ମାଧବ ମନ୍ଦିରରୁ ଶ୍ରୀ ମନ୍ଦିର ଗଲା ପୋଢ଼ୁଆଁ ଭାର

ନିମାପଡ଼ା,(ସନ୍ତୋଷ ଦାଶ):ରାତି ପାହିଲେ ମାର୍ଗଶିର ମାସ ର ଅଷ୍ଟମୀ।ଓଡ଼ିଆ ସଂସ୍କୃତି ରେ ଏହା ପ୍ରଥମାଷ୍ଟମୀ ବା ପୋଢ଼ୁଆଁଷ୍ଟମୀ ଭାବେ ପରିଚିତ। ଏହି ଦିନ ଘର ର ଜ୍ୟେଷ୍ଠ ସନ୍ତାନ ମାମୁଁ ଘରୁ ଆସିଥିବା ନବ ବସ୍ତ୍ର ପରିଧାନ କରିଥାନ୍ତି। ପୁରୀ ଶ୍ରୀ ମନ୍ଦିର ର ରତ୍ନ ସିଂହାସନ ଉପରେ ପୂଜା ପାଉଥିବା ଠାକୁର ମାନଙ୍କ ପୋଢ଼ୁଆଁ ପାଇଁ ଆଜି ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ମା ସୁଭଦ୍ରା ଙ୍କ ମାମୁଁ ଘର ଭାବେ ପରିଚିତ ପ୍ରାଚୀ ଉପତ୍ୟକା ର ମାଧବ ମନ୍ଦିର ରୁ ଯାଇଛି ପୋଢ଼ୁଆଁ ଭାର। ପୂର୍ବରୁ ପ୍ରାଚୀ ଉପତ୍ୟକା ର ମଠ, ମନ୍ଦିର, ଜଗନ୍ନାଥ ପ୍ରେମୀ ଭକ୍ତ ମାନେ ତୁଳସୀ, ଫଳ ମୂଳ, ଫୁଲ, ପାଟବସ୍ତ୍ର ପ୍ରଭୃତି ମାଧବ ମନ୍ଦିର ଠାରେ ଠୁଳ କରିଥିଲେ।ରତ୍ନସିଂହାସନସ୍ଥ ମହାପ୍ରଭୁ ଶ୍ରୀଜଗନ୍ନାଥ ,ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ,ସୁଦର୍ଶନ ,ମାଧବ , ଭୂଦେବୀ ଓ ଶ୍ରୀ ଦେବୀଙ୍କ ପାଇଁ ପାଟବସ୍ତ୍ର , ଅରୁଆ ଚାଉଳ, ବିରି,ନଡ଼ିଆ, ଗୁଡ଼ , ପାଚିଲା କଦଳି ,ଘିଅ , ଚନ୍ଦନ କାଠ , କର୍ପୂର , ଅଗୁରୁ , ଯାଈଫଳ , ପାନ , ଗୁଆ, ଅଳେଇଚ , ଲବଙ୍ଗ, ଗୋପାଳବଲ୍ଲଭ ପାଇଁ ବିଭିନ୍ନ ଫଳମୂଳ ଏବଂ ମହାପ୍ରଭୁଙ୍କ ବେଶ ଲାଗି ତୁଳସୀ ଓ ପଦ୍ମଫୁଲ ସବୁକୁ ଶୁକ୍ରବାର ସକାଳେ ଶ୍ରୀ ମାଧବାନନ୍ଦ ଜୀୟୁ ଙ୍କ ମନ୍ଦିରରୁ ଭାର ବନ୍ଧା ଯାଇ ଶୋଭାଯାତ୍ରା ରେ ପୁରୀ ଶ୍ରୀ କ୍ଷେତ୍ର କୁ ନିଆ ଯାଇଛି। ପ୍ରଭୁ ମାଧବ ଙ୍କ ଭୋଇ ସେବକ ମାନେ ଶୋଭାଯାତ୍ରା ର ଆଗରେ ପତାକା ଧରି ଚାଲିଥିଲେ । ଢୋଲିଆ ଓ ମହୁରିଆ ମଙ୍ଗଳବାଦ୍ୟ ବଜାଇଥିଲେ।ଶୋଭାଯାତ୍ରା ରେ ଗଡ଼ୁଆ ସେବକ ମାନେ ପାଇକ ଆଖଡା ପ୍ରଦର୍ଶନ କରିଥିବା ବେଳେ ଗୋପାଳ ସେବକ ମାନେ ରାମତାଳି / ଲଉଡ଼ି ପ୍ରଦର୍ଶନ କରିଥିଲେ।ଶତାଧିକ ସଂକୀର୍ତ୍ତନ ଦଳ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ବେହେରା ସେବକ ମାନେ ନିଷ୍ଠାର ସହ ଉପବାସ ବ୍ରତ ପାଳି ଏହି ଦିବ୍ୟଭାର ନେଇ ଶ୍ରୀକ୍ଷେତ୍ର ଯାତ୍ରା କରିଥିଲେ । ମାଧବ ମନ୍ଦିର ର ଛତିଶା ନିଯୋଗୀ, ପ୍ରାଚୀ ଅଞ୍ଚଳର ବହୁ ସାଧୁସନ୍ଥ , ଭକ୍ତ ଓ ଶ୍ରୀଜଗନ୍ନାଥ ପ୍ରେମୀ ଏହି ଶୋଭାଯାତ୍ରା ରେ ସାମିଲ ହୋଇଥିଲେ। ବାଟରେ ପଦଯାତ୍ରୀ ମାନଙ୍କୁ ବିଭିନ୍ନ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ମାନଙ୍କ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆ ଯାଇଥିଲା।ଚାରିଛକ ଓ ଗଣେଶ୍ୱରପୁରଠାରେ ଦହିପଣା ଓ ବାଲିଘାଇଠାରେ ପରମହଂସ ପ୍ରଜ୍ଞାନାନନ୍ଦଙ୍କ ଆଶ୍ରମରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ହୋଇଥିଲା ।ଏହି ଶୋଭାଯାତ୍ରା ମାଧବ , ଚନ୍ଦ୍ରମଉଳି , ଚାରିଛକ , ଗୋପ , ଗଣେଶ୍ୱରପୁର , ନାଗପୁର , ଷୋଳପୁର , ମଦରଙ୍ଗ , ଛଇତନା , ବାଲିଘାଇ ଓ ବାଲିଗୁଆଳି ଦେଇ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଥିଲା।ସେଠାରୁ ଅପରାହ୍ନ ରେ ଦ୍ୱିତୀୟ ପର୍ଯ୍ୟାୟ ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ପଦଯାତ୍ରା ଶେଷ ହୋଇଥିଲା। ଭାର ସବୁ କୁ ଶ୍ରୀ ମନ୍ଦିର ପ୍ରଶାସନର ଦାୟୀତ୍ବ ଦିଆଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ