ମେହେନ୍ଦି ବୋଳା ହାତ
ସେଦିନ ଅନାମ ଉଠାଇ ଆଣିଥିଲା ବାଟରୁ ରୁପସୀ ଝିଅଟିକୁ. କହିଥିଲା ଯାହା ସବୁ ହୋଇଗଲା ଭୁଲିଯାଇ ଘର ଠିକଣା କୁହ ମୁଁ ନେଇ ତୁମକୁ ଛାଡି ଦେଇ ଆସିବି ତୁମ ଘରେ. ତା ଆରଦିନ ଘରକୁ ନିଜ ରିକ୍ସାରେ ନେଇ ଯାଇଥିଲା ଝିଅଟାକୁ ଅନାମ.ଘର ଭିତରକୁ ପଶି ଯାଇ ରୁପସୀ ବବି ଦେଖିଥିଲା ସବୁ କିଛି ବଦଳି ଯାଇଛି ଯଥା ବାପା ମାଆଙ୍କ ଭାବମୂର୍ତ୍ତି, ଜେଜେ ଜେଜେମାଆଙ୍କ ସ୍ନେହ ଶ୍ରଦ୍ଧା. ସବୁକିଛି. କିନ୍ତୁ ତାର ଭୁଲ ସେ ଗୋଟେ ଝିଅ. ରାସ୍ତାରେ ଏକୁଟିଆ ଯିବା ଆସିବା ତା ପାଇଁ ବିପଦ. ସେହି ବିପଦ ପାଇଁ ଆଜି ସେ ହରାଇ ବସିଛି ତା ଝିଅବେଳ ବା କୁମାରୀତ୍ୱ. କିଏ ସେଥିପାଇଁ ଦାୟୀ? ସେ ଝିଅ ହୋଇ ଜନ୍ମ ହେବା ନା ପାଠ ପଢି ଚାକିରୀ କରି ନିଜ ସ୍ବାଧୀନତାରେ କିଛି ଅର୍ଥ ଉପାର୍ଜ୍ଜନର କ୍ଷମତା ହାସଲ କରିବା? ପୁଅ ପରି ବାପାଙ୍କ କାନ୍ଧରେ କାନ୍ଧ ମିଶାଇ ସେ ଆଜି କଳଙ୍କିନି ହୋଇଗଲା ସତ ହେଲେ ଆଜିଯାଏଁ ତାକୁ ପ୍ରଶଂସା କରୁଥିବା, ଭଲ ପାଉଥିବା, ମୋ ଝିଅ ବା ଆମ ଝିଅ ନୁହେଁ ପୁଅ କହୁଥିବା ପରିବାରର ସଦସ୍ୟମାନଙ୍କ ଆଖିରେ ସମବେଦନା ବଦଳରେ ଘୃଣା ଓ ଅପମାନ ଥିଲା ବେଳେ ସେଇ ଅନାମ ରିକ୍ସାଵାଲା ହିଁ ତା ରିକ୍ସାରେ ପକାଇ ତା ନିଜ ଘରକୁ ଟେକି ନେଇଥିଲା ଘଟଣାସ୍ଥଳୀରୁ . ଆଶ୍ଵାସନା ଦେଇ କହିଥିଲା ତୁମେ ବଡ଼ ଘରର ଝିଅ. ତୁମ ବାପା ନିଶ୍ଚୟ କେଶ କରିବେ ଆଉ ମୁଁ ହେବି ସାକ୍ଷୀ, ଦେବି ସାକ୍ଷ୍ୟ. ମୋ ନିଜ ଆଖିରେ ଦେଖିଛି ମୁଁ ସେ ତିନିଜଣଙ୍କୁ. ଛାଡିବିନି. ତୁମେ ବ୍ୟସ୍ତ ହୁଅନି. ପଢୁଆ, ଚାକିରିଆ ଝିଅ ହୋଇ ତୁମେ ହାରିଗଲେ ଅନ୍ୟମାନେ ସାହାସ ଦମ୍ଭ ପାଇବେ କାହାଠୁ?
ନିଜ ଘରେ କିନ୍ତୁ ସାହାସ ଦମ୍ଭ ଦେବା ଦୂରର କଥା ସାମାନ୍ୟ କଥା ପଦେ କେହି କହୁନଥିଲେ ତାକୁ. ଜେଜେମା ବରଂ କହୁଥିଲେ ମୁଁ କହୁଛି ବହୁତ ହୋଇଗଲା ପାଠ ବେବିର, ଏବେ ତା ହାତକୁ ଦୁଇହାତ କରିଦିଅ. କେହି ଶୁଣିଲ ମୋ କଥା? ବୋଉ କେବଳ କହୁଥିଲା ତାର ଏଥିରେ ଦୋଷ କଣ? ତାକୁ କିଛି କହିବାକୁନଦେଇ ବାପା କହୁଥିଲେ ତୁମରି ପାଇଁ ଆଜି ଏ ଦିନ ଦେଖିବାକୁ ମିଳିଲା,କଣନା ପିଲାଝିଅ ଯାଉ ଆଉ କିଛି ଦିନ. ଏବେ ବୁଝୁଥା. ଜେଜେ ଚଷମାଟାକୁ ଟେକି ତା ଆଡକୁ ଥରେ ଚାହିଁଥିଲେ ମାତ୍ର. କହିନଥିଲେ ଗୀତା ଭାଗବତ ପଢି କିଏ ଶୁଣାନ୍ତା ମୋ ନାତୁଣୀ ନଥିଲେ? ବାପା ଆଜ଼ି ମର୍ମାହତ. ତୋ ପଛରେ ମୁଁ ଅଛି କହୁଥିବା ବାପାଙ୍କର ସେ ଆସ୍ପାର୍ଦ୍ଧା ଭାଙ୍ଗିଯିବାର କାରଣ କଣ ସେ ନିଜେ ବେବି. ଆଉ କିଛି ଭାବିପାରୁନଥିଲା ବେବି. ଯିଏ ଯାହା କହିଲେ ତାକୁ ଫକୀରମୋହନ ସେନାପତିଙ୍କ ରେବତୀ ଗଳ୍ପର ଲୋ ରେବୀ.. ଲୋ.. ନିଆଁ.. ଲୋ.. ଚୁଲି ହିଁ ଶୁଭୁଥିଲା. ଶେଷକୁ ବୋଉ ଖାଇବାକୁ ବାଢିଦେଇ ସାନଭାଇକୁ ତା ପାଖରୁ ଭିଡ଼ିନେଇଯିବା ଦୃଶ୍ୟ ଥିଲା ଅତ୍ୟନ୍ତ ମର୍ମସ୍ପର୍ଶୀ ତ ଉଠିଲା ବବି. ଦୁଆର ପରେ ଦୁଆର ଟପି ସିଂହଦୁଆର ଟପି ଦୌଡ଼ିଲା.
ଆଜି ଅନ୍ଧାରକୁ ଭୟ ନଥିଲା. ଏକୁଟିଆ ଯିବାକୁ ଡର ନଥିଲା. ଭୋକିଲା ପେଟ ଓ ତୃଷିତ ଓଠ ସହ ପାଦ ଘୋଷାଡି ଘୋଷାଡି ସେ ଡାକୁଥିଲା ଅନାମ.. ଅନା.. ମ. ଘର ଭିତରୁ ଅଧା ଖିଆରୁ ଉଠି ଆସିଲା ଅନାମ. ଆଶ୍ଚର୍ଯ୍ୟ ଆଖିରେ ଚାହିଁଥିଲା ଝିଅଟାକୁ. ବବି ଅନାମର ଅଇଁଠା ପାଖାଳ ବେଲାରୁ ଭାତ ଗୁଣ୍ଡେ ଖାଇ କହୁଥିଲା ମତେ ଭାରି ଭୋକ ଅନାମ ତେଣୁ ତୁମ ଭାଗରୁ ଖାଇଲି ଆଉ ଶୋଷ ବି ଖୁବ. ଅନାମ ଧଡ଼ପଡ଼ ହୋଇ କୋଉଦିନର କାଚଗ୍ଲାସଟାକୁ ମୁଣ୍ଡାସାବୁନରେ ମାଜିମୁଜି ସୁରେଇ ଗଡା଼ଇବା ପୂର୍ବରୁ ବବି କହୁଥିଲା ପାଣି ନୁହଁ ଅନାମ ମତେ ଟୋପାଏ ସିନ୍ଦୁର ଓ ଦିପଟ ଶଙ୍ଖା ଦେଇପାରିବ. ମୁଁ ବଞ୍ଚିବାକୁ ଚାହେଁ ଅନାମ. ଆଉ କଣ ଚାହେଁ ଜାଣ? ଟୋପେ ସ୍ନେହ ଟିକେ ଆନ୍ତରିକତା ଓ ଖିଏ ବିଶ୍ୱାସରେ ଭରସାର ନିଶ୍ୱାସନେବାକୁ. ଅନାମ ଆଁ କରି ଚାହିଁଥିଲା ବେଳେ ବବି ଅନାମର କଂସାରୁ ତୋରାଣୀ ସବୁକୁ ପିଇ ସାରିଥିଲା. ବାହାରେ ଖୁବ ବର୍ଷାରେ ଅନାମ ଥରୁଥିଲା କି କଣ କେଜାଣି ବବି କିନ୍ତୁ ଜଡ଼ାଇ ଧରିଥିଲା ଅନାମକୁ ତା ଓଠରେ ଓଠ ଲଗାଇ. ବାହାରେ ଭୀଷଣ ବର୍ଷାରେ ବେଙ୍ଗମାନଙ୍କର ବିକଟାଳ କେଁ କଟର ରଡି ବବିକୁ ଜୀଵନ ସଂଗୀତ ପରି ଶୁଭୁଥିଲା.ପାଖ ପଡୋଶୀ ଘରୁ ଖୁଦୁରୁକୁଣୀ ଓଷାର ହୁଳହୁଳି ଘୋର ବର୍ଷା ଭିତରେ ସାହାନାଇ ପରି ମନେହେଉଥିଲା.
ଅନାମ ଏବେ ଆଉ ରିକ୍ସାବାଲା ନଥିଲା ବରଂ ଶିଳ୍ପପତି ଵନିଯାଇଥିଲା ହୋମିଓପାଥୀ ଡାକ୍ତରାଣୀ ସ୍ତ୍ରୀ ରୁପସୀ ବେବି ପାଇଁ. କିନ୍ତୁ ବାପାଙ୍କ ଘର ସେଇ ନିକଟରେ ଥିଲେ ମଧ୍ୟ ବେବିଠାରୁ ଯୋଜନ ଯୋଜନ ଦୂରରେ ଥିବା ପରି ମନେହେଉଥିଲା ସତ କିନ୍ତୁ ବେବି ସବୁ ଖବର ରଖୁଥିଲା. ବେବିର ଏକମାତ୍ର ଭାଇ ଥରକୁ ଥର ମାଟ୍ରିକ ଫେଲ ହୋଇ ବାପାଙ୍କ ବାକିଥିବା ମାନମହତକୁ ତଳେ ପକାଅଇଦେଇଥିଲା କି ନାହିଁ ପୁଅ ପିଲା ଗୋଟା ତୁଳସୀ ଭାବେ ବିଚରଣ କରୁଥିଲା ବୁଝିବାକୁ ଜେଜେ ଓ ଜେଜେମା ନିଜ ଠିକଣା ସ୍ବର୍ଗକୁ କାତିସାରିଥିଲେ ଆଉ ବାପାଙ୍କ ଆଭିଜାତ୍ୟ ଧୋତିରେ ବେବି ପାଇଁ ଲାଗିଥିବା କାଳି ଏବେ ପୁଅର ମଦ, ଗଞ୍ଜେଇ, ପଶାରେ ଛାଡିଯାଇ ଚିରି ଯିବା ବେଳେ ବୋଉ କହୁଥିଲା ମୋ ଝିଅର ଦୋଷ କଣ ଥିଲା? ସେଦିନ ଥାନକୁ ଯାଇ ମୋ ଝିଅକୁ ନ୍ୟାୟ ଦେବା କଣ ପିତା ହିସାବରେ ତୁମର ଉଚିତ ନଥିଲା. ବାପା ସେତେବେଳେ ନଇଁ ପଡୁଥିଲେ କି ନଥିଲେ କେଜାଣି କିନ୍ତୁ ସାନଭାଇ ଯୋଉଦିନ ଅଜାତି ଝିଅର ହାତ ଧରି ଦୁଆରେ ଠିଆ ହେଲା ଭିତରକୁ ଯିବାକୁ ଅନୁମତି ନଦେଇ ଫାଟି ପଡୁଥିଲେ ବାପା. ବୋଉ ମୁଣ୍ଡରେ ହାତ ଦେଇ ବସିଥିବା ବେଳେ ସାନଭାଇ ଦେବୀ ଫେରିଯିବାକୁ ଉଦ୍ୟତ ହେଉଥିଲା ବେଳେ ପଛରୁ ନାନୀ ଡାକୁଥିଲା ରହିଯା ଦେବୀ. ଭଉଣୀ ହାତରେ ଥିଲା କୁଲା ସହ ବନ୍ଦାପନାର ସମସ୍ତ ସାମଗ୍ରୀ. ହୁଳହୁଳି ପକାଇ ଭାଇଭାଉଜଙ୍କୁ ଭିତରକୁ ନେଲା ବେଳେ ବୋଉ ଦଉଡି ଯାଇ ଶଙ୍ଖ ଫୁଙ୍କୁଥିଲା ବେଳେ ଦେବୀ ଓ ସେ ନବବିବାହିତ ଝିଅ କୃତ୍ତିକା ନାନୀ ବବି ଗୋଡ଼ତଳେ ନଇଁ ପଡିବା ପୂର୍ବରୁ ବବି କହିଥିଲା ପ୍ରଥମେ ବାପାଙ୍କୁ ତାପରେ ମାଆଙ୍କୁ ମୁଣ୍ଡିଆ ମାରି ଆସ. ବାପା ଆଶୀର୍ବାଦ ମୁଦ୍ରାରେ ଥିବା ସୁଯୋଗରେ ଅନାମ ମଧ୍ୟ ମୁଣ୍ଡିଆ ମାରିଥିଲେ ଶଶୁରଙ୍କୁ ଓ ଶାଶୁଙ୍କୁ. ଖୁବ ଧୂମଧାମରେ ବିଶ୍ୱକର୍ମା ପୂଜା ସମ୍ପର୍ଣ୍ଣ ହୋଇଥିଲା ସେଦିନ ସମସ୍ତଙ୍କ ଉପସ୍ଥିତିରେ. ଆଜି ମଧ୍ୟ ଅମାନିଆଁ ବର୍ଷା କଚାଡୁ ଥିଲା ଖୁବ ଜୋରରେ କିନ୍ତୁ ସାନଭାଉଜ ହାତରେ ମେହେନ୍ଦି କରି ନାନୀ ବବି କହୁଥିଲା ଏ ବର୍ଷାରେ ମେହେନ୍ଦି ଧୋଇଯାଇପାରେ. ଘର ଭିତରକୁ ଯାଅ ଦୁହେଁ. ନୂଆଭାଉଜ ନାନୀ ବବି ହାତରେ ମେହେନ୍ଦି କରୁଥିଲା ବେଳେ ବବି କହୁଥିଲା ମୋ ହାତରୁ ମେହେନ୍ଦି ଧୋଇଗଲା ପରେ ପୁଣି କାହିଁକି? ହେଲେ କୁର୍ତ୍ତିକା ଛାଡ଼ିନଥିଲା ନାନୀଙ୍କୁ, କହୁଥିଲା ମୋ ନାନୀ ପରା ଦେବୀ ମାଆ, ଦେଖାଅ ଦେଖାଅ ହାତ.
ସୁନନ୍ଦା ମହାନ୍ତି
ସାକ୍ଷିଗୋପାଳ
ପୁରୀ