ଯାତ୍ରୀବାହୀ ଵସରୁ ଖସି ଯୁବକ ଗୁରୁତର
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳିକାଟୁ ବସ୍ ଟର୍ମିନାଲ ପରିସରରେ ବୁଧବାର ଏକ ଯାତ୍ରୀବାହୀ ବସରେ ଜଣେ ଯୁବକ ଚଢୁଥିବା ବେଳେ ଅସାବଧାନତା ବଶତଃ ଖସିପଡିଥିଲେ। ବସର ପଛ ଚକା ଯୁବକଙ୍କ ଡାହାଣ ଗୋଡ ଉପରେ ମାଡିଯାଇଥିଲା । ଫଳରେ ଯୁବକ ଜଣଙ୍କ ଗୁରୁତର ଆହତ ହୋଇଥିଲେ। ଆହତ ଜଣଙ୍କ ହେଲେ ଧରାକୋଟ ଥାନା ଜଗନ୍ନାଥପୁର ଶାସନ ଗ୍ରାମର ସୂର୍ଯ୍ୟ ନାରାୟଣ ମୁନି(୨୯) । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୂର୍ଘଟଣାରେ ସଂପୃକ୍ତ ଥିବା ଯାତ୍ରୀବାହୀ ବସକୁ ଜବତ କରିବା ସହ ଚାଳକଙ୍କୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି। ସୁଚନା ମୁତାବକ,ବୁଧବାର ସକାଳେ ବିଡିପୁର ଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସ୍ (ଓଡି୩୨ଇ ୩୧୫୫) ହିଞ୍ଜିଳିକାଟୁ ବସ୍ ଟର୍ମିନାଲ ପରିସରରେ ଯାତ୍ରୀଙ୍କୁ ଓହ୍ଲାଇବା ପରେ ଯୁବକ ଜଣଙ୍କ ବସରେ ଚଢ଼ୁଥିଲେ। ସେହି ସମୟରେ ବସ ଡ୍ରାଇଭର ଜଣକ ହଠାତ୍ ବସ୍ ଟିକୁ ଆଗକୁ ଗଡାଇବାରୁ ଯୁବକ ଜଣଙ୍କ ଚଳନ୍ତା ବସରୁ ତଳକୁ ଖସି ପଡ଼ିଥିଲେ। ସେଠାରେ ଯୁବକଙ୍କ ଡାହାଣ ଗୋଡ ଉପରେ ବସର ପଛଚକା ମାଡି ଯିବାରୁ ସେ ଗୁରୁତର ଆହତ ହୋଇଥିଲେ। ପ୍ରକାଶ ଥାଉକି, ବହୁ ସମୟରେ ଯାତ୍ରୀବାହୀ ବସ୍ ଗୁଡ଼ିକ ପରସ୍ପର ସହିତ ପ୍ରତିଯୋଗିତା ଉଦ୍ଦେଶ୍ୟ ନେଇ ଗାଡି ଚାଳନା କରୁଥିବା ନିତିଦିନିଆ ଘଟଣା ପାଲଟିଛି। ଏଣୁ ବିଭିନ୍ନ ସମୟରେ ଏଭଳି ଅଭାବନୀୟ ଘଟଣା ଘଟୁଥିବା ନଜିର ରହିଛି। ଏପରିକି ବହୁ ଫୁଲବାଣୀ, ଭଞ୍ଜନଗର, ଆସିକା, ସୋରଡା ଆଦି ଅଞ୍ଚଳରୁ ଆସୁଥିବା ବହୁ ଯାତ୍ରୀବାହୀ ବସ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ହିଞ୍ଜିଳିକାଟୁ ବସ୍ ଟର୍ମିନାଲ ପରିସରକୁ ପ୍ରବେଶ କରୁ ନ ଥିବା ଦେଖାଯାଇଛି। ଏପରିକି ଉକ୍ତ ଯାତ୍ରୀବାହୀ ବସ ଗୁଡ଼ିକ ସିଧାସଳଖ ୫୯ ନଂ ଜାତୀୟ ରାଜପଥ ଉପରେ ରଖି ଯାତ୍ରୀଙ୍କୁ ଓହ୍ଲାଉଥିବା ପରିଲକ୍ଷିତ ହୋଇଛି। ଏଭଳି ମନମାନି କାରଣରୁ ପ୍ରାୟତଃ ସବୁ ସମୟରେ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସହ ବହୁ ସମୟରେ ଛୋଟବଡ ଦୂର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି। ଏଭଳି ଧାରା ଲାଗି ରହି ଥିବା କାରଣରୁ ବିଭିନ୍ନ ସମୟରେ ଅସୁରକ୍ଷିତ ପରିସ୍ଥିତି ସୃଷ୍ଟି ହୋଇ ବହୁ ଧନଜୀବନ ପ୍ରଭାବିତ ହେଉଥିବା ଦେଖିବାକୁ ମିଳିଛି। ସାଧାରଣ ଲୋକଙ୍କ ବୃହତ୍ତର ସ୍ବାର୍ଥକୁ ଧ୍ୟାନ ଦେଇ ସ୍ଥାନୀୟ ପୁଲିସ ପ୍ରଶାସନ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଦିଗରେ ଅଧିକ ତତ୍ପରତା ପ୍ରକାଶ କରିବା ପାଇଁ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି.