ମହିଳାଙ୍କ ନାଁରେ ଜାଲିଆତି ଋଣଟଙ୍କା ଉଠାଣ କରି ଅଭିଯୁକ୍ତ ଫେରାର ଥାନାରେ ଏତଲା
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ନୂଆଗଡ ଗ୍ରାମର କିଛି ମହିଳାଙ୍କ ନାମରେ କୌଶଳକ୍ରମେ ପ୍ରାୟ ସାଢେ ୫ ଲକ୍ଷ ଋଣଟଙ୍କା ଉଠାଣ କରି ସେହି ଗ୍ରାମର ଜଣେ ବ୍ୟକ୍ତି ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଛି।ଏକ ମହିଳା ଗୋଷ୍ଠୀର ସଦସ୍ଯା ମାନଙ୍କୁ ଅତି ଚତୁରତାର ସହ ବିଭିନ୍ନ ସରଳ କଥା କହି କୃଷ୍ଣ ପାତ୍ର ନାମକ ବ୍ୟକ୍ତି ଜଣକ ସ୍ପନ୍ଦନ ନାମକ ଘରୋଇ ଫାଇନାନ୍ସ କମ୍ପାନୀରୁ ଟଙ୍କା ଉଠାଇ ସପରିବାର ସହ ଗାଁରୁ ଚମ୍ପଟ ମାରିଥିବା ବେଳେ ତାଙ୍କ ମୋବାଇଲ ନଂ.କୁ ଯୋଗାଯୋଗ କଲେ ସେ ବିଭ୍ରାନ୍ତିକର ସୂଚନା ଦେବା ସହ ଓଲଟି ସେମାନଙ୍କୁ ଧମକ ଚମକ ଦେଉଥିବା ଅଭିଯୋଗ ହୋଇଛି।କୃଷ୍ଣ ଗ୍ରାମର ଚିନ୍ତେଇ ପ୍ରଧାନଙ୍କ ନାଁରେ ୨ଟି ଋଣ ଆବେଦନ କରି ୧ ଲକ୍ଷ ୬୦ ହଜାର ଟଙ୍କା, କେ. ରଶ୍ମିତା ଦୋରାଙ୍କ ନାଁ ଋଣ ଆବେଦନ କରି ୯୦ ହଜାର ଟଙ୍କା, ପୂର୍ଣ୍ଣବାସୀ ପ୍ରଧାନ, ଟୁକୁନି ପ୍ରଧାନ, ଅପୂର୍ବ ପ୍ରଧାନଙ୍କ ନାଁରେ ୮୦ ହଜାର ଟଙ୍କା ଲେଖାଏଁ ଏବଂ ନୀଳା ପ୍ରଧାନଙ୍କ ନାଁରେ ୫୦ ହଜାର ଟଙ୍କା ଉଠାଇଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ଉକ୍ତ ଫାଇନାନ୍ସ ସଂସ୍ଥାର ମ୍ଯାନେଜର ମହିଳା ମାନଙ୍କୁ ଋଣ ପରିଶୋଧ କରିବାକୁ କହୁଥିବାରୁ ପ୍ରତାରଣାର ଶୀକାର ହୋଇଥିବା ମହିଳା ମାନେ ଦିଗପହଣ୍ଡି ଥାନାରେ ଫେରାର କୃଷ୍ଣଙ୍କ ନାଁରେ ଏତଲା ଦେଇଥିବା ଜଣାପଡିଛି। ଅଭିଯୋଗର ତଦନ୍ତ ଚାଲିଥିବା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର କହିଛନ୍ତି।