ମୌସୁମୀ ବର୍ଷା ଅନିଶ୍ଚିତ, ଖରିଫ ଧାନଚାଷ ବାଧାପ୍ରାପ୍ତ ଆଶଙ୍କା
ଜୁନ ମାସରେ ୧୨୯ ମିଲିମିଟର ବର୍ଷା, ୩୫୦ ହେକ୍ଟର ଜମିରେ ତଳି ପଡିଛି
ହିଞ୍ଜିଳିକାଟୁ, (ସୁଧାନିଧି ଚୌଧୁରୀ): ମୌସୁମୀର ଲୁଚକାଳି ଖେଳ ଏବେ ଚାଷୀଙ୍କ ପାଇଁ କାଳ ହୋଇଛି । ବିଳମ୍ବିତ ମୌସୁମୀ ଯୋଗୁଁ ଚାଷୀକୂଳ ଏବେ ଚିନ୍ତାରେ । ବର୍ଷା ନଥିବାରୁ ଚାଷ କାର୍ଯ୍ୟ ଆଗେଇ ପାରୁନାହିଁ । ତେବେ ହିଞ୍ଜିଳିକାଟୁ ବ୍ଳକରେ ଚଳିତ ଖରିଫ ଋତୁରେ ଧାନଚାଷ ବାଧାପ୍ରାପ୍ତ ହେବା ଆଶଙ୍କା ଦେଖାଦେଇଛି । ପାଣିପାଗ ବିଭାଗ ସୂଚନା ମୁତାବକ ଚଳିତ ବର୍ଷ ନିର୍ଦ୍ଧାରିତ ସମୟରେ ମୌସୁମୀ ଓଡିଶା ଉପକୂଳ ଛୁଇଁଛି । ଜୁନ ମାସ ଦ୍ୱିତୀୟ ସପ୍ତାହରେ ପ୍ରାକ୍ ମୌସୁମୀ ବର୍ଷାକୁ ଦେଖି ଚାଷୀକୂଳ ଚାଷ କରିବାକୁ ସଜବାଜ ହୋଇଯାଇଥିଲେ । ଏପରିକି ଚାଷ ସକାଶେ କ୍ଷେତ ପ୍ରସ୍ତୁତ କରି ସାରିଲେଣି । କିନ୍ତୁ ବର୍ଷା ନହେବାରୁ ଏବେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଏପଟେ କେନାଳ ମଧ୍ୟ ଶୁଖିଲା ପଡିଛି । ରଜ ସମୟରୁ ଚାଷୀ ଚାଷ କାର୍ଯ୍ୟ କରିବାକୁ ପ୍ରସ୍ତୁତ ହୋଇଥାଏ । ମୌସୁମୀର ଆଗମନ ସୂଚନା ପାଇ ଧାନତଳି ପକାଇଥାଏ । ଏପରିକି କେତେକ ଚାଷୀ ମଧ୍ୟ ଆଗୁଆ ଚାଷ କାର୍ଯ୍ୟ ଆରମ୍ଭ କରି ଦେଇଥିଲେ । ଜୁନ ମାସ ଶେଷ ସୁଦ୍ଧା ହିଞ୍ଜିଳିକାଟୁ ବ୍ଳକରେ ମାତ୍ର ୧୨୯ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଗଞ୍ଜାମ ଜିଲ୍ଲାରେ ମୁଖ୍ୟତଃ ଧାନଚାଷ କରାଯାଉଥିବା ବେଳେ ହିଞ୍ଜିଳିକାଟୁ ବ୍ଳକରେ ୯ ହଜାର ୭୦୬ ହେକ୍ଟର ଜମିରେ ଧାନଚାଷ କରାଯାଉଥିବା ହିଞ୍ଜିଳିକାଟୁ ସହକାରୀ କୃଷି ଅଧିକାରୀ ବିଘ୍ନରାଜ ସେଠିଙ୍କ ସୂତ୍ରରୁ ସୂଚନା ମିଳିଛି । ହେଲେ ବର୍ତ୍ତମାନ ସୁଦ୍ଧା ମାତ୍ର ୩୫୦ ହେକ୍ଟର ଚାଷ ଜମିରେ ଧାନତଳି ପଡିଥିବା ସୂଚନା ମିଳିଛି । ଗତ ବର୍ଷ ବିଳମ୍ବିତ ବର୍ଷା ଯୋଗୁଁ ଧାନଚାଷ ଆରମ୍ଭ ହେବାରେ ବିଳମ୍ବ ହୋଇଥିଲା । ଏପରିକି ସ୍ଥାନୀୟ ବ୍ଳକର କିଛି ଅଞ୍ଚଳରେ ଅକ୍ଟୋବର ମାସ ପର୍ଯ୍ୟନ୍ତ ଧାନରୂଆ କାମ ଚାଲିଥିବା ଦେଖିବାକୁ ମିଳିଥିଲା । ହିଞ୍ଜିଳିକାଟୁ ବ୍ଳକର ଖଣ୍ଡରା, ଚାନ୍ଦୁଲି, ଖରିଡା, ଆଲପୁର, ବୁରୁପୋଡା ଓ ସିକିରି ଗାଁକୁ ଲାଗି ଘୋଡାହାଡ ନଦୀ ପ୍ରବାହିତ ହେଉଛି । ଏହି ନଦୀ ପାଣିକୁ ବ୍ୟବହାର କରି ବ୍ଳକର ବିଭିନ୍ନ ଗ୍ରାମବାସୀ ଧାନ ସମେତ ବିଭିନ୍ନ ପ୍ରକାରର ପନିପରିବା ଫସଲ ଅମଳ କରିଥାନ୍ତି । ସେହିପରି ସ୍ଥାନୀୟ ବ୍ଳକର ଶାସନଆମ୍ବଗାଁ, ଧୋବାଡି, ପୋଡିଙ୍ଗି, ବେଲଗାଁ, ଗଣ୍ଡଳା, ସାହାପୁର, ଶିଖରପୁର ପ୍ରଭୃତି ଅଞ୍ଚଳରେ ବୁଣାଧାନ ପକାଇ ଧାନଚାଷ କରାଯାଉଥିବା ବେଳେ ଅବଶିଷ୍ଟ ଗାଁ ଗୁଡିକରେ ରୂଆ ଧାନ ଚାଷ କରାଯାଉଛି । ଏଭଳି ସ୍ଥିତିରେ ବର୍ଷା ଅଭାବ ଯୋଗୁଁ ଚାଷ କାମେ ପଛେଇ ଯାଇଛି । ଜୁଲାଇ ମାସରେ ଯଦି ଆବଶ୍ୟକ ପରିମାଣରେ ବର୍ଷା ନହୁଏ ତେବେ ଚଳିତ ବର୍ଷ ମଧ୍ୟ ଖରିଫ ଧାନଚାଷ ବିଳମ୍ବିତ ହେବା ସହ ଗତବର୍ଷ ଭଳି ଅମଳ ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି । ଅନ୍ୟ ପକ୍ଷରେ ଜୁଲାଇ ମାସରେ ଜଳସମ୍ପଦ ବିଭାଗ ପକ୍ଷରୁ କେନାଳ ସହାୟତାରେ ପାଣି ଛଡାଯିବା ପରେ ଚାଷକାମ ଆଗେଇବ ବୋଲି ଚାଷୀକୂଳ ଆଶା ବାନ୍ଧିଛନ୍ତି । ପ୍ରକାଶ ଥାଉକି, ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକର ବୁରୁପୋଡା ସମତେ ସିକିରି, ରାଳବ, ଆଲପୁର, ଖରିଡା, ଖଣ୍ଡରା, ଚାନ୍ଦୁଲି, ଶାସନଆମ୍ବଗାଁର ପ୍ରାୟ ୧୫ଶହରୁ ଉର୍ଦ୍ଧ୍ୱ ହେକ୍ଟର ଜମିରେ ପନିପରିବା ଚାଷ କରାଯାଇ ଅମଳ ପନିପରିବାକୁ ଗଞ୍ଜାମ ଜିଲ୍ଲା ସମେତ ନିକଟବର୍ତ୍ତୀ ଜିଲ୍ଲାକୁ ରପ୍ତାନି କରାଯାଇଥାଏ । ଏଭଳି ସ୍ଥିତିରେ ବର୍ଷ ଅଭାବରୁ ସ୍ଥାନୀୟ ଅଞ୍ଚଳର ପନିପରିବା ଅମଳ ମଧ୍ୟ ପ୍ରଭାବିତ ହେବା ଆଶଙ୍କା କରାଯାଉଛି ।