ମହାନଦୀ ମୁହାଣରେ ଡଙ୍ଗା ଓଲଟି ଜଣେ ନିଖୋଜ ଡଙ୍ଗାରୁ ବାହାରିଲା ବିପୁଳ ବିଦେଶୀ ମଦ ଓ ସିଗାରେଟ

ସମୁଦ୍ର ମଧ୍ୟରେ ଚୋରା କାରବାର ବେଳେ ଅଘଟଣ
ପାରାଦୀପ,(ୱାଏନଏସ):ପାରାଦୀପ ମାଛଧରାବନ୍ଦର ପାଖ ମହାନଦୀ ମୁହାଣରେ ଗୁରୁବାର ଖରାବେଳେ ଏକ ଟାପା ଡଙ୍ଗା ଓଲଟି ପଡିଥିଲା। ସେଥିରେ ଥିବା ୩ ଜଣଙ୍କ ମଧ୍ୟରୁ ଦୁଇଜଣ ନିଜ ଉଦ୍ୟମରେ କୂଳକୁ ଫେରିଥିଲା ବେଳେ ଜଣେ ନିଖୋଜ ଅଛନ୍ତି। ନିଖୋଜ ହେଲେ ଷଣ୍ଢକୁଦ ନୋଳିଆସାହି ବସ୍ତିର ଗୋପିଲୀ ଶ୍ରୀନୁ(୨୦)। ପରେ ନିଖୋଜଙ୍କୁ ସ୍ଥାନୀୟ ନୋଳିଆ ବୋଟ୍, ମେରାଇନ୍ ପୋଲିସ ଓ କୋଷ୍ଟଗାର୍ଡ ପକ୍ଷରୁ ଖୋଜା ଚାଲିଛି।ରିପୋର୍ଟ ଲେଖା ହେବା ସୁଦ୍ଧା ତାଙ୍କର କୌଣସି ସନ୍ଧାନ ମିଳିନାହିଁ। ସବୁଠାରୁ କୌତୁହଳ ହେଲା ଓଲଟି ପଡିଥିବା ଡଙ୍ଗାରେ ମାଛ, ଜାଲ ବଦଳରେ ବିପୁଳ ପରିମାଣର ବିଦେଶୀ ମଦ ଓ ସିଗାରେଟ ବାହାରିଛି। ସଂପୃକ୍ତ ଚୋରା ସାମଗ୍ରୀକୁ ଯୁଦ୍ଧକାଳୀନ ମଧ୍ୟରେ ଅନ୍ୟ ଏକ ଡଙ୍ଗାକୁ ସ୍ଥାନାନ୍ତରିତ କରାଯାଇଛି। ସଂପୃକ୍ତ ଘଟଣା ସମୟରେ ଗଣମାଧ୍ୟମ ପ୍ରତିନିଧିମାନେ ପହଞ୍ଚି ଯିବାପରେ ମେରାଇନ୍ ପୋଲିସ, ମତ୍ସ୍ୟବିଭାଗର କର୍ମଚାରୀ ମାନେ ତରତରରେ ଡଙ୍ଗାକୁ କୂଳରୁ ହଟେଇ ଦେଇଥିଲେ। ଓଲଟି ପଡିଥିବା ଡଙ୍ଗାରେ ମାତ୍ର ୩ ଜଣ ଥିଲେ। ନିଖୋଜଙ୍କ ବ୍ୟତୀତ ଅନ୍ୟ ଦୁଇଜଣ ହେଲେ ଡଙ୍ଗା ମାଲିକ ପାରା ଶ୍ରୀନୁ ଓ ଚୋରା ମଦ ସିଗାରେଟ ମୁଖ୍ୟ ବ୍ୟବସାୟୀ ଗାରିକୀନା ଭାଥୁଡୁ।ରିପୋର୍ଟ ଲେଖା ହେବା ସୁଦ୍ଧା ମାମଲା ରୁଜୁ ହୋଇନାହିଁ। ଘଟଣା ସମ୍ପର୍କରେ ସାମୁଦ୍ରିକ ମତ୍ସ୍ୟ ଅଧିକାରୀ ବିଜୟ କରଙ୍କୁ ପଚାରିଲେ କୁହନ୍ତି ଡଙ୍ଗା ବୁଡି ଯାଇଥିଲା।ସେଥିରେ ଥିବା ୩ ଜଣଙ୍କ ମଧ୍ୟରୁ ଦୁଇ ଉଦ୍ଧାର ପାଇଥିବା ବେଳେ ଜଣେ ନିଖୋଜ ଅଛନ୍ତି। ତାହା ମାଛଧରା ଡଙ୍ଗା ବୋଲି ପଞ୍ଜିକରଣ ହୋଇଛି। ସେଥିରେ କିଛି ମଦ ସିଗାରେଟ ବାହାରିଛି। ମେରାଇନ୍ ଥାନାଧିକାରିଣୀ ସୁଜାତା ବେହେରା କହିଥିଲେ ମୁଁ ଛୁଟିରେ ଅଛି କିଛି ଜାଣିନାହିଁ। ସୂଚନାଯୋଗ୍ୟ, ପାରାଦୀପ ବନ୍ଦର ଆଙ୍କରେଜ ଏରିଆରେ ସବୁବେଳେ ବିଦେଶୀ ପଣ୍ୟବାହୀ ଜାହାଜ କିଛି ସମୟ ପାଇଁ ଅଟକି ଥାନ୍ତି। ସେହି ସମୟରେ ଜାହାଜର ନାବିକଙ୍କୁ ବିଭିନ୍ନ ଲୋଭନୀୟ ସାମଗ୍ରୀ, ମୋବାଇଲ ସିମ୍ କାର୍ଡ, ଆଦି ଏହି ଟାପା ଡଙ୍ଗା ଜରିଆରେ ଯୋଗାଇ ଦିଆଯାଏ। ପ୍ରତି ବଦଳରେ ଜାହାଜ ତେଲ, ବିଦେଶୀ ମଦ, ସିଗାରେଟ , ଜାହାଜ ସ୍କ୍ରାବ, ଭଳି ସାମଗ୍ରୀ ସଂଗ୍ରହ କରାଯାଇ ଖୋଲା ବଜାରରେ ବିକ୍ରି ହୁଏ।ଏପରି କାରବାର ମତ୍ସ୍ୟ ବିଭାଗ, ମେରାଇନ୍ ପୋଲିସ ଓ ଅନ୍ୟ ବିଭାଗୀୟ ଅଧିକାରୀ ମାନଙ୍କ ଜ୍ଞାତସାରରେ ଚାଲିଥିବା ଅଭିଯୋଗ ହୁଏ। ଗତ ୨୦୧୬ ମସିହାରେ ଏମିତି ଏକ ଚୋରା ତେଲ ଡଙ୍ଗାରେ ଅର୍ଥ କାରବାରକୁ ନେଇ ଜଣଙ୍କୁ ହତ୍ୟା ଅଭିଯୋଗ ହୋଇଥିଲା। ଏହାସତ୍ତ୍ୱେ ସମୁଦ୍ରରେ ଅବାଧରେ ଏମିତି ଚୋରା କାରବାର ଚାଲିଛି। ସଂପୃକ୍ତ ବ୍ୟବସାୟୀ ଜଣେ ବିଶିଷ୍ଟ ରାଜନେତାଙ୍କ ପାଖଲୋକ ବୋଲି ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ