ଭିକାରୀ ଥଈଥାନ ଯୋଜନା ବାଟବଣା, ଶେରଗଡ ରେ ମାଳ ମାଳ ଭିକାରୀ
ଶେରଗଡ, (ଯୁଗାବ୍ଦ ନ୍ୟୁଜ):ଆଗରୁ ଶୁଣୁଥିଲେ ଭିକ୍ଷାଂ ଦେହି,ଏବେ ଭିକ ମୁଠେ ଦିଅ। ରାସ୍ତାରେ ଯିବା ବେଳେ ହେଉ ଅବା ବସ କିମ୍ବା ଟ୍ରେନ ରେ ଯିବା ବେଳେ ଭିକାରୀ ମାନଙ୍କୁ ଦେଖିବାକୁ ମିଳିଥାଏ। ମଠ,ମନ୍ଦିର, ବଜାର, ଛକ ଭଳି ସ୍ଥାନ ମାନଙ୍କ ରେ ମଧ୍ୟ ଭିକାରୀ ମାଳ ମାଳ। କିଏ ଛତା ତଳେ ବସିଥାଏ ତ ଆଉ କିଏ ଗୋଡ ଲମ୍ବାଈ ଗାମୁଛା ପାରି ଦଳଗତ ଭାବରେ ଧାଡିରେ ବସି ଏହି ଭିକାରି ମାନେ ଭିକ ମାଗିଥାନ୍ତି। ଶେରଗଡ ସହରରେ ଥିବା ଜଗନ୍ନାଥ ମନ୍ଦିର, ଶିବ ମନ୍ଦିର, ଜୟଚଣ୍ଡୀ ମନ୍ଦିର ଭଳି ବିଭିନ୍ନ ସ୍ଥାନରେ ଏହି ଭିକାରୀ ମାନେ ପଥାରୂଢ ହୋଈଥାନ୍ତି। ଏହି ସବୁ ଭିକାରୀ ଙ୍କ ଭିତରୁ ପୁରୁଷ ଓ ମହିଳା ନିର୍ବିଶେଷରେ ଭିନ୍ନକ୍ଷମ ମାନସିକ ଅନଗ୍ରସର ଶିଶୁ ଭିକାରୀ ରହିଥାନ୍ତି। ତେବେ ଏମାନଙ୍କୁ ସମାଜ ର ମୂଖ୍ୟ ସ୍ରୋତ କୁ ଆଣିବାକୁ ଗତ ସରକାର ଚିନ୍ତା କରି ଭିକାରି ଥଈଥାନ କେନ୍ଦ୍ର ଖୋଲିଥିଲେ। ଏସଏସଈପିଡି ବିଭାଗ ଏହାର ଦେଖାଶୁଣା କରିଥାଏ। ରାସ୍ତା ଘାଟ,ବଜାର, ମନ୍ଦିର ଭଳି ସ୍ଥାନରେ ଭିକ ମାଗି ଜୀବନ ବିତାଉଥିବା ଅନେକ ଭିକାରୀ ଙ୍କୁ ଉଦ୍ଧାର କରାଯାଇ ଥଈଥାନ କରିବାକୁ ଗତ ସରକାର ଉଦ୍ୟମ କରିଥିଲେ। ଏମାନଙ୍କ ଚଳିବା ଲାଗି ମାସକୁ 3400 ଟଙ୍କା ବି ଦିଆଯାଉଛି। ସରକାର ଏମାନଙ୍କୁ ଥଈଥାନ କରିବା ଲାଗି ଯେଉଁ ଠାରେ କେନ୍ଦ୍ର କରିଛନ୍ତି ସେହି ସ୍ଥାନରେ ବଗିଚା କରିବା ଠାରୁ ଆରମ୍ଭ କରି ଅଗରବତୀ, ଫିନାଈଲ,ଝାଡୁ,ପାପୋଛା ପରି ବିଭିନ୍ନ ଜିନିଷ ତିଆରି କରୁଥିବା ସୂଚନା ରହିଛି। ତେବେ ଏତେ ସବୁ ବ୍ୟବସ୍ଥା ପରେ ଗ୍ରାଉଣ୍ଡ ଜିରୋ ରେ ଏହାର ପ୍ରଭାବ ଦେଖିବାକୁ ମିଳୁନି। ଏବେବି ରାସ୍ତାରେ ଗଲା ବେଳେ ମନ୍ଦିର ସାମନାରେ, ରାସ୍ତା ଘାଟ,ବଜାର ଭଳି ବିଭିନ୍ନ ଜନଗହଳି ସ୍ଥାନରେ ଭିକାରୀ ମାନେ ବୁଲୁଥିବା ଦେଖିବାକୁ ମିଳୁଛି। ଯେଉଁ ଲକ୍ଷ୍ୟ ଓ ଆଦର୍ଶ ନେଇ ଏହି ଯୋଜନା ପ୍ରସ୍ତୁତ କରାଯାଈଥିଲା ତାହା ଆଜି ଦିଗହରା ହେବା ଭଳି ପ୍ରତୀତ ହେଉଛି।