ଯୋଗୀ ଗୁମ୍ଫା ଓ ରକ୍ତଚୀରାର ଇତିହାସ ବିଷୟରେ ଗବେଷଣା ଆବଶ୍ଯକ
ବୁଗୁଡା,(ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବାଲିପଦର ଗ୍ରାମର ଗୌରବମୟ ଇତିହାସ ଅତି ପ୍ରାଚୀନ। ଘୁମୁସର ରାଜବଂଶ ଅଧିନରେ ଥିବା ଉକ୍ତ ଐତିହାସିକ ଗ୍ରାମ ବାଲିପଦରରେ ୧୭୫୩ ମସିହାରେ ଉପନିବେଶବାଦ ବିରୁଦ୍ଧରେ ଫରାସୀମାନଙ୍କ ସହ ସଂଘଟିତ ହୋଇଥିବା ଯୁଦ୍ଧ ଓଡିଶା ଇତିହାସରେ ପ୍ରଥମ। ବହୁ ଗବେଷକ ଏହାର ତର୍ଜମା କରି ଘୁମୁସର ରାଜ୍ଯର ଭଞ୍ଜ ରାଜ ବଂଶର ଅବଲୁପ୍ତ ଘଟଣାବଳୀକୁ ଲୋକ ଲୋଚନକୁ ଆଣିଛନ୍ତି। ସେହିପରି ବାଲିପଦର ସ୍ଥିତ ଯୋଗୀ ଗୁମ୍ଫା ଓ ତାର ସନ୍ନିକଟ ରକ୍ତ ଚୀରାର ଲୋମହର୍ଷକ ଇତିହାସକୁ ବର୍ତ୍ତମାନ ଗବେଷଣା କରିବା ଆବଶ୍ଯକ ରହିଛି ବୋଲି ବାଲିପଦର ବିଶ୍ବକର୍ମା ଭବନ ଠାରେ ଅକ୍ଟୋବର ୧୭ ତାରିଖ ଦିନ ଅନୁଷ୍ଠିତ ଘୁମୁସର ର ସ୍ବରର ୧୪୨ ତମ ସାହିତ୍ୟ ଆଲୋଚନା ଚକ୍ରରେ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି। ଘୁମୁସର ର ସ୍ବରର ସଭାପତି, ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ପ୍ରାକ୍ତନ ଅଧ୍ଯକ୍ଷ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ବାଲିପଦର ହାଇସ୍କୁଲର ପ୍ରଧାନ ଶିକ୍ଷକ ଇ.ନିଳାଞ୍ଚଳ ପାତ୍ର, ବିଶ୍ଵକର୍ମା ସମାଜ ଉପଦେଷ୍ଟା ରାଜେନ୍ଦ୍ର କୁମାର ମହାରଣା, ସମାଜସେବୀ କୈଳାଶ ଚନ୍ଦ୍ର ପ୍ରଧାନ, କବି ବସନ୍ତ ବିଷୋୟୀ, କେ.ରାଘବ ପାତ୍ର, ରଘୁନାଥ ମହାରଣା, ଦେବରାଜ ମହାରଣା, ଦିନବନ୍ଧୁ ମହାରଣା ପ୍ରମୁଖ ଯୋଗଦେଇ ଭଞ୍ଜ ରାଜବଂଶ ଓ ବାଲିପଦରର ଶିଳ୍ପୀ ଯୋଗୀ ମହାରଣାଙ୍କ ସମ୍ପର୍କରେ ନିଜର ବକ୍ତବ୍ଯ ରଖି ବାଲିପଦରର ଇତିହାସକୁ ଅଧିକ ଗବେଷଣାର ଆବଶ୍ଯକ ରହିଛି ବୋଲି ମତବ୍ୟକ୍ତ କରିଥିଲେ। ଶେଷରେ ସୁଶାନ୍ତ କୁମାର ବିଷୋୟୀ ଧନ୍ଯବାଦ ଅର୍ପଣ କରିଥିଲେ।