ରାତି ୧୨ଟାରେ ଉଠିଲା ମହାଦୀପ ଶିବ ପଞ୍ଚାକ୍ଷର ମନ୍ତ୍ରରେ ଶୈବପୀଠ ପ୍ରକମ୍ପିତ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ସ୍ଥାନୀୟ ବ୍ଳକର ବିଭିନ୍ନ ଗ୍ରାମରେ ପୂଜିତ ଶୈବପୀଠ ସ୍ଥଳୀରେ ଶନିବାର ପ୍ରାତଃରୁ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ସମାଗମ ଯୋଗୁଁ ଅସମ୍ଭବ ଭିଡ ପରିଲକ୍ଷିତ ହୋଇଛି। ହିଞ୍ଜିଳିକାଟୁ ପୌରାଞ୍ଚଳ ଲକ୍ଷ୍ମୀ ବଜାର ସ୍ଥିତ ଚନ୍ଦ୍ରକଳ୍ପେଶ୍ୱର, ଆଙ୍କୋରଡାର କପିଳେଶ୍ୱର, ହିଞ୍ଜିଳିର ସପ୍ନେଶ୍ୱର, ନୂଆଁଗଡ଼ର ବାଲୁଙ୍କେଶ୍ୱର, ବଇଁଚବଣିଆ ପାବନ ଶ୍ରୀକ୍ଷେତ୍ର ମନ୍ଦିର ପରିସରସ୍ଥ ପଶ୍ଚିମାଭିମୂଖୀ କାଶିବିଶ୍ୱନାଥ, ହିଞ୍ଜିଳିକାଟୁ ବ୍ଳକ ନୂଆଁବୁରୁପଡ଼ା ଶ୍ୟାମଳାଇ ସ୍ଥିତ ମୁଦୁକେଶ୍ୱର, ଅନ୍ତରିଗାଁ ସ୍ଥିତ ଗୁପ୍ତେଶ୍ୱର, ଆଡପଡା ଇଶାଣେଶ୍ୱର, ବେଲଗାଁ ବେଲେଶ୍ୱର, ପୋଚିଲିମା ବାଲୁଙ୍କେଶ୍ୱର, ଦୁର୍ବନ୍ଧ ସ୍ୱପ୍ନେଶ୍ୱର, କଣ୍ଟେଇକୋଳି ରାମେଶ୍ୱର, ବଡଖଣ୍ଡି ଚନ୍ଦ୍ରକଳ୍ପେଶ୍ୱର, ମକରଝୋଳ ରାମେଶ୍ୱର, ଗୋଦରାପଲ୍ଲୀ ଗୋକର୍ଣ୍ଣେଶ୍ୱର, ଖଣ୍ଡରା ସ୍ଥିତ ବାଲୁଙ୍କେଶ୍ୱର ଓ ଚାନ୍ଦୁଲି ସ୍ଥିତ ଲଡୁକେଶ୍ୱର ସମେତ ନିକଟବର୍ତ୍ତୀ ଅଞ୍ଚଳର ଶୈବପୀଠ ଗୁଡିକରେ ଜାଗରଯାତ୍ରା ପାଇଁ ପ୍ରାତଃରୁ ମାର୍ଜଣା, ଚଇପତଲାଗି, ମଇଲମ, ସୂର୍ଯ୍ୟପୂଜା, ମଙ୍ଗଳ ଆଳତି ସହ ସମସ୍ତ ଦେବନୀତି ସମ୍ପନ୍ନ ପରେ ଦେବ ଦେବ ମହାଦେବଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା ସକାଶେ ଭକ୍ତ ଓ ଶ୍ରଦ୍ଧାଳୁ, ଦର୍ଶନାର୍ଥିଙ୍କୁ ମନ୍ଦିର ଭିତରକୁ ପ୍ରବେଶ ସକାଶେ ଅନୁମତି ଦିଆଯାଇଥିଲା । ସମସ୍ତ ଶୈବପୀଠ ଗୁଡିକର ପାରିପାର୍ଶ୍ୱକୁ ମନଲୋଭା ରଙ୍ଗରେ ରଙ୍ଗୀନ କରାଯିବା ସହ ରଙ୍ଗ ବେରଙ୍ଗ ବାନା ଓ ରଙ୍ଗୀନ ଆଲୋକ ମାଳାରେ ସୁସଜ୍ଜିତ କରାଯାଇଥିଲା । ମହାଦେବଙ୍କ ଦର୍ଶନ ଓ କୃପଭିକ୍ଷା ସକାଶେ ମହିଳା ଓ ପୁୂରୁଷ ଭକ୍ତ ମାନଙ୍କୁ ଲମ୍ବା ଧାଡ଼ିରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରି ରହିଥିବାର ଦେଖିବାକୁ ମିଳିଥିଲା । ସନ୍ଧ୍ୟା ସମୟରେ ଭକ୍ତ ମାନେ ଶୈବପୀଠ ପରିସରରେ ଦୀପଦାନ ସହ ଆସ୍ଥାନ ଜମାଇଥିଲେ । ଭକ୍ତଙ୍କ ହୁଳହୁଳି, ବାଦ୍ୟବାଜଣା ଧ୍ୱନିରେ ମନ୍ଦିର ପରିସର ପ୍ରକମ୍ପିତ ହୋଇଥିଲା । ସନ୍ଧ୍ୟା ୬ଟା ୧୫ମିରେ ପ୍ରଥମ ପ୍ରହର, ରାତି ୯ଟା ୧୫ରେ ଦ୍ୱିତୀୟ ପ୍ରହର ପରେ ରାତ୍ର ପ୍ରାୟ ସାଢେ ୧୧ ଟାରେ ହରଗୌରୀଙ୍କୁ ପାଲିଙ୍କିରେ ବିଜେ କରି ୩ ବେଢା ମନ୍ଦିର ପରିଭ୍ରମଣ ପରେ ମହାଦୀପକୁ ମନ୍ଦିର ଚୂଡ଼ାରେ ସ୍ଥାପନ କରାଯାଇଥିଲା । ଭକ୍ତଙ୍କ ଜାଗର ପାଳନ ଏବଂ ମନୋରଞ୍ଜନ ସକାଶେ ବିଭିନ୍ନ ଶୈବପୀଠ ନିକଟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶାନ୍ତି ଶୃଙ୍ଖଳା ସକାଶେ ମନ୍ଦିର ପ୍ରଶାସନ, ସ୍ୱେଛାସେବୀ ସଂଗଠନ ଏବଂ ହିଞ୍ଜିଳି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଥାନା ଆଇଆଇସି ଶ୍ରୀନିବାସ ସେଠୀଙ୍କ ତତ୍ତ୍ୱାବଧାନରେ ସାଦା ପୋଷାକଧାରୀ ପୁଲିସ କର୍ମଚାରୀ ମାନେ ଶୈବପୀଠ ନିକଟରେ ମୃତୟନ ରହି ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ କଡା ନଜର ରଖିଥିଲେ। ଅନୁରୂପ ଭାବେ ସ୍ଥାନୀୟ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଅଞ୍ଚଳ ଦାରୁଭଦ୍ରା,ଦୁର୍ବନ୍ଧ, ଗୋଦରାପଲ୍ଲୀ, ସିକିରି, ରାଳବ, ନନ୍ଦିକ, ଧୋବାଡ଼ି, ଚାନ୍ଦୁଲି , ବିଷୋୟୀ ନୂଆଁ ପଲ୍ଲୀ ଏଵଂ ରାଜେନ୍ଦ୍ରପୁର ପ୍ରଭୃତି ଶୈବପୀଠ ଗୁଡିକରେ ଏକ ଭବ୍ୟ ଓ ଆଧ୍ୟାତ୍ମିକ ପରିବେଶରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ନିଷ୍ଠାର ସହ ଜାଗରଯାତ୍ରା ପାଳନ କରିଥିବା ଦେଖାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ