ରାଜ୍ୟ ଭାରତ ସ୍କାଉଟ୍ସ୍ ଓ ଗାଇଡ଼୍ସ୍ ସଂଗଠନର ରାଜ୍ୟ ପରିଷଦ ବୈଠକ
ଭୁବନେଶ୍ୱର,(ଓ୍ବାଇଏନ୍ଏସ୍):ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ସଂଗଠନର ୯୦ତମ ରାଜ୍ୟ ପରିଷଦ ବୈଠକ ଅନ୍ଲାଇନ୍ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଅଛି । ରାଜ୍ୟ ସଭାପତି ଅବସରପ୍ରାପ୍ତ ନ୍ୟାୟମୂର୍ତ୍ତି ଶ୍ରୀଯୁକ୍ତ ମନୋରଞ୍ଜନ ମହାନ୍ତିଙ୍କ ପୌରହିତ୍ୟରେ ଆୟୋଜିତ ଉକ୍ତ ବୈଠକରେ ରାଜ୍ୟ ମୁଖ୍ୟ କମିଶନର ଶ୍ରୀ କାଳିପ୍ରସାଦ ମିଶ୍ର, ଓଡ଼ିଶା ସରକାରଙ୍କର ଅତିରିକ୍ତ ଶାସନ ସଚିବ ଶ୍ରୀ ଅଶୋକ କୁମାର ରଥ, ରାଜ୍ୟ ଗାଇଡ୍ କମିଶନର ଡଃ ଶ୍ରୀମତୀ ସିପ୍ରା ନାୟକ, ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଡଃ. ବିଶ୍ୱଜିତ୍ ଘୋଷ, କାଉନ୍ସିଲ୍ ଅଫ୍ ହାୟର ସେକେଣ୍ଡାରୀ ଏଜୁକେସନ୍ ଉପ ସଭାଧ୍ୟକ୍ଷ ଶ୍ରୀ ବୃନ୍ଦାବନ ଶତପଥୀ, ରାଜ୍ୟ ସଂପାଦକ ଶ୍ରୀ ରାମମୂର୍ତ୍ତି ଦୋରା, କୋଷାଧ୍ୟକ୍ଷ ଶ୍ରୀ ଶରତ ଚନ୍ଦ୍ର ପାଇକରାୟ ଏବଂ ପରିଷଦର ବହୁ ସଦସ୍ୟ ଯୋଗଦାନ କରିଥିଲେ । ପ୍ରାରମ୍ଭରେ ଦିବଂଗତ ସ୍କାଉଟ ବ୍ୟକ୍ତିତ୍ୱମାନଙ୍କ ଉଦ୍ଦେଶ୍ୟରେ ଏକମିନିଟ୍ ନିରବ ପ୍ରାର୍ଥନା କରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ରାଜ୍ୟ ମୁଖ୍ୟ କମିଶନର ଶ୍ରୀ କାଳିପ୍ରସାଦ ମିଶ୍ରଙ୍କ ଦ୍ୱାରା ବର୍ଷ ବ୍ୟାପୀ ରାଜ୍ୟ ସଂଗଠନ ଦ୍ୱାରା ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ କରାଯାଇଥିବା ବହୁମୁଖି କାର୍ଯ୍ୟ ସମ୍ପାଦନ ଦ୍ୱାରା ରାଜ୍ୟ ସଂଗଠନ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିବା ଉପରେ ସଭ୍ୟମାନଙ୍କୁ ଆଲୋକପାତ କରିଥିଲେ । ଉକ୍ତ ବୈଠକରେ ରାଜ୍ୟ କାର୍ଯ୍ୟକାରିଣୀ କମିଟି ଦ୍ୱାରା ଗୃହିତ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ପୂର୍ବକ ବିଗତ ବର୍ଷର ଆୟବ୍ୟୟର ସମୀକ୍ଷା ଏବଂ ଆଗାମୀ ବର୍ଷର ବ୍ୟୟ ଅଟକଳ ଉପରେ ବିଷଦ୍ ଭାବରେ ଆଲୋଚନା କରାଯାଇ ପରିଷଦ ଦ୍ୱାରା ଅନୁମୋଦନ କରିଥିଲା । ରାଜ୍ୟ ସମ୍ପାଦକ ଶ୍ରୀ ରାମମୂର୍ତ୍ତି ଦୋରା ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ରାଜ୍ୟ କୋଷାଧ୍ୟକ୍ଷ ଶ୍ରୀ ଶରତ ଚନ୍ଦ୍ର ପାଇକରାୟ ଧନ୍ୟବାଦ ଅର୍ପଣ କରିଥିଲେ ।