ମାର୍ଚ୍ଚ ୭ ତାରିଖରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା
କଟକ, (ଯୁଗାବ୍ଦ ନ୍ୟୁଜ):ଆସନ୍ତା ମାର୍ଚ୍ଚ ୭ ତାରିଖ ଶୁକ୍ରବାର ଦିନ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମଠାରେ କଟକ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହେବ । ଏହି ମେଳା ସକାଳ ୧୦ଟାରୁ ଆରମ୍ଭ ହୋଇ ଦିନ ୩ଟା ପର୍ଯ୍ୟନ୍ତ ଚାଲିବ । ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ, ଜିଲ୍ଲା ଦକ୍ଷତା ବିକାଶ ନିୟୋଜନ କାର୍ଯ୍ୟାଳୟ, କଟକ ଓ ଜିଲ୍ଲା ପ୍ରଶାସନ ସହଯୋଗରେ ଅନୁଷ୍ଠିତ ହେବାକୁ ଥିବା ଏହି ନିଯୁକ୍ତି ମେଳାରେ ଜିଲ୍ଲାର ୧୪ଟି ଯାକ ବ୍ଲକର ପଂଚମ ଶ୍ରେଣୀଠାରୁ ଯୁକ୍ତ ୩ ପାଶ୍, ଏଏନଏମ/ଜିଏନଏମ, ଆଇଟିଆଇ ଓ ଡିପ୍ଲୋମା ପାସ୍ କରିଥିବା ୧୮ରୁ ୩୫ ବର୍ଷର ଯୁବକ ଯୁବତୀ ଅଂଶଗ୍ରହଣ କରିପାରିବେ । ଏହି ନିଯୁକ୍ତି ମେଳାରେ କୃଷି, ଫାର୍ମାସିଷ୍ଟ, ସିକ୍ୟୁରିଟି ଏଜେନ୍ସି, ସ୍ୱାସ୍ଥ୍ୟ ସେବା, ଅଟୋମୋବାଇଲ୍ ଭଳି ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ରାଜ୍ୟ ଏବଂ ରାଜ୍ୟବାହାରର ବେସରକାରୀ ନିଯୁକ୍ତିଦାତା ଅଂଶଗ୍ରହଣ କରୁଛନ୍ତି । ନିଯୁକ୍ତିଦାତାମାନଙ୍କ ମଧ୍ୟରୁ କେତେକ ସିଧାସଳଖ ନିଯୁକ୍ତି ଦେବେ ଏବଂ ଆଉ କେତେକ ନିଯୁକ୍ତି ଭିତିକ ତାଲିମ ପରେ ନିଯୁକ୍ତି ଦେବାର ବ୍ୟବସ୍ଥା ରହିଛି । ଏହି ତାଲିମ ସମ୍ପୁର୍ଣ୍ଣ ମାଗଣା । ତାଲିମ ସମୟର ପ୍ରଶିକ୍ଷଣ, ରହିବା ଓ ଖାଦ୍ୟପେୟ ବାବଦର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ପ୍ରାର୍ଥୀ/ପ୍ରାର୍ଥିନୀମାନେ ବିିଭନ୍ନ କାଉଂଟରରେ ପଞ୍ଜିକରଣ କରିପାରିବେ ଏବଂ ନିଜ ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ନିଯୁକ୍ତି ସଂସ୍ଥାରେ ନିଯୁକ୍ତି ବା ତାଲିମ ପାଇପାରିବେ । ବିଭିନ୍ନ ବ୍ଲକରୁ ଟ୍ରେନ୍ କିମ୍ବା ବସରେ ଆସୁଥିବା ପ୍ରାର୍ଥୀ/ପ୍ରାର୍ଥିନୀମାନଙ୍କୁ ସୁବିଧାରେ ନିଯୁକ୍ତି ମେଳା ସ୍ଥାନରେ ପହଂଚିବା ନିମନ୍ତେ ଜିଲ୍ଳା ପ୍ରଶାସନ ପକ୍ଷରୁ ରେଳ ଷ୍ଟେସନ ଓ ସିଏନବିଟି ବସ୍ ଷ୍ଟାଣ୍ଡରୁ ନିଯୁକ୍ତି ମେଳା ସେବା ନାମରେ ମାଗଣା ଗାଡିର ବ୍ୟବସ୍ଥା କରାଯାଇଛି । । ଇଚ୍ଛୁକ ପ୍ରାର୍ଥୀ/ପ୍ରାର୍ଥିନୀ ନିଜର ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର, ଆଧାର କାର୍ଡ ଓ ପାସପୋର୍ଟ ସାଇଜ୍ ଫଟୋ ସହିତ ଏହି ନିଯୁକ୍ତି ମେଳାରେ ଅଂଶଗ୍ରହଣ କରିପାରିବେ । ଏ ସମ୍ପର୍କରେ ଅଧିକ ସୂଚନା ପାଇଁ ୦୬୭୧-୨୩୦୦୭୭ ଓ ୭୬୫୬୮୩୦୧୫୦ ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି ।