ମେଧାବୀ ଛାତ୍ର ହେବା ସହିତ ଖେଳକୁଦ ପ୍ରତି ଆଗ୍ରହୀ ଥିଲେ । ୧୯୧୯ ରେ ଗ୍ରାଜୁଏସନ୍ ପାଶ୍ କଲେ । କଲିକତାର ପ୍ରେସିଡେନ୍ସି କଲେଜରେ ପଢ଼ୁଥିବା ବେଳେ ତଡ଼ା ଖାଇଥିଲେ କଲେଜରୁ ତାଙ୍କର ଦେଶ ପ୍ରେମ ପାଇଁ । ଇତିହାସର ଜଣେ ପ୍ରଫେସର ଭାରତୀୟ ମାନଙ୍କ ଉପରେ କିଛି ଅରୁଚିକର ମନ୍ତବ୍ୟ ଦେଇଥିଲେ ଯାହାକୁ ଘୋର ବିରୋଧ କରିଥିଲେ ସୁବାଷ କିଛି ବନ୍ଧୁଙ୍କ ସହିତ ମିଶି । ପ୍ରେସିଡେନ୍ସି କଲେଜରୁ ଏକ୍ସପେଲ୍ ହେବା ପରେ ଆଡ଼ମିଶନ ନେଇଥିଲେ ସ୍କଟିଶ୍ ଚର୍ଚ କଲେଜରେ । ଯାହାହେଉ ମେଧାବୀ ସୁବାଷ ୧୯୧୯ ରେ ସଫଳତାର ସହିତ ଗ୍ରାଜୁଏସନ୍ ପାଶ୍ କଲେ । ତାପରେ ତାଙ୍କ ପରିବାର ତାଙ୍କୁ ପଠେଇ ଦେଲେ କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟ କୁ ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ । ୧୯୨୦ ରେ ପାଇଲେ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ସଫଳତା । କିନ୍ତୁ ଦେଶ ପ୍ରେମ ଓ ଭକ୍ତି ଯାହା ଦେହର ଧମନୀରେ, ସେ କ’ଣ ବିଦେଶୀ ପାଖରେ ମୁଣ୍ଡ ବିକି ଦେଇ ପାରିବ ? ୧୯୨୧ ରେ ଛାଡ଼ିଦେଲେ ଚାକିରୀ । ଫେରି ଆସିଲେ ପବିତ୍ର ଭାରତ ମାଆର କୋଳକୁ । ଯୋଗଦେଲେ ଭାରତର ସ୍ବାଧୀନତା ସଂଗ୍ରାମରେ । ମହାତ୍ମା ଗାନ୍ଧୀଙ୍କ କଥାରେ ଚିତ୍ତରଞ୍ଜନ ଦାସଙ୍କ ନେତୃତ୍ୱରେ କଲିକତାରେ କାମ କଲେ ଜଣେ ସାମ୍ବାଦିକ ଭାବରେ ,ଯୁବକ ମାନଙ୍କୁ ପ୍ରଶିକ୍ଷଣ ଦେଲେ ଓ ବେଙ୍ଗଲ କଂଗ୍ରେସର ଜଣେ ସ୍ବେଚ୍ଛାସେବୀ ଭାବରେ କାମ କଲେ । ଏଇଠୁ ଆରମ୍ଭ ହୋଇଛି ତାଙ୍କ ଯନ୍ତ୍ରଣା ଓ ବେଦନାଶିକ୍ତ ଜୀବନ । ବାରମ୍ବାର ଯାଇଛନ୍ତି ଜେଲ୍ । କଟିଛି ଧନୀ ଘର ଯୁବକର ଜୀବନ ଜେଲର ଅନ୍ଧାରୀ ଗୃହରେ । ଜେଲରୁ ମୁକୁଳିବା ପରେ ପୁଣି ଆରମ୍ଭ ହୋଇଛି ଦେଶ ସ୍ବାଧୀନତାର ଚିନ୍ତା । ଦେଶରୁ ବାହାର ଦେଶକୁ ଯିବା, ଭାରତର ସ୍ବାଧୀନତା ପାଇଁ ସାହାଯ୍ୟ ସମର୍ଥନ ଯୋଗାଡ କରିବା, ତାଙ୍କର ସାହସିକତା ଓ ଦେଶ ଭକ୍ତି କଳ୍ପନା ରାଇଜର ଆଇମା କାହାଣୀ ଭଳି ଲାଗେ । ସୁବାଷ ବୋଷ ଗାନ୍ଧିଜୀଙ୍କୁ ଜାତିର ପିତା ବୋଲି ପ୍ରଥମେ ରେଙ୍ଗନୁର ଏକ ରେଡ଼ିଓ ଷ୍ଟେସନରୁ ସମ୍ବୋଧିତ କରିଥିଲେ । କିନ୍ତୁ ଗାନ୍ଧିଜୀଙ୍କ ନଜରରେ ସେ ଥିଲେ ଅବାଟରେ ଯାଉଥିବା ଦେଶପ୍ରେମୀ । ଭାରତ ମାଆର ଏହି ସୁଯୋଗ୍ୟ ବୀର ସନ୍ତାନଙ୍କ ଶେଷ ଜୀବନ ବିଷୟରେ ଇତିହାସ କୌଣସି ନିର୍ଭରଯୋଗ୍ୟ ତଥ୍ୟ ଦେଇ ପାରିନି ସତ, କିନ୍ତୁ ଏକଥା ବି ସତ ଦେଶ ପାଇଁ ଯୁବପିଢୀଙ୍କୁ ନେତାଜୀଙ୍କ ତ୍ୟାଗ ,ବଳିଦାନ, ରାଷ୍ଟ୍ରଭକ୍ତି, ଦେଶପ୍ରେମ ସବୁବେଳେ ପ୍ରେରଣା ଦେଇ ଚାଲିଥିବ ଓ ପ୍ରତି ଭାରତୀୟଙ୍କ ହୃଦୟରେ ଭାରତୀୟ ସ୍ବାଧୀନତା ସଂଗ୍ରାମର ଏହି ସିଂହ ଚିରଦିନ ପାଇଁ ନମସ୍ୟ ଓ ଅମର ହୋଇ ରହିଥିବେ ।
ବାସୁଦେବପୁର, ଭଦ୍ରକ
ଦୂରଭାଷ ୯୪୩୭୩୨୦୩୫୦