ମା’ ଶ୍ୟାମାକାଳୀଙ୍କ ନବଦିନାତ୍ମକ ପୂଜା ମହୋତ୍ସବ ଶୁଭାରମ୍ଭ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଳକ ସିଦ୍ଧେଶ୍ଵର ଗ୍ରାମରେ ମା’ ଶ୍ଯାମାକାଳୀଙ୍କ ନବ ଦିନାତ୍ମକ ପୂଜା ମହୋତ୍ସବ ମଙ୍ଗଳବାର ଶୁଭାରମ୍ଭ ହୋଇଛି। ପୂଜା ନିମନ୍ତେ ସମଗ୍ର ଗ୍ରାମ ଉତ୍ସବ ମୁଖର ହୋଇପଡ଼ିଛି। ଦୂର ଦୁରାନ୍ତରେ ରହୁଥିବା ଗ୍ରାମବାସୀ ସପରିବାର ଗ୍ରାମରେ ପହଞ୍ଚିଛନ୍ତି। ପୂଜା ଶୁଭାରମ୍ଭ ନିମନ୍ତେ ମଙ୍ଗଳବାର କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ପଣ୍ଡିତ ଅଶ୍ବିନୀ କୁମାର ରଥଙ୍କ ପୌରହିତ୍ୟରେ ପ୍ରାୟ ୫ ଶହରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ କଳସ ଯାତ୍ରାରେ ସାମିଲ ଥିଲେ । ନିକଟସ୍ଥ ଗଣେଶ୍ବରପୁର ଗ୍ରାମ ଦେଇ ଯାଇଥିବା କହ୍ନେଇନାଳ ଡ୍ୟାମରୁ ଗଙ୍ଗାମାତାଙ୍କୁ ଆବାହନ କରାଯାଇ ବାଦ୍ୟ ବାଜଣା ସହକାରେ କଳସ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରି ମନ୍ଦିର ବେଢା ପୂଜା ମଣ୍ଡପ ରେ ପହଞ୍ଚିଥିଲା। ମା’ଙ୍କ ପୂଜା ମଣ୍ଡପ ରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ବେଦଜ୍ଞ , କର୍ମକାଣ୍ଡବିତ , ଜ୍ଞାନୀ ପଣ୍ଡିତ ମାନଙ୍କ ବୈଦିକ ଶାସ୍ତ୍ର ଅନୁଯାୟୀ ଯାତ୍ରା ର ପ୍ରଥମ ଦିବସରେ ବ୍ରାହ୍ମଣ ବରଣ , ଅଧିବାଶ , ମଣ୍ଡଳକରଣ , ଘୃତଯଜ୍ଞ , ନାମଯଜ୍ଞ , ଅନ୍ନଯଜ୍ଞ ,ପୂଜାର୍ଚ୍ଚନା ଆୟୋଜନ କରାଯାଇଥିଲା । ମା’ ଙ୍କ ଯାତ୍ରା ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ହେବ ବୋଲି ଯାତ୍ରା କମିଟି ପକ୍ଷରୁ ସୂଚନା ଦିଆଯାଇଛି । କର୍ତ୍ତା ରୂପେ ଗଦାଧର ଜେନା ତାଙ୍କ ସହଧର୍ମିଣୀ ଲକ୍ଷ୍ମୀ ଜେନା , ଉଦୟ ପ୍ରଧାନ ଓ ଶଶୀ ପ୍ରଧାନ ଏବଂ ଭଗବାନ ବିଷୋୟୀ ଙ୍କ ସହ ରୀତା ବିଷୋୟୀ ଆସନ ଅଳଙ୍କୃତ କରିଥିଲେ । ମା’ ଙ୍କ ଯାତ୍ରା ପୀଠ ରେ ଦର୍ଶନ ଓ ସାନ୍ଧ୍ୟ ଆଳତି ଦେଖିବା ଲାଗି ଶ୍ରଦ୍ଧାଳୁଙ୍କ ମଧ୍ୟରେ ଭିଡ଼ ଦେଖିବାକୁ ମିଳିଥିଲା। ମୀନା ବଜାର ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ଦୁରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁ ଙ୍କୁ ବେଶ୍ ଆକର୍ଷିତ କରିବ ବୋଲି ଯାତ୍ରା କମିଟି ପକ୍ଷରୁ କୁହାଯାଇଛି ।ଯାତ୍ରା କମିଟି ସଭାପତି ଟୁକୁନା ପ୍ରଧାନ , ସମ୍ପାଦକ ଭଗବାନ ବିଷୋୟୀ , କୋଷାଧ୍ୟକ୍ଷ ପ୍ରଦୀପ ବେହେରା , ଉପଦେଷ୍ଟା ପୂର୍ବତନ ସରପଞ୍ଚ ଗଦାଧର ଜେନା , ହରିକୃଷ୍ଣ ପଟ୍ଟନାୟକ , ବନମାଳୀ ଜେନା , କିଶୋର ଚନ୍ଦ୍ର ଶତପଥୀ ସରୋଜ କୁମାର ଜେନାଙ୍କ ସମେତ କମିଟି ସଦସ୍ୟ ବୃନ୍ଦ ଏବଂ ଗ୍ରାମବାସୀ ଯାତ୍ରା ପରିଚାଳନାରେ ସମ୍ପୂର୍ଣ୍ଣ ସହଯୋଗ କରୁଥିବା ଜଣାପଡିଛି ।