ମୁମ୍ବାଇରେ ଓଡିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର):ଦିଗପହଣ୍ଡି ବ୍ଳକ ଚୌଧୁରୀ. ଟିକରପଡା ଗ୍ରାମ ଗଣିଆ ସାହିର ରାଜେନ୍ଦ୍ର ଭାସ୍କର ସେଠୀ  ପରିବାର ଗୁଜୁରାଣ ମେଣ୍ଟାଇବା ନିମନ୍ତେ ଦାଦନ ଖଟିବାକୁ ମୁମ୍ବାଇ ଯାଇଥିବା ବେଳେ ସେଠାରେ ଏକ ଘରୋଇ କମ୍ପାନୀ ରେ ଗୁରୁବାର ତାଙ୍କ ଆକସ୍ମିକ ମୃତ୍ୟୁ ହୋଇଥିବା ଜଣାପଡିଛି । ଶୁକ୍ରବାର ମୁମ୍ବାଇ ବୋରିଭାଲି ହସ୍ପିଟାଲ ରେ  ତାଙ୍କ ମୃତଦେହ ର ବ୍ୟବଚ୍ଛେଦ କରାଯାଇଛି। ଗ୍ରାମର  ବାୟା  ସେଠୀଙ୍କ ଏକମାତ୍ର ପୁଅ ରାଜେନ୍ଦ୍ର   ମୁମ୍ବାଇ ସହରର କସ୍ତୁରବାମାର୍ଗ ଥାନା ଦୌଲତ ନଗର  ବୋରିଭାଲି ଅଞ୍ଚଳର ଜୀବନଶୋଭା ନାମକ ଏକ  କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ । ଗତ ପ୍ରାୟ ୨ ମାସ ପୂର୍ବେ ସେ  ଗ୍ରାମକୁ ଆସିଥିଲେ। କିଛିଦିନ ଗ୍ରାମରେ ରହିବା ପରେ  ପୁଣି ମୁମ୍ବାଇ କର୍ମସ୍ଥଳ କୁ ଫେରି ଯାଇଥିଲେ । ତାଙ୍କର ସ୍ତ୍ରୀ ଓ ୨ ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି । ଗୁରୁବାର ସକାଳେ ସେ କମ୍ପାନୀ ରେ କାମ କରୁଥିବା ବେଳେ ଆକସ୍ମିକ ଅଚେତ ହୋଇପଡ଼ିଥିଲେ। ଅନ୍ଯ କର୍ମଚାରୀ ମାନେ କମ୍ପାନୀ ମାଲିକଙ୍କୁ ଘଟଣା ଜଣାଇବା ପରେ ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ନିକଟସ୍ଥ ବୋରିଭାଲି ସରକାରୀ ହସ୍ପିଟାଲ କୁ ନିଆଯାଇଥିଲା । କିନ୍ତୁ ସେଠାରେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।  ପରିବାର ଲୋକେ ଏକମାତ୍ର ରୋଜଗାରିଆ ପୁଅର ଅକାଳ ମୃତ୍ୟୁ ଖବରପାଇ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିବା ବେଳେ ସ୍ତ୍ରୀ ଧୈର୍ଯ୍ୟହରା ହୋଇ ପଡୁଛନ୍ତି ଏବଂ ପିଲାମାନେ ବାପ ଛେଉଣ୍ଡ ହୋଇଯାଇଛନ୍ତି । ତାଙ୍କ ମୃତ୍ୟୁରେ ଗ୍ରାମରେ ଏକପ୍ରକାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ଆର୍ଥିକ ଅନାଟନ କାରଣରୁ  ପରିବାର ଲୋକେ ମୁମ୍ବାଇ ଯାଇ ପାରିନାହାନ୍ତି। ଅପରପକ୍ଷରେ କମ୍ପାନୀ ମାଲିକ ପରିବାର ବର୍ଗଙ୍କ ସହ ଯୋଗାଯୋଗ ପରେ ସେମାନଙ୍କ ସହମତି ରେ ସାଙ୍ଗ ସାଥୀ ଙ୍କ ସହଯୋଗ ରେ ସେଠାରେ ହିଁ ମୃତଦେହ ର ଅନ୍ତିମ ସଂସ୍କାର କରାଯାଇଥିବା ଜଣାପଡିଛି । ରାଜ୍ୟ ସରକାର ମୃତକଙ୍କ ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇଦେବା ନିମନ୍ତେ ସ୍ଥାନୀୟ ସରପଞ୍ଚ ଦୀନବନ୍ଧୁ ସେଠୀ ଓ ଗ୍ରାମବାସୀ ଅନୁରୋଧ କରିଛନ୍ତିି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ