ମୁଖ୍ୟମନ୍ତ୍ରୀଙ୍କ ସହିତ ଭିଡିଓ କନଫରେନ୍ସିଂ ଯୋଗେ ଜିଲ୍ଲାରୁ ଯୋଗଦେଲେ ବିଧାୟକ ଓ ସାଂସଦ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ କେନ୍ଦ୍ରାପଡା ଜିଲ୍ଲାର କୋଭିଡ-୧୯ ଓ ଆସନ୍ତା ବନ୍ୟା ଜନିତ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଭିଡିଓକନଫରେନ୍ସିଂ ଯୋଗେ କେନ୍ଦ୍ରାପଡା ଲୋକସଭା ସାଂସଦ ଅନୁଭବ ମହାନ୍ତି , କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ଓ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ,ଜିଲ୍ଲାପାଳ ସମର୍ଥ ବର୍ମା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆସନ୍ତା ସମ୍ଭାବ୍ୟ ବନ୍ୟାର ମୁକାବିଲା ସମ୍ପର୍କରେ ଆଲୋଚନା କରାଯାଇ ଦୁର୍ବଳ ନଦୀବନ୍ଧ ଗୁଡିକର ତୁରନ୍ତ ମରାମତି କରାଯିବା,ବିପଦ ସୃଷ୍ଟି କରୁଥିବା ବା ଘଳିଆ ପଡୁଥିବା ନଦୀବନ୍ଧ ନିକଟରେ ଆବଶ୍ୟକ ଅନୁଯାଇ ବାଲିବସ୍ତା ମହଜୁଦ ରଖିବା, ଆବଶ୍ୟକ ସ୍ଥଳେ ବନ୍ୟା ବିପନ୍ନଙ୍କୁ ଅବିଳମ୍ବେ ଉଦ୍ଧାର କରାଯାଇ ସେମାନଙ୍କୁ ଥଇଥାନ କରାଯିବା, ଜିଲ୍ଲାର ଯେଉଁ ପଂଚାୟତ ଗୁଡିକରେ ପ୍ରବାସୀଙ୍କୁ ରଖିବା ପାଇଁ ସଙ୍ଗରୋଧ କେନ୍ଦ୍ର ବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର କରାଯାଇଥିଲା ସେସବୁ ସ୍ଥାନରେ ଜେନେରେଟର ବ୍ୟବସ୍ଥା କରାଯିବା ପାଇଁ ଆଲୋଚନା କରାଯାଇଥିଲା । ବିଦ୍ୟୁତ ସରବରାହ ଛିନ୍ନ ସମୟରେ ସେହିସବୁ ସ୍ଥାନରେ ଜେନେରେଟର ଲଗାଗଲେ ପାଣିପମ୍ପ ଦ୍ୱାରା ପାନୀୟଜଳର ବ୍ୟବସ୍ଥା କରାଯାଇପାରିବ । ଏତଦବ୍ୟତିତ ରାଜ୍ୟ ବାହାରୁ ଆସିଥିବା ପ୍ରବାସୀମାନଙ୍କୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ. ଜି. ଏନ. ଆର. ଇ. ଜି. ଏସ. ) ମାଧ୍ୟମରେ କର୍ମସଂସ୍ଥାନ ଯୋଗାଇଦେବା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ