ଭୁସମ୍ପତ୍ତିରେ ଜାଲ୍ ଦସ୍ତଖତ ଓ ମିଛ ସାକ୍ଷୀ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟଙ୍କ ନାଁରେ ସମ୍ପତ୍ତି ହଡପ ଅଭିଯୋଗ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଗଣ୍ଡଳା ଗ୍ରାମରେ ଏକ ପରିବାରର ପୈତୃକ ସମ୍ପତ୍ତିକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବାପା ଓ ମା’ଙ୍କ ଦେହାନ୍ତ ପରେ ବଡ଼ ଭାଇ ସମସ୍ତ ସମ୍ପତ୍ତି ହଡ଼ପ କରିଥିବା ଅଭିଯୋଗ ହୋଇଛି। ୬୯ ନଂ ଜୋନର ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ବଡ଼ ଭାଇ ଗାନ୍ଧୀ ଚରଣ ପଣ୍ଡାଙ୍କ ଏଭଳି ବିବାଦୀୟ କାର୍ଯ୍ୟକଳାପ ନେଇ ସାନଭାଇ ରାମକୃଷ୍ଣ ପଣ୍ଡା ଅଭିଯୋଗ ବେଲଗାଁ ଥାନାରେ ଏତଲା ଦେଇଛନ୍ତି। ବଡ଼ଭାଇ ଗାନ୍ଧୀ, ୫ ଜଣ ମିଛ ସାକ୍ଷୀଙ୍କ ସଂପୃକ୍ତି ଥାଇ ଅନ୍ୟ ଭାଇ ମାନଙ୍କ ଜାଲ ଦସ୍ତଖତ କରି ଏଭଳି କଳା କାରନାମା କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଭିତ୍ତିରେ ବେଲଗାଁ ଥାନା ପୋଲିସ କେଶ ନଂ ୧୬୩/୨୪ରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଚଳାଇଛି। ଗଣ୍ଡଳା ଗ୍ରାମର ବାସିନ୍ଦା ରାମକୃଷ୍ଣଙ୍କ ଅଭିଯୋଗ ମୁତାବକ ବାପା ଓ ମାଙ୍କ ବ୍ୟତୀତ ସେମାନେ ୪ ଭାଇ ଓ ୪ ଭଉଣୀ ଅଟନ୍ତି। ଗତ ୧୯୯୮ସାଲରେ ତାଙ୍କ ବାପା ଭୁବନେଶ୍ଵର ପଣ୍ଡାଙ୍କ ଦେହାନ୍ତ ହୋଇଥିଲା । ପୁର୍ବରୁ ଗତ ୧୯୯୨ ସାଲରେ ତାଙ୍କ ମା’ଙ୍କ ମୃତ୍ୟୁ ହୋଇଥିଲା। ସେମାନଙ୍କ ମୃତ୍ୟୁ ପରେ ବଡ଼ ଭାଇ ଗାନ୍ଧୀ ଅନ୍ୟ ୩ ଭାଇଙ୍କ ଜାଲ ଦସ୍ତଖତ କରିବା ସହିତ ରଘୁନାଥ ପଣ୍ଡା, ବାଞ୍ଛାନିଧି ପଣ୍ଡା, ବିଦ୍ୟାଧର ପଣ୍ଡା, ଲମ୍ବୋଦର ସାହୁ ଓ ବସନ୍ତ ସାହୁ ନାମକ ୫ ଜଣ ମିଛ ସାକ୍ଷୀଙ୍କ ସହଯୋଗରେ ଘରର ସମସ୍ତ ଭୂ ସମ୍ପତ୍ତି ତାଙ୍କ ନାମରେ ପଟ୍ଟା କରିଦେଇଥିବା ଅଭିଯୋଗ କରିଛନ୍ତି। ଏ ସମସ୍ତ ବିଷୟ ସେ ହିଞ୍ଜିଳିକାଟୁ ତହସିଲଦାରଙ୍କ କାର୍ଯ୍ୟାଳୟରୁ ଅନୁସନ୍ଧାନ କରି ଜାଣି ପାରିଥିଲେ। ଘଟଣା ନେଇ ରାମକୃଷ୍ଣ ବଡ଼ଭାଇ ଗାନ୍ଧୀ ଚରଣଙ୍କୁ ପଚାରିବାରୁ ସେ ଓଲଟି ଏ ସବୁ ସମ୍ପତ୍ତି ମୋର ଓ ମୁଁ ନିଜେ ଅର୍ଜ୍ଜନ କରିଛି ବୋଲି ତାଙ୍କୁ ସଫେଇ ଦେଇଥିଲେ। ତୋ ହାତରେ ହେଲେ ନେ ବୋଲି ପରୋକ୍ଷରେ ସେ ଚେତାବନୀ ମଧ୍ୟ ଦେଇଥିଲେ। ଏଣେ ପାରିବାରିକ ସମ୍ପତ୍ତି କୁ ନେଇ ଅନ୍ୟ ଭାଇ ଓ ଭଉଣୀଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିଲା। ପ୍ରସଙ୍ଗର ଗୁରୁତ୍ବ ଦୃଷ୍ଟିରୁ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ଥାନାର ଦ୍ବାରସ୍ଥ ହୋଇଛନ୍ତି। ବେଲଗାଁ ଥାନା ଭାରପ୍ରାପ୍ତ ଅଧିକାରୀ ସ୍ମିତାଞ୍ଜଳି ପ୍ରଧାନଙ୍କ ନିର୍ଦ୍ଦେଶରେ ତଦନ୍ତ ଅଧିକାରୀ ତଥା ଏସ.ଆଇ ଏ. ନାଗ ମୁନିଦ୍ରା ରାଓ ଘଟଣାର ତଦନ୍ତ କରୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ