ମୁଖ୍ୟ ବିକାଶ ଅଧିକାରୀଙ୍କ ନିର୍ଦ୍ଦେଶକୁ ମାନୁ ନାହାନ୍ତି ନାଉଗାଁ ବିଡିଓ !

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ମହାତ୍ମାଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌) କାର୍ଯ୍ୟରେ ଶ୍ରମିକମାନଙ୍କ ଉପସ୍ଥାନ ଦର୍ଶାଇବା ପାଇଁ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ରୋହିଆ, ଶିଖର, ତିରୁଣା ପଂଚାୟତର ଜିଆରଏସ୍ ଏନ୍‌ଏମ୍‌ଏମ୍‌ଏସ୍ ଆପ ମାଧ୍ୟମରେ ଫଟୋ ଅପଲୋଡ କରିଥିଲେ । ପୁରୁଣା ଫଟୋରୁ ଫଟୋ ଉତୋଳନ କରାଯାଇ ଏନ୍‌ଏମ୍‌ଏମ୍‌ଏସ୍ ଆପରେ ଅପଲୋଡ ହୋଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଯାହାକୁ ନେଇ ଜିଲ୍ଲା ପରିଷଦ କାର୍ଯ୍ୟାଳୟର ମୁଖ୍ୟ ବିକାଶ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏମ୍‌ଜିଏନ୍‌ଆରଇଜିଏସ୍ ଜିଲ୍ଲା ସଂଯୋଜିକା ପ୍ରାଚୀ ପରିଚିତା ମିଶ୍ର,ଏପିଓ ଜ୍ୟୋତିର୍ମୟ ନାୟକ,ଏମ୍‌ଜିଏନ୍‌ଆରଇଜିଏସ୍ ସହାୟକ ସୁଶିଲ ରଂଜନ ସାହୁଙ୍କ ଦ୍ୱାରା ତଦନ୍ତ କରାଯାଇ ତଦନ୍ତ ରିପୋର୍ଟ ଦାଖଲ କରାଯାଇଥିଲା । ତଦନ୍ତ ରିପୋର୍ଟ ଆଧାରରେ ମୁଖ୍ୟ ବିକାଶ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଦ୍ୱାରା ଏମ୍‌ଜିଏନ୍‌ଆରଇଜିଏସ୍ ଆଇନ ଉଲ୍ଲଘଂନକାରୀଙ୍କୁ ଜୋରିମାନା କରିବା ସହିତ କାରଣ ଦର୍ଶାଇବା ପାଇଁ ବିଡିଓଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏମ୍‌ଜିଏନ୍‌ଆରଇଜିଏସ୍ ଆଇନ ଉଲ୍ଲଘଂନ କରିଥିବା ଜିଆରଏସ୍‌ମାନେ ନାଉଗାଁ ବିଡିଓଙ୍କ ଅନୁମୋଦନକ୍ରମେ ପଦୋନ୍ନିତ ହୋଇ ଅନ୍ୟ ବ୍ଲକକୁ ବଦଳି ହୋଇଯାଇଥିବା ବେଳେ ସେମାନେ ଜୋରିମାନା ଦାଖଲ କରି ନଥିବା ବେଳେ କାରଣ ଦର୍ଶାଅ ନୋଟିସର ଜବାବ ଦାଖଲ କରି ନଥିବା ସୂଚନା ଅଧିକାର ଆଇନ ବଳରେ ମଗାଯାଇଥିବା ତଥ୍ୟରୁ ଜଣାଯାଇଛି । ଯାହାକୁ ନେଇ ମୁଖ୍ୟ ବିକାଶ ଅଧିକାରୀଙ୍କ ନିର୍ଦ୍ଦେଶକୁ ନାଉଗାଁ ବିଡିଓ ମାନୁ ନଥିବା ସାଧାରଣରେ ଚର୍ଚ୍ଚା ହେଉଛି ।ସୂଚନା ମୁତାବକ ତତ୍କାଳିନ ଜିଆରଏସ ରୋହିଆ ପଂଚାୟତର ଇତିଶ୍ରୀ ପାଢୀ, ତିରୁଣାର ସରୋଜିନି ତ୍ରିପାଠୀ ଓ ଶିଖର ପଂଚାୟତର ସଂଜୟ ପରିଡାଙ୍କ ଦ୍ୱାରା ଏମ୍‌ଜିଏନ୍‌ଆରଇଜିଏସ୍ କାର୍ଯ୍ୟରେ ଶ୍ରମିକମାନଙ୍କର ଉପସ୍ଥାନ ଦେଖାଇବା ପାଇଁ ମଷ୍ଟରରୋଲରେ ଏନ୍‌ଏମ୍‌ଏମ୍‌ଏସ୍ ଆପରେ ପୁରୁଣା ଫଟୋକୁ ଅପଲୋଡ କରାଯାଇଥିଲା । ଯାହାକୁ ନେଇ ଖବର ପ୍ରକାଶ ପାଇବା ପରେ ୨୦୨୪ ଜାନୁଆରୀ ୧୬ରେ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶକ୍ରମେ ତଦନ୍ତ କରାଯାଇଥିଲା । ତଦନ୍ତ ରିପୋର୍ଟ ଅନୁସାରେ ଜିଲ୍ଲା ପରିଷଦ କାର୍ଯ୍ୟାଳୟର ପତ୍ର ସଂଖ୍ୟା-୧୧୨୯, ୧୧୩୧, ୧୧୩୩, ତା ୪ ମାର୍ଚ୍ଚ ୨୦୨୪ରେ ସଂପୃକ୍ତ ଜିଆରଏସଙ୍କୁ ଜୋରିମାନା ସହିତ ୩ ଦିନ ମଧ୍ୟରେ କାରଣ ଦର୍ଶାଇବା ପାଇଁ ନୋଟିସ ପ୍ରଦାନ କରାଯାଇଥିଲା । କିନ୍ତୁ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ନାଉଗାଁ ପଂଚାୟତ ସମିତି କାର୍ଯ୍ୟାଳୟର ପତ୍ର ସଂଖ୍ୟା-୧୮୭୮ ତା ୨୦ ଅଗଷ୍ଟ ୨୦୨୪ ଅନୁସାରେ ନାଉଗାଁ ବିଡିଓଙ୍କ ଦ୍ୱାରା ସଂପୃକ୍ତ ଜିଆରଏସଙ୍କ ଉପରେ କୌଣସି ପଦକ୍ଷେପ ନିଆଯାଇ ନଥିବା ଦର୍ଶାଯାଇଛି । ଏମ୍‌ଜିଏନ୍‌ଆରଇଜିଏସ୍ ଆଇନକୁ ଖୁଲମଖୁଲା ଉଲଘଂନ କରାଯାଇଥିବା ନେଇ ତଦନ୍ତ ରିପୋର୍ଟ ଦାଖଲ ହେବା ପରେ ମୁଖ୍ୟ ବିକାଶ ଅଧିକାରୀ ସଂପୃକ୍ତ ଜିଆରଏସଙ୍କ ଉପରେ ପଦକ୍ଷେପ ନେବା ପାଇଁ ବିଡିଓଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ବିଡିଓଙ୍କ ଦ୍ୱାରା ସଂପୃକ୍ତ ଜିଆରଏସଙ୍କ ଉପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପରିବେର୍ତ ସେମାନଙ୍କୁ ପଦୋନ୍ନିତ ପାଇଁ ଅନୁମୋଦନ ଦିଆଯାଇଛି । ମୁଖ୍ୟ ବିକାଶ ଅଧିକାରୀ ଏମ୍‌ଜିଏନ୍‌ଆରଇଜିଏସ୍ ଆଇନ ଉଲ୍ଲଘଂନକାରୀଙ୍କ ଉପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଉଥିବା ବେଳେ ବିଡିଓ ସଂପୃକ୍ତ ଜିଆରଏସଙ୍କୁ କିପରି ପଦୋନ୍ନିତ ପାଇଁ ଅନୁମୋଦନ ଦେଲେ ତାହା ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ସାଧାରଣ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ