ରାଜ୍ୟ କୁଷ୍ଠ ସଂଗଠନ ପ୍ରତିନିଧିମାନଙ୍କ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ସାକ୍ଷାତ୍ ଓ ଦାବିପତ୍ର ପ୍ରଦାନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଜ୍ୟ କୁଷ୍ଠ ସଂଗଠନର ସଭାପତି ଶ୍ରୀ ଦୁର୍ଯ୍ୟୋଧନ ସାହୁ, ସାଧାରଣ ସମ୍ପାଦକ ଶ୍ରୀ ପ୍ରଭାକର ସାହୁ, ସଭ୍ୟ ଶ୍ରୀ ପୂର୍ଣ୍ଣଚନ୍ଦ୍ର ବାରିକ, ଶ୍ରୀ ହୃଷିକେଶ ସାହୁ, ଶ୍ରୀ ଲୋକନାଥ ଲେଙ୍କା ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ହିନ୍ଦ କୁଷ୍ଠ ନିବାରଣ ସଂଘ, ଓଡ଼ିଶା ରାଜ୍ୟ ଶାଖାର ଉପସଭାପତି ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ରାଜ୍ୟର ଲକ୍ଷ ଲକ୍ଷ କୁଷ୍ଠ ପୀଡ଼ିତମାନଙ୍କର ବିଭିନ୍ନ ସମସ୍ୟା ବିଷୟରେ ଅବଗତ କରାଇବା ସହିତ ସଂଗଠନ ତରଫରୁ ୧୦ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ସମସ୍ୟାର ସମାଧାନ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ପ୍ରମୁଖ ଦାବିଗୁଡ଼ିକ ମଧ୍ୟରେ ଜାତୀୟସ୍ତରୀୟ ହିନ୍ଦ କୁଷ୍ଠ ନିବାରଣ ସଂଘକୁ କାର୍ଯ୍ୟକ୍ଷମ କରାଇବା, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୁ ପଟ୍ଟନାୟକ ୟୁନିଟ୍-୯ ଭୁବନେଶ୍ୱରରେ ଥିବା ସଂଘର ଜାଗାରେ ତା ୩୦.୦୧.୧୯୯୪ ମସିହାରେ ବିଶ୍ୱ କୁଷ୍ଠ ନିରାକରଣ ଦିବସରେ ଶୁଭ ଦେଇଥିବା ଜାଗାକୁ ଉଦ୍ଧାର କରାଯାଉ, କାର୍ଯ୍ୟାଳୟ, ଷ୍ଟାଫ କ୍ୱାର୍ଟରର ସଭାଗୃହ ନିର୍ମାଣ, ୮୬ଗୋଟି କୁଷ୍ଠ କଲୋନୀରେ ରହୁଥିବା ପ୍ରତ୍ୟେକ ପରିବାରକୁ ସ୍ଥାୟୀ ଘରବାଡ଼ି ପଟ୍ଟା, ଉତ୍ତମ ମାନର ବାସଗୃହ ନିର୍ମାଣ, ରାସ୍ତା, ପାନୀୟ ଜଳ, ପରିମଳ, ଶିକ୍ଷା, ସ୍ୱାସ୍ଥ୍ୟ, ନିଯୁକ୍ତି ଓ ରୋଜଗାର ବ୍ୟବସ୍ଥା, ପ୍ରତ୍ୟେକ ପୀଡ଼ିତଙ୍କୁ ୫ ହଜାର ଟଙ୍କା ସହାୟତା ରାଶି, ୩୫ କେଜି ରାସନ ଇତ୍ୟାଦି ଅନ୍ତର୍ଭୁକ୍ତ ।କୁଷ୍ଠପୀଡ଼ିତମାନଙ୍କୁ ଉତ୍ତମ ସେବା ଯୋଗାଇ ଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗରେ ଖାଲିଥିବା ୩୫୯ଗୋଟି କୁଷ୍ଠ କର୍ମୀ ପଦବୀ ଏବଂ ଭାରତ ସରକାରଙ୍କ ଦ୍ୱାରା ମଞ୍ଜୁରପ୍ରାପ୍ତ ୧୮୪ ଗୋଟି କୁଷ୍ଠକର୍ମୀ ପଦବୀ ପୂରଣ, ୪ଗୋଟି କୁଷ୍ଠାଶ୍ରମ, ୭ଗୋଟି କୁଷ୍ଠ ଚିକିତ୍ସାଳୟର ପୁନରୁଦ୍ଧାର ଓ ଆବଶ୍ୟକୀୟ ମାନବ ସମ୍ବଳ ବ୍ୟବସ୍ଥା । କୁଷ୍ଠ ସମସ୍ୟା ରାଜ୍ୟର ବହୁବର୍ଷର ପ୍ରମୁଖ ସମସ୍ୟା । ୧୦ ଦଫା ଦାବି ପୂରଣ ପାଇଁ ଗତ ସରକାର ସମୟରେ ୨୦୨୩ ମସିହାରେ ରାଜ୍ୟ କୁଷ୍ଠ ସଂଗଠନ ତରଫରୁ ବିଧାନସଭା ଘେରାଉ, ୩୦ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ଓ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୧୦ଗୋଟି ବିଭାଗ ଯଥା ସାଧାରଣ ପ୍ରଶାସନ, ଅର୍ଥ, ସ୍ୱାସ୍ଥ୍ୟ, ରାଜସ୍ୱ, ପଞ୍ଚାୟତିରାଜ, ସାମାଜିକ ସୁରକ୍ଷା, ଖାଦ୍ୟ ଯୋଗାଣ, ଗୃହ ନିର୍ମାଣ, ଆଇନ ଓ ପ୍ଲାନିଂ ଓ କନ୍ଭରଜେନ୍ସ ବିଭାଗକୁ ୮୬ଗୋଟି କୁଷ୍ଠ କଲୋନୀର ପ୍ରତିନିଧିମାନଙ୍କୁ ନେଇ ଉପରଲିଖିତ ସମସ୍ୟା ଗୁଡ଼ିକର ସମାଧାନ ପାଇଁ ଏକ ଦୀର୍ଘସ୍ଥାୟୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବା ସହିତ ସରକାର ନେଉଥିବା ବିଭିନ୍ନ କାର୍ଯ୍ୟକ୍ରମର ନିୟମିତ ସମୀକ୍ଷା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ ନିମନ୍ତେ ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ କରାଗଲେ ରାଜ୍ୟର ହଜାର ହଜାର ଅତ୍ୟନ୍ତ ଗରିବ, ଦୁସ୍ଥ, ଆଦିବାସୀ ଓ ହରିଜନ କୁଷ୍ଠପୀଡ଼ିତମାନେ ତ୍ୱରିତ ନ୍ୟାୟ ପାଇପାରିବେ ବୋଲି ସଂଗଠନ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି ।