ଯୁବକଙ୍କ ଅର୍ଦ୍ଧ ଉଲଗ୍ନ ଝୁଲନ୍ତା ଶବ ଉଦ୍ଧାର : ହତ୍ୟା ଗୁଜବ
ହିଞ୍ଜିଳିକାଟୁ, (ୱାଇଏନଏସ): ଗୁରୁବାର ପୂର୍ବାହ୍ନରେ ହିଞ୍ଜିଳି ଥାନା ଶାସନଆମ୍ବଗାଁ ବଣ ମଧ୍ୟରୁ ଜଣେ ଯୁବକଙ୍କ ଅର୍ଦ୍ଧ ଉଲଗ୍ନ ଝୁଲନ୍ତା ଶବକୁ ପୁଲିସ ଉଦ୍ଧାର କରିଛି । ମୃତକ ଜଣକ ହିଞ୍ଜିଳି ବ୍ଳକ ତଥା ପୁରୁଷୋତମପୁର ଥାନା ଧୋବାଡ଼ି ପାଟପୁର ଗ୍ରାମର ସନ୍ୟାସି ପୃଷ୍ଟି (୨୨) । ଏ ନେଇ ହିଞ୍ଜିଳି ଥାନାରେ ନଂ- ୧୨/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ଉଦ୍ଧାର କରି ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇ ପୁଲିସ ଘଟଣାର ତଦନ୍ତ ଚଳାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୁତ୍ରରୁ ପ୍ରକାଶ ।
ପ୍ରକାଶ ଯେ, ଧୋବାଡ଼ି ପାଟପୁର ଗ୍ରାମର ସନ୍ୟାସି ଗତ ୪ ବର୍ଷ ଧରି ଶାସନଆମ୍ବଗାଁ ଗ୍ରାମର ମାମୁଁ ଘରେ ରହି ଆସୁଥିଲେ । ଗୁରୁବାର ଭୋରରେ ଗ୍ରାମର କିଛି ବ୍ୟକ୍ତି ନିକଟସ୍ଥ ବଣକୁ ନିକଟକୁ ଯାଇଥିବା ବେଳେ ଜଣେ ଯୁବକଙ୍କ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ଗଛରେ ଝୁଲୁଥିବା ଦେଖିବାକୁ ପାଇଥିଲେ । ସଂପୃକ୍ତ ବ୍ୟକ୍ତି ମାନେ ଯୁବକଙ୍କୁ ଚିହ୍ନିପାରି ପରିବାର ଲୋକଙ୍କୁ ଖବର ଦେଇଥିଲେ । ଘଟଣା ଗ୍ରାମରେ ପ୍ରଚାରିତ ହେବା ପରେ ହତ୍ୟା କରାଯାଇଥିବା ସନ୍ଦେହ କରି ଘଟଣା ସ୍ଥଳକୁ ଗ୍ରାମବାସୀଙ୍କ ସୂଅ ଛୁଟିଥିଲା । ମୃତକଙ୍କ ବାପା ବାବୁଲାଙ୍କ ଅଭିଯୋଗ କ୍ରମେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ପ୍ରେମ ବ୍ୟପାରକୁ କେନ୍ଦ୍ର କରି ଯୁବକ ଆତ୍ମହତ୍ୟା କରିଥିବା ପୁଲିସ ଅନୁମାନ କରୁଛି । ଝୁଲନ୍ତା ଶବ ନିକଟରୁ ମିଳିଥିବା ମୋବାଇଲକୁ ଜବତ କରି ପୁଲିସ ତଦନ୍ତ ଆରମ୍ଭ କରିଛି ।