ମା ପାର୍ବତୀ ସ୍ୱୟଂ ସହାୟିକା ଗୋଷ୍ଟୀ ପକ୍ଷରୁ ଧାନମଣ୍ଡି ଉଦ୍ଘାଟିତ
ଆସିକା, (ଯୁଗାବ୍ଦ ନ୍ୟୁଜ):ଓଡିଶା ରାଜ୍ୟ ଯୋଗାଣ ନିଗମ ଲିଃର ପରାମର୍ଶ ଓ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଆସିକା ଏନଏସି ଅଧିନସ୍ଥ କୁମ୍ଭାର ସାହିରେ ଥିବା ମା ପାର୍ବତୀ ସ୍ୱୟଂ ସହାୟିକା ଗୋଷ୍ଟୀ ପକ୍ଷରୁ ଶୁକ୍ରବାର ଅପରାହ୍ନରେ ଆନୁଷ୍ଠାନିକ ଭାବେ ଧାନମଣ୍ଡି ଉଦ୍ଘାଟିତ ହୋଇଯାଇଛି । ଚଳିତବର୍ଷ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୩୦୦ ଟଙ୍କା ସହ ୮୦୦ ଶହ ଟଙ୍କା ଅତିରିକ୍ତ ଇନ୍ପୁଟ୍ ସହାୟତା ରାଶିକୁ ମିଶାଇ ଚାଷୀଙ୍କୁ କୁଇଣ୍ଟାଲ୍ ପିଚ୍ଛା ୩୧୦୦ ଟଙ୍କା ପ୍ରଦାନ କରିବା ଲାଗି ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଥିଲା ବେଳେ ଚାଷୀ ଯେପରି ମଣ୍ଡି ମାଧ୍ୟମରେ ଧାନ ବିକ୍ରୀ ସମୟରେ କୌଣସି ସମସ୍ୟାର ସମ୍ମୁଖୀନ ନହୁଏ ସେଥିପ୍ରତି ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ମାନ ଗ୍ରହଣ କରାଯାଇଥିବା ଦେଖିବାକୁ ମିଳିଛି । ଆସିକା ଏନଏସି ଅଧିନସ୍ଥ କୁମ୍ଭାର ସାହିରେ ଥିବା ମା ପାର୍ବତୀ ସ୍ୱୟଂ ସହାୟିକା ଗୋଷ୍ଟୀ ପକ୍ଷରୁ ଶୁଭାରମ୍ଭ ହୋଇଥିବା ଧାନମଣ୍ଡିକୁ ବିଧାୟକ ସରୋଜ କୁମାର ପାଢୀ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲା ବେଳେ ଏହି କାର୍ଯ୍ୟକ୍ରମରେ ଭଂଜନଗର ଉପଜିଲ୍ଲାପାଳ ଅନିଲ୍ କୁମାର ସେଠୀ, ଅତିରିକ୍ତ ଉପଜିଲ୍ଲାପାଳ ବିଶ୍ୱରଂଜନ କର, ଆସିକା ତହସିଲଦାର ସଙ୍କୀତା ସେଣ, ଆସିକା ଯୋଗାଣ ନିରୀକ୍ଷକ ସର୍ମିଷ୍ଟା ଦଳବେହେରା, ବ୍ଳକସ୍ତରୀୟ ସଂଯୋଜକ (ବିପିସି, ମିଶନ୍ ଶକ୍ତି) କିରଣ କୁମାର ସାହୁ, ଆସିକା ଏନ୍ଏସି ନଗରପାଳିକା ଶ୍ରୀମତୀ ବିନେତା ସ୍ୱାଇଁ ଓ ଉପନଗରପାଳିକା ଜୟନ୍ତୀ ବିଷୋୟୀ, ସମାଜସେବୀ ସତ୍ୟନାରାୟଣ ସ୍ୱାଇଁ ଓ ସୁନିଲ୍ କୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଚାଷୀ ମାନଙ୍କ ଉନ୍ନତି ଓ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କାର୍ଯ୍ୟକାରୀ କରୁଥିବା ବିଭିନ୍ନ ଚାଷୀ କଲ୍ୟାଣକାରୀ ଯୋଜନା ଗୁଡିକ ଉପରେ ଗୁରୁତ୍ୱାରୋପ କରାଯାଇ ଚାଷୀ କିପରି ଚାଷ କାମ କରି ଲାଭବାନ୍ ହେବା ସହ ସ୍ୱାବଲମ୍ବୀ ଓ ଆତ୍ମନିର୍ଭରଶୀଳ ହୋଇ ପାରିବ ସେଥି ପ୍ରତି ସମସ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦେଇ ଚାଷୀଙ୍କ ସ୍ୱାର୍ଥରକ୍ଷା ଲାଗି ମା ପାର୍ବତୀ ସ୍ୱୟଂ ସହାୟିକା ଗୋଷ୍ଟୀ ସର୍ବଦା ତତ୍ପର ବୋଲି ମତ ପ୍ରକାଶ ପାଇଥିଲା । ଏହି କାର୍ଯ୍ୟକ୍ରମରେ ମା ପାର୍ବତୀ ସ୍ୱୟଂ ସହାୟିକା ଗୋଷ୍ଟୀର ସଭାନେତ୍ରୀ ପୁଷ୍ପାଞ୍ଜଳୀ ପାତ୍ର, ସମ୍ପାଦିକା ମାମି ଜେନା, ଆସିକା ଏନଏସି କାଉନସିଲର ଭାସ୍କର ବେହେରା, ମା ପାର୍ବତୀ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା କୁନି ମୁନି, ଚୁମ୍କୀ ବେହେରା, ଆରତୀ ମହାରଣା, ପ୍ରତିମା ରଣା, ପ୍ରମୋଦିନୀ ସାହୁ, ସବିତା ଜେନା, ସ୍ନେହଲତା ସାହୁ, ଡିଇଓ ସ୍ନେହଲତା ସାହୁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସଚେତନ ନାଗରିକ, ଚାଷୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ଚଳିତ ଧାନ ସଂଗ୍ରହ ଋତୁରେ ଚାଷୀ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୋଇ ସରକାରୀ ନିର୍ଦ୍ଧାରିତ ଦରରେ ମଣ୍ଡି ମାଧ୍ୟମରେ ଧାନ ବିକ୍ରୀ କରିପାରିବ ତାହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ମାନ ଗ୍ରହଣ କରିଥିବା ଲକ୍ଷ୍ୟ କରାଯାଇଛି । ମା ପାର୍ବତୀ ସ୍ୱୟଂ ସହାୟିକା ଗୋଷ୍ଟୀ ମାଧ୍ୟମରେ ଆସିକା ଏନଏସି ଅଞ୍ଚଳର ୧୬୦ଜଣ ଚାଷୀ ମଣ୍ଡି ମାଧ୍ୟମରେ ଧାନ ବିକ୍ରୀ କରିବାପାଇଁ ନାମପଞ୍ଜିକରଣ କରିଥିବା ଜଣାପଡିଛି । ଚଳିତ ଖରିଫ ୨୦୨୪-୨୫ ଋତୁରେ କିପରି ଶୃଙ୍ଖଳିତ ଭାବେ ସରକାରୀ ନିର୍ଦ୍ଧାରିତ ଦରରେ ମଣ୍ଡି ମାଧ୍ୟମରେ ଧାନ ବିକ୍ରୀ କରିବାକୁ ପଞ୍ଜିକରଣ କରିଥିବା ଚାଷୀଙ୍କ ଠାରୁ ଧାନ କ୍ରୟ କରାଯିବ ତାହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପମାନ ଗ୍ରହଣ କରାଯାଇଥିବା ଜଣାପଡିଛି । ପୂର୍ବରୁ ଗତ ଡିସେମ୍ବର ମାସ ୨୩ ତାରିଖରେ ଆସିକାରେ ଧାନକ୍ରୟ ଆରମ୍ଭ କରିବା ପାଇଁ ଦିନଧାର୍ଯ୍ୟ ହୋଇଥିଲା । କିନ୍ତୁ ଅଦିନିଆ ବର୍ଷା ଯୋଗୁଁ ଚାଷୀଙ୍କ ସୁବିଧା ଲାଗି ମଣ୍ଡି ଖୋଲିବା ତାରିଖ ଚଳିତମାସ ୩ ତାରିଖରୁ ଘୁଞ୍ଚାଇ ଦିଆଯାଇଥିଲା ।