ମା ଲକ୍ଷ୍ମୀଙ୍କୁ ପୂଜା କରି ସଧବା ମହିଳା ପିନ୍ଧିଲେ ସୁଦଶା ବ୍ରତ
ନିମାପଡ଼ା,(ସନ୍ତୋଷ ଦାଶ):ଗୁରୁବାର ଥିଲା ପୌଷ ମାସ ଶୁକ୍ଲ ଦଶମୀ ତିଥି ଓ ଗୁରୁବାର। କୌଣସି ମାସ ର ଶୁକ୍ଲ ଦଶମୀ ତିଥି ରେ ଗୁରୁବାର ପଡ଼ିଲେ ମା ଲକ୍ଷ୍ମୀ ଙ୍କ ନିକଟରେ ସଧବା ମହିଳା ମାନେ ନିଜ ସ୍ଵାମୀ ଙ୍କ ଦୀର୍ଘାୟୁ କାମନା କରି ସୁଦଶା ବ୍ରତ ପୂଜା କରି ପିନ୍ଧିଥାନ୍ତି। ତଦନୁସାରେ ଆଜି ସଧବା ମହିଳା ମାନେ ମା ଲକ୍ଷ୍ମୀ ଙ୍କ ନିକଟରେ ସୁଦଶା ବ୍ରତ ପୂଜା କରି ପିନ୍ଧିଥିଲେ। ମା ଲକ୍ଷ୍ମୀ ଙ୍କୁ ଦଶୋଟି ମଣ୍ଡା ପିଠା ଭୋଗ ଲାଗି କରିଥିଲେ ଓ ମହାଲକ୍ଷ୍ମୀ ଙ୍କ ଦଶଗୋଟି ନାମ ଯଥା ଲକ୍ଷ୍ମୀ ନାରାୟଣୀ, କମଳିନୀ, ଶ୍ରୀ ହରି ପ୍ରିୟା, ପଦ୍ମାଳୟା, କମଳା, ଚଞ୍ଚଳା, ବିଘ୍ନସେନୀ, ସିନ୍ଦୁର ଦୁଲ୍ଲଣୀ, ଦୁର୍ଗତି ନାସିନୀ, ବିଷ୍ଣୁ ପାଟରାଣୀ ଙ୍କ ନାମ ନେଇ ନିଜ ନିଜ ବ୍ରତ ରେ ଦଶଗୋଟି ଗଣ୍ଠି ପକାଇଥିଲେ। ସେହି ବ୍ରତ କୁ ମା ଲକ୍ଷ୍ମୀ ଙ୍କ ନିକଟରେ ପୂଜା କରି ସୁଦଶା ବ୍ରତ ପୁସ୍ତକ ପାଠ ପଢିବା ପରେ ନିଜ ବାହୁ ରେ ବାନ୍ଧି ଥିଲେ। ଏହି ବ୍ରତ ସଧବା ମହିଳା ଙ୍କ ବାହୁ ରେ ଥିବା ପର୍ଯ୍ୟନ୍ତ ନିଜ ସ୍ଵାମୀ ଙ୍କ ର ସବୁ ଗ୍ରହ ରିଷ୍ଠ ଖଣ୍ଡନ ହୋଇଥାଏ ଓ ମା ଲକ୍ଷ୍ମୀ ଙ୍କ କୃପା ଫଳରେ ଧନ ସମ୍ପଦ, ସୌଭାଗ୍ୟ, ସୁଖ୍ୟାତି, ସୁଖ ସମୃଦ୍ଧି, ସୌନ୍ଦର୍ଯ୍ୟ ଓ ପ୍ରେମ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏହି ବ୍ରତକୁ ପରବର୍ତ୍ତୀ ସୁଦଶା ବ୍ରତ ପର୍ଯ୍ୟନ୍ତ ବାହୁରେ ଧାରଣ କରାଯାଇ ଥାଏ। ସୁଦଶା ବ୍ରତ ପୂଜା କରିବାକୁ ବିଭିନ୍ନ ଗ୍ରାମ ର ମନ୍ଦିର ମାନଙ୍କ ରେ ସଧବା ମହିଳା ଙ୍କ ଭିଡ଼ ଲାଗିଥିଲା।