ମନରେଗା ଯୋଜନା ମିଲି ଭଗତରେ ପ୍ରାୟ ୧କୋଟି ଟଙ୍କା ଆତ୍ମସାତ ନେଇ ଭିଜିଲାନ୍ସରେ ଅଭିଯୋଗ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଗୌଡ଼ ଗାଁ ପଞ୍ଚାୟତ ଅଧିନ ବିଭିନ୍ନ ଗ୍ରାମରେ ଗତ ୨୦୨୨-୨୩ ଏବଂ ୨୦୨୩-୨୪ ଆର୍ଥିକ ବର୍ଷ ରେ ମନରେଗା ଯୋଜନାରେ ମହା ଘୋଟାଲା ର ଅଭିଯୋଗ ହୋଇଛି। କୌଣସି ପ୍ରକଳ୍ପ କାମ ନକରି ପ୍ରାୟ ୧ କୋଟି ରୁ ଉର୍ଦ୍ଧ୍ବ ସରକାରୀ ଅନୁଦାନ ହରିଲୁଟ କରାଯାଇଥିବା ଅଭିଯୋଗ ହୋଇଛି। ଗ୍ରାମର ସାମାଜିକ କର୍ମୀ ଗୌରୀ ଶଙ୍କର ପାଣିଗ୍ରାହୀ ଏନେଇ ତଥ୍ୟ ପ୍ରମାଣ ସହ ରାଜ୍ୟ ପ୍ରମୁଖ ଶାସନ ସଚିବ,କଟକ ଭିଜିଲାନ୍ସ ମହାନିର୍ଦ୍ଦେଶକ, ଭୁବନେଶ୍ୱର ଲୋକାୟୁକ୍ତ ଙ୍କ ସମେତ ବିଭିନ୍ନ ପଦସ୍ଥ ପ୍ରଶାସନିକ ଅଧିକାରୀ ମାନଙ୍କୁ ଅଭିଯୋଗ କରିବା ପରେ ଗଞ୍ଜାମ ଜିଲା ପ୍ରଶାସନ ର ନିର୍ଦ୍ଦେଶକ୍ରମେ ପୁରୁଷୋତ୍ତମ ପୁର ବ୍ଲକ ସହକାରୀ ଯନ୍ତ୍ରୀ ଇଂ.ସରୋଜ କୁମାର ସାବତ ଙ୍କ ନେତୃତ୍ୱରେ ବେଗୁନିଆ ପଡ଼ା ବ୍ଲକ ସହକାରୀ ଯନ୍ତ୍ରୀ ଇଂ.ପ୍ରଦୀପ କୁମାର ସାହୁ,ହିଞ୍ଜିଳି ବ୍ଲକ ଏପିଓ ଅନିଲ କୁମାର ପାଣି,ବୁଗୁଡ଼ା ବ୍ଲକ କନିଷ୍ଠ ଯନ୍ତ୍ରୀ ଇଂ.ସୁନୀଲ କୁମାର ଜାନି ଗୌଡ଼ ଗାଁ ପଞ୍ଚାୟତର ବିଭିନ୍ନ ଗ୍ରାମରେ କରାଯାଇଥିବା ମନରେଗା ଯୋଜନାରେ କରାଯାଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ରେ କରାଯାଇଥିବା ଅନିୟମିତତା ଅଭିଯୋଗ ସମ୍ପର୍କିତ ସବିଶେଷ ରିପୋର୍ଟ ସଂଗ୍ରହ କରି ଫେରିଥିବା ଜଣାପଡ଼ିଛି।ଗତ ୨୦୨୨-୨୩ ଏବଂ ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ଯୋଜନାରେ କରାଯାଇଥିବା ମୋ ଉପକାରୀ ବଗିଚା,ପୋଖରୀ ପୁନରୁଦ୍ଧାର ଏବଂ ରାସ୍ତା ନିର୍ମାଣ ନାଁ ରେ ବ୍ୟାପକ ଅନିୟମିତତା କରାଯାଇ ଲକ୍ଷ ଲକ୍ଷ ଟଙ୍କା ମିଥ୍ୟା ବିଲ୍ ପ୍ରସ୍ତୁତ କରାଯାଇ ଟଙ୍କା ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଛି।ଦିଗପହଣ୍ଡି ବିଡ଼ିଓ ଡ଼.ଚିତ୍ତ ରଞ୍ଜନ ଦାସ,ସରପଞ୍ଚ ସୁନୀତା କୁମାରୀ ସାହୁ,ବ୍ଲକ ଏପିଓ ସନ୍ତୋଷ କୁମାର ସାହୁ,ଗ୍ରାମ ରୋଜଗାର ସେବକ ଥବିର କୁମାର ବେହେରା,କନିଷ୍ଠ ଯନ୍ତ୍ରୀ ଇଂ.ମନୋଜ କୁମାର ଦାସ, ଇଂ. ସୁନୟନା ପାଣିଗ୍ରାହୀ ଏବଂ ପି ଇ ଓ ଅକ୍ଷୟ ଦାସଙ୍କ ନାଁରେ ସଙ୍ଗୀନ ଅଭିଯୋଗ କରାଯାଇଛି। ସେମାନେ ମିଲି ଭଗତରେ ଏହି ଯୋଜନାରେ ସରକାରୀ ଅନୁଦାନ ଆତ୍ମସାତ କରିଥିବା ଅଭିଯୋଗ ପତ୍ର ରେ ଉଲ୍ଲେଖ ରହିଛି। ଲହୁଣିଆ ଗ୍ରାମ ରେ ତୁପ ପୋଖରୀ ନାଁ ରେ ଆଦୌ କୌଣସି ପୋଖରୀ ନଥିବା ବେଳେ ପୁନରୁଦ୍ଧାର ପାଇଁ ୫ ଲକ୍ଷ ୬୪ ହଜାର ବ୍ୟୟ କରାଯାଇଥିବା ଦର୍ଶାଯାଇଛି। ଗାଇଡ଼ା ଗ୍ରାମ ନିକଟ ବାଲିବାଡ ଗାଁ ରେ ନୁଆବନ୍ଧ ନାଁ ରେ କୌଣସି ପୋଖରୀ ନଥିବା ବେଳେ ତାର ପୁନରୁଦ୍ଧାର ପାଇଁ ୪ ଲକ୍ଷ ୨୪ ହଜାର ଟଙ୍କା ଉଠାଣ କରାଯାଇଛି। ରଙ୍ଗିଆ ମାଟିଆ ବନ୍ଧ ନାଁ ରେ ପଞ୍ଚାୟତରେ କୌଣସି ପୋଖରୀ ନଥିବା ବେଳେ ସେଥିରେ ୧ ଲକ୍ଷ ୭୬ ହଜାର ବ୍ୟୟ ଦର୍ଶାଯାଇଛି।ଜାକୁଆ ବନ୍ଧ ନାଁ ରେ କୌଣସି ପୋଖରୀ ନଥିବା ବେଳେ ସେଥିରେ ୫ ଲକ୍ଷ ୪୩ ହଜାର ଟଙ୍କା ଖର୍ଚ୍ଚ କରାଯାଇଥିବା ଦର୍ଶାଯାଇଛି। ଗାଇଡା ବନ୍ଧ ମରାମତି ଓ ପୁନଃରୁଦ୍ଧାର ନାଁ ରେ ୪ ଲକ୍ଷ ୯୨ ହଜାର ବ୍ୟୟ କରାଯିବା ଦର୍ଶାଇ ବିଲ ମଞ୍ଜୁର କରାଯାଇଛି।ବୁଢ଼ାଢେପ ଗାଁ ପୋଖରୀ ମରାମତି କରାନଯାଇ କେବଳ ସଫେଇ କରି ୬ ଲକ୍ଷ ୮ ହଜାର । ଗୌଡ଼ ଗାଁ ଖତାଡି ପୋଖରୀ ମରାମତି କିମ୍ବା ପୁନରୁଦ୍ଧାର କରାନଯାଇ କେବଳ ସଫେଇ କରି ୨ ଲକ୍ଷ ୬୬ ହଜାର । ହାଟ ପୋଖରୀ କେବଳ ସଫେଇ କରି ୪ ଲକ୍ଷ ୯୨ ହଜାର।ଦେଉଳ ପୋଖରୀ କେବଳ ସଫେଇ କରି ୪ ଲକ୍ଷ ୬୭ ହଜାର। ଲହୁଣିଆ ଗ୍ରାମ ନୂଆ ପୋଖରୀ ମରାମତି କିମ୍ବା ପୁନରୁଦ୍ଧାର କରାନଯାଇ କେବଳ ସଫେଇ ବାବଦରେ ୪ ଲକ୍ଷ ୭୭ ହଜାର ।ବୁଢ଼ା ଢେପ ଗାଁ ପୋଖରୀ କେବଳ ସଫେଇ କରି ୨ ଲକ୍ଷ ୩୭ ହଜାର। ସାନ ପୋଖରୀ ନାଁ ରେ ୪ ଲକ୍ଷ ୬୧ ହଜାର।ଜେନାପୁର ଗାଁ ପୋଖରୀ ମରାମତି ନାଁ ରେ ୫ ଲକ୍ଷ ୬୯ ହଜାର ଟଙ୍କା ଆତ୍ମସାତ କରାଯାଇଥିବା ଅଭିଯୋଗରେ ଦର୍ଶାଯାଇଛି। ସେହିପରି ଲୋଚାପଡ଼ା ଗ୍ରାମ ଠାରୁ ଗୌଡ଼ ଗାଁ ପୋଖରୀ ରାସ୍ତା ନିର୍ମାଣ ନାଁ ରେ ୩ ଲକ୍ଷ ୫୫ ହଜାର ମିଥ୍ୟା ବିଲ୍ ପ୍ରସ୍ତୁତ କରାଯାଇ ହଡ଼ପ କରାଯାଇଛି ବୋଲି ଅଭିଯୋଗ ହୋଇଛି। ପଞ୍ଚାୟତର ଅଧିନ ବିଭିନ୍ନ ଗାଁ ର ବ୍ୟକ୍ତି ମାନଙ୍କ ନାଁ ରେ ମୋ ଉପକାରୀ ବଗିଚା କରାଯାଇଥିବା ଦର୍ଶାଇ ୨୮ ଲକ୍ଷ ୭୩ ହଜାର ଟଙ୍କା ଉଠାଣ କରାଯାଇଥିଲେ ମଧ୍ୟ କେଉଁଠି ହେଲେ ପନିପରିବା ଚାରା ଟିଏ ମଧ୍ୟ ନଥିବା ଅଭିଯୋଗ ପତ୍ର ରେ ଉଲ୍ଲେଖ କରାଯାଇଛି।