ମାଓନେତ୍ରୀକୁ କରୋନା, ଦିଆଗଲା ଛୁଟି
ମାଲକାନଗିରି: ଛତିଶଗଡ଼ର କୁଖ୍ୟାତ ମାଓନେତ୍ରୀ ସୁମିତ୍ରା କରୋନାରେ ସଂକ୍ରମିତ ହୋଇଥିବା ନେଇ ସନ୍ଦେହ କରିଛି ନକ୍ସଲ ସଂଗଠନ । ତେଣୁ ତାଙ୍କୁ ଛୁଟିରେ ଦିଆଯାଇଥିବା ବେଳେ ସୁସ୍ଥ ହେଲେ ପୁଣି ସଂଗଠନକୁ ଫେରିବାକୁ କୁହାଯାଇଥିଲା । ଘରକୁ ଫେରି ଜଙ୍ଗଲରେ ଲୁଚି ରହିଥିଲେ ସୁମିତ୍ରା କିନ୍ତୁ ପୁଲିସ ହାବୁଡ଼ରେ ପଡ଼ିବାରୁ ତାଙ୍କୁ ଗିରଫ କରାଯାଇଛି । କୋର୍ଟ ଚାଲାଣ କରିବା ପୂର୍ବରୁ ତାଙ୍କୁ ସଙ୍ଗରୋଧରେ ରଖି ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରୁଛି ପୁଲିସ । ଏହି ଘଟଣା ପରେ ନକ୍ସଲ ସଂଗଠନରେ ମଧ୍ୟ କରୋନାକୁ ନେଇ ପ୍ରବଳ ଭୟ ରହିଥିବା ସ୍ପଷ୍ଟ ହୋଇଛି । ସେହିପରି ସଂଗଠନ କେତେ ସତର୍କ ତାହା ମଧ୍ୟ ଜଣାପଡ଼ିଛି । ସୂଚନା ଅନୁଯାୟୀ, ପଡୋଶୀ ଛତିଶଗଡ଼ର ବିଜାପୁର ଜିଲ୍ଲା ମୋଦକପାଲ ଥାନା ଅଞ୍ଚଳରେ ଜଣେ ମହିଳା ସନ୍ଦଗ୍ଧ ଅବସ୍ଥାରେ ବୁଲାବୁଲି କରୁଥିବା ନେଇ ପୁଲିସକୁ ସୂଚନା ମିଳିଥିଲା । ମହିଳା ଜଣଙ୍କ ଅଧିକାଂଶ ସମୟ ପେଦକାବାଲୀ ଗାଁ ନିକଟସ୍ଥ ଜଙ୍ଗଲରେ ହିଁ ରହୁଥିବା ବି ଗୁଇନ୍ଦା ସୂତ୍ରରୁ ଖବର ମିଳିଥିଲା । ଏହା ପରେ ଡିଆଇଜି ଯବାନ ଏହି ଅଞ୍ଚଳରେ ସନ୍ଦିଗ୍ଧ ମହିଳାଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ । ସର୍ଚ୍ଚ ଅପରେସନ ସମୟରେ ସେହି ମହିଳା ଠାବ ହେବାରୁ ଯବାନମାନେ ତାଙ୍କ ଧରିବା ପରେ ପଚରାଉଚରା କରିଥିଲେ । ଯେଉଁ ତଥ୍ୟ ମହିଳାଙ୍କଠାରୁ ମିଳିଲା ତାହା ପୁଲିସକୁ ଚକିତ କରିଥିଲା । ମହିଳା ଜଣକ ସଂଗଠନର ଏକ ନମ୍ବର ବାଟାଲିୟନର ପ୍ଲାଟୁନ ନମ୍ବର ୩ରେ ସକି୍ରୟ ଥିବା ମାଓନେତ୍ରୀ ସୁମିତ୍ରା ଚେବା ବୋଲି ଜଣାପଡ଼ିଥିଲା । ମୋଦପାଲ ଗାଁର ଚିନ୍ନା ଚେବାଙ୍କ ଝିଅ ସୁମିତ୍ରା ୨୦୧୦ ମସିହାରୁ ସଂଗଠନରେ ରହି କାମ କରୁଥିବା ବେଳେ କିଛି ଦିନ ତଳେ ଅସୁସ୍ଥତା ଅନୁଭବ କରିଥିଲେ । ଥଣ୍ଡା ଜ୍ୱର ସହ ବାରମ୍ବାର କାଶ ହେବାରୁ ସଂଗଠନ ତାଙ୍କୁ କିଛି ଦିନ ତଳେ ଛୁଟି ଦେଇଥିଲା । ତେଣୁ ସେ ନିଜ ଗାଁକୁ ଫେରି ଜଙ୍ଗଲରେ ରହୁଥିଲେ ।