ରାଜ୍ୟ ବାହାରକୁ ଚାଲାଣ ବେଳେ ୨ହାତୀ ଦାନ୍ତ ଜବତ

ମୟୁରଭଞ୍ଜ (ମୁରାରୀ ମୋହନ ମହାପାତ୍ର )ମୟୂରଭଞ୍ଜ ଜିଲ୍ଲା ଦେଉଳି ରେଞ୍ଜ ତଥା ଝାରପୋଖରିଆ ଥାନା ଅଞ୍ଚଳରୁ ବନବିଭାଗ ଏକ ଯୋଡା ହାତୀଦାନ୍ତ ଜବତ କରିଛି । ଘଟଣାରେ ଜଡିତ ୪ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ଅଧିକ ତଦନ୍ତ କରାଯାଉଛି । ଅଟକ ୪ଜଣଙ୍କ ମଧ୍ୟରୁ ୨ଜଣ ଆନ୍ତରାଜ୍ୟ ଅଭିଯୁକ୍ତ ଥିବା ଜଣା ପଡିଛି । ସେମାନେ ହେଲେ ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଦେବସୁଲ ଗ୍ରାମର ଡାହିସାହି ଅଞ୍ଚଳର ବିର୍ଷା ମୁର୍ମୁ, ପଟଗଡ଼ିଆ ଗ୍ରାମର ଯୋଗେଶ୍ୱର ନାଏକ, ଝାରଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୁମ୍ ଜିଲ୍ଲାର ଗଣ୍ଡାନେଟା ଅଞ୍ଚଳର ମଙ୍ଗଲ ସୋରେନ, ଚାକୁଳିଆ ଥାନା ଅଞ୍ଚଳର କାଣିମହୁଲୀ ଗ୍ରାମର ବିଜୟ ହାଁସଦାଃ। ହାତୀଦାନ୍ତ କାରବାର ନିମନ୍ତେ ରାଜ୍ୟ ବାହାରକୁ ହାତୀଦାନ୍ତ ଚାଲାଣ ହେଉଥିବା ବେଳେ ମାଡି ବସିଲା ବନ ବିଭାଗ ଟିମ। ହାତୀଦାନ୍ତ ଚାଲାଣ ନେଇ ବନ ବିଭାଗକୁ ବିଶ୍ୱସ୍ଥସୂତ୍ରରୁ ଖବର ମିଳିଥିଲା। ଯାହାକୁ ନେଇ ବାରିପଦା ବନଖଣ୍ଡ ଅଧିକାରୀ ଏ ଉମା ମହେଶଙ୍କ ନିର୍ଦ୍ଦେଶକ୍ରମେ ଦେଉଳି ବନାଞ୍ଚଳ ରେଞ୍ଜ କର୍ମଚାରୀ ଓ ବନ ବିଭାଗର ଏନଫୋର୍ଷମେନ୍ଟ ଟିମ୍ ଝାରପୋଖରିଆ ଥାନା ଅନ୍ତର୍ଗତ ଜାମଶୋଲା ନିକଟସ୍ଥ ଗୋଷାଣୀ ଛକରେ ଜାତୀୟ ରାଜପଥ ୪୯ରେ ଚଢ଼ାଉ କରିଥିଲେ।
ହାତୀ ଦାନ୍ତ ବିକ୍ରି କରିବା ପାଇଁ ରାଜ୍ୟ ବାହାରକୁ ହାତୀଦାନ୍ତ ଚାଲାଣ କରୁଥିବା ବେଳେ ଧରିଥିଲେ। ଗୋଟିଏ ବାଇକରେ ୨ଜଣ ୨ଟି ହାତୀଦାନ୍ତକୁ ଗାମୁଛାରେ ବାନ୍ଧି ଏକ ବ୍ୟାଗରେ ନେଉଥିଲେ। ସେମାନଙ୍କୁ ସୁରକ୍ଷା ଦେଇ ଅନ୍ୟ ଏକ ବାଇକରେ ୨ଜଣ ସେମାନଙ୍କ ସହିତ ଯାଉଥିଲେ। ୨ଟି ହାତୀଦାନ୍ତ ଓ ଗୋଟିଏ ବାଇକ ଜବତ କରାଯାଇଛି। ଗୋଟିଏ ଦାନ୍ତର ଓଜନ ୧କିଲୋଗ୍ରାମ ହୋଇଥିବା ବେଳେ ଅନ୍ୟଟି ୧କିଲୋ ୨୦ଗ୍ରାମ ବୋଲି ଜଣାପଡିଛି।ପ୍ରାଥମିକ ତଦନ୍ତ ପରେ ହାତୀଦାନ୍ତ ଦୁଇଟିକୁ ଯାଞ୍ଚ ପାଇଁ ଓୟୁଏଟି ସ୍ଥିତ ଲ୍ୟାବକୁ ପଠାଯାଇଛି। ରିପୋର୍ଟ ଆସିବା ପରେ ହାତୀର ପ୍ରକୃତ ବୟସ ଓ ତଥ୍ୟ ଜଣାପଡିବ ବୋଲି କୁହାଯାଇଛି। ଗିରଫ ମାନଙ୍କୁ ଅଧିକ ପଚରାଉଚରା ଜାରି ରହିଥିବା ନେଇ ବାରିପଦା ବନଖଣ୍ଡ ଅତିରିକ୍ତ ବନ ସଂରକ୍ଷକ ରବିନାରାୟଣ ମହାନ୍ତି ସାମ୍ବାଦିକ ସମ୍ମିଳନୀ ଜରିଆରେ କହିଛନ୍ତି। ହାତୀ ଦାନ୍ତ ଚୋରା ଚାଲାଣର ଚେର କେତେ ପର୍ଯ୍ୟନ୍ତ ଲମ୍ବିଛି ସେନେଇ ବନ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ