ମୁଖ୍ୟମନ୍ତ୍ରୀଙ୍କ ସହିତ ଫୋନରେ ଆଲୋଚନା କଲେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ
ବାଲେଶ୍ୱର, (ସରୋଜ ପଣ୍ଡା):ବାତ୍ୟା ମୁକାବିଲାର ତଦାରଖ ଓ ଯୁଦ୍ଧକାଳୀନ ଭିତ୍ତିରେ ଏହାକୁ ପରିଚାଳନା ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କଲେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ। ଆଜି ଦିନ ତମାମ ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀ ବସ୍ତା, ବାଲିଆପାଳ ଓ ଜଳେଶ୍ଵର ବ୍ଲକର ବିପଦଶଙ୍କୁଳ ଅଞ୍ଚଳରୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଥିବା ଲୋକଙ୍କୁ ଭେଟି ସେମାନଙ୍କର ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିଛନ୍ତି। ସମସ୍ତଙ୍କ ପାଇଁ ପୌଷ୍ଟିକ ଖାଦ୍ୟ, ପାନୀୟ ଜଳର ବ୍ୟବସ୍ଥା, ବିଶେଷ କରି ଶିଶୁ ଓ ବୃଦ୍ଧ ବ୍ଯକ୍ତିଙ୍କ ପାଇଁ ଅଧିକ ଧ୍ୟାନ ଦେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ବିସ୍ଥାପିତଙ୍କ ଘରକୁ ସୁରକ୍ଷା ଦେବାପାଇଁ ସ୍ଥାନୀୟ ଥାନାପୋଲିସକୁ ନିର୍ଦେଶ ଦେଇଛନ୍ତି। ଶୁନ୍ୟ କ୍ଷୟକ୍ଷତି ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ପ୍ରକାରର ବନ୍ଦୋବସ୍ତ କରାଯାଇଛି, ଯେକୌଣସି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପୋଲିସ, ପ୍ରଶାସନ, ଅଗ୍ନିଶମ ବାହିନୀ, ଏନଡ଼ିଆରଏଫ୍, ଓଡ଼ିଆରଏଫ୍, ଜଙ୍ଗଲ ବିଭାଗ ଓ ସ୍ବାସ୍ଥ୍ୟ ବିଭାଗ ପ୍ରସ୍ତୁତ ରହିଛନ୍ତି। ଏ’ବାବଦରେ ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଟେଲିଫୋନ ଯୋଗେ କଥା ହେଇଛନ୍ତି। ଉକ୍ତ ତିନୋଟି ବ୍ଲକର ସମସ୍ତ ସ୍ଥାୟୀ ଓ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ପରିଭ୍ରମଣ କରି ବ୍ଯବସ୍ଥାର ତଦାରଖ କରି ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିୟୋଜିତ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ଏହା ସହିତ ଲୋକଙ୍କୁ ଭୟଭୀତ ନହୋଇ ସରକାରଙ୍କ ସୂଚନା ମୂତାଵକ ନିର୍ଦେଶ ପାଳନ କରିବା ପାଇଁ ଅନୁରୋଧ ରଖିଛନ୍ତି। ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀଯୁକ୍ତ ରବି ନାୟକ ମଧ୍ୟ ସାଂସଦଙ୍କ ସହିତ କିଛି ବାତ୍ୟା ଆଶ୍ରୟସ୍ଥଳୀ ବୁଲି ଦେଖିବା ସହିତ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି।