ମାଁ ବାଙ୍କେଶ୍ଵରୀ ମନ୍ଦିର ପରିଚାଳନା କମିଟିର ସଭାପତି ହେଲେ ବିପିନ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ ବଡଡୁମୁଳା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମାଁ ସିଦ୍ଧ ବାଙ୍କେଶ୍ଵରୀ ଙ୍କ ମନ୍ଦିର ଉନ୍ନୟନ ଓ ପରିଚାଳନା କମିଟିର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିବା ବେଳେ ପୂର୍ବତନ ବ୍ଳକ ଅଧ୍ୟକ୍ଷ ତଥା ଜିଲ୍ଲା ପରିଷଦ ସଦସ୍ୟ ବିପିନ ଚନ୍ଦ୍ର ପ୍ରଧାନ ଙ୍କୁ ନୂତନ ସଭାପତି ଭାବେ ମନୋନୀତ କରାଯାଇଛି । ସୋମବାର ପୂର୍ବତନ ସଭାପତି ହରିସେବକ ପଣ୍ଡାଙ୍କ ସଭାପତିତ୍ବରେ ମନ୍ଦିର ପରିସରରେ ଥିବା କଲ୍ୟାଣ ମଣ୍ଡପରେ ଆଗାମୀ ମାର୍ଚ୍ଚ ୧୩ ତାରିଖ ଠାରୁ ୧୫ ତାରିଖ ଯାଏଁ ୩ ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ମାଁ ବାଙ୍କେଶ୍ଵରୀଙ୍କ ଦୋଳଯାତ୍ରା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେକ ବର୍ଷ ମାଁ ଙ୍କ ଯାତ୍ରା ଧୁମଧାମରେ ପାଳିତ ହୋଇ ଆସୁଥିବା ବେଳେ ଚଳିତ ବର୍ଷ ମାଁ ଙ୍କ ଯାତ୍ରା କିଭଳି ଶାନ୍ତିଶୃଙ୍ଖଳାରେ ସମାପନ ହୋଇପାରିବ ଏବଂ ବହୁ ଦୂରଦୂରାନ୍ତରୁ ଆସୁଥିବା ମାନସିକଧାରୀ ଭକ୍ତଙ୍କ ଜନ ସମାଗମ କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନର ସହାୟତା କ୍ରମେ ସେମାନଙ୍କ ଭକ୍ତଙ୍କ ସୁରକ୍ଷା , ଗମନାଗମନ ବ୍ୟବସ୍ଥା , ଗାଡି ପାର୍କିଂ , ପାନୀୟ ଜଳ , ସ୍ବାସ୍ଥ୍ୟସେବା , ପରିମଳ ବ୍ୟବସ୍ଥା କିପରି ଗୁରୁତ୍ବର ସହ କରାଯିବ ସେ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା । ଏଥିସହ ଜନଗହଳିପୂର୍ଣ୍ଣ ଯାତ୍ରା ରାସ୍ତା ରେ ଭିଡ ନିୟନ୍ତ୍ରଣ ଓ ମାଁ ଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ପୋଲିସ ପ୍ରଶାସନ ସମେତ ସ୍କାଉଟ ଗାଇଡ ଛାତ୍ରଛାତ୍ରୀ ଓ ସ୍ବେଚ୍ଛାସେବୀ ମାନଙ୍କୁ ନିୟୋଜିତ କରାଯିବାକୁ ବୈଠକରେ ସ୍ଥିର ହୋଇଥିଲା । ସେହିପରି ମାଁ ଙ୍କ ନୂତନ ମନ୍ଦିର ନିର୍ମାଣ , ମନ୍ଦିରର ରହିଥିବା ବିଭିନ୍ନ ମୌଳିକ ସମସ୍ୟାର ସମାଧାନ କରାଯାଇ ତାର ଉତ୍ତରୋତ୍ତର ଉନ୍ନତି ଦିଗରେ ବୈଠକରେ ଆଲୋଚନା କରାଯାଇଥିଲା । ବୈଠକରେ ଉପସଭାପତି ତଥା ପୂର୍ବତନ ସରପଞ୍ଚ କେ . ସଞ୍ଜୀବ କୁମାର ରେଡ୍ଡୀ , ପୂର୍ବତନ ସରପଞ୍ଚ ତଥା ସମ୍ପାଦକ ଉପେନ୍ଦ୍ର ପ୍ରଧାନ , କୋଷାଧ୍ୟକ୍ଷ ଭୀମସେନ ପ୍ରଧାନ , ସହ କୋଷାଧ୍ୟକ୍ଷ ସୁଦାମ ପ୍ରଧାନ , ସରପଞ୍ଚ ପ୍ରତିନିଧି ଶେଷକାନ୍ତ ଜାନୀ , ସମିତି ସଭ୍ୟ ତଥା ଉପଦେଷ୍ଟା ରମେଶ ଚନ୍ଦ୍ରପାଢ଼ୀ , ବୃନ୍ଦାବନ ଭୂୟାଁ , ମାଧବ ବେହେରା , ନୀଳମାଧବ ପାତ୍ର, ଭଗବାନ ପ୍ରଧାନ , ରବିନ୍ଦ୍ର ସେଠୀ ଙ୍କ ସମେତ ଯାତ୍ରା କମିଟି ସଦସ୍ୟ ବୃନ୍ଦ ଓ ଆଖପାଖ ଗ୍ରାମ ର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।