ଲଘୁଚାପଜନିତ ବର୍ଷା ବର୍ଷକର ପରିଶ୍ରମ ଧୋଈନେଲା,ଋଣ ଛାଡ ଲାଗି ଚାଷୀଙ୍କ ନିବେଦନ

ଶେରଗଡ, (ଯୁଗାବ୍ଦ ନ୍ୟୁଜ):ଖରିଫ ଧାନ ଚାଷ ସମୟରେ ଚାଷୀ ହନ୍ତସନ୍ତ ହେଉଥିବା ସମଗ୍ର ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। କେତେବେଳେ ବୃଷ୍ଟି ର ଅଭାବ ତ କେତେବେଳେ ଅମଳ ସମୟରେ ଅଦିନିଆ ବର୍ଷା ର ଶିକାର ହୋଇ ଚାଷୀ ଏବେ ସର୍ବସ୍ବାନ୍ତ ହେଉଥିବା ଚର୍ଚ୍ଚା ହେଉଛି। ତେବେ ସବୁ ବର୍ଷ ଅପେକ୍ଷା ଚଳିତ ବର୍ଷ ଯଦିଓ ମୌସୁମୀ ବର୍ଷା ର ପ୍ରଭାବ ଜିଲ୍ଲା ରେ ନଥିଲା ତେବେ ଚାଷ ସମୟରେ ଚାଷୀଙ୍କୁ ଲଘୁଚାପ ବର୍ଷା ସାହା ହୋଇଥିଲା। ଯାହା ଫଳରେ ଚଳିତ ବର୍ଷ ଭଲ ଫସଲ ହୋଇଥିଲା। ତେବେ ଦୈବର ଗୋଟି ଚାଳନା ଆଗରେ ଚାଷୀ ହାର ମାନିଛି। ଚାଷୀ ର ହସ ହସ ମୁହଁ ରେ ଲୁହ ଭରି ଦେଈଛି ଲଘୁଚାପ ବର୍ଷା। ବ୍ଲକର ଅଧିକାଂଶ ଚାଷୀ ଖରିଫ ଧାନ ଫସଲ ଉପରେ ନିର୍ଭର କରୁଥିବା ବେଳେ ଖରିଫ ଧାନ ଆଦାୟ କରି ନିଜର ପରିବାର ପୋଷଣ ନିମନ୍ତେ ଶସ୍ୟ ସଂଗ୍ରହ କରି ରଖିବା ଏବଂ ବଳକା ଧାନ କୁ ବିକ୍ରି କରି ବର୍ଷକର ଖର୍ଚ୍ଚ ଲାଗି କିଛି ଅର୍ଥ ସଂଗ୍ରହ କରି ରଖିଥାଏ। ତେବେ ବ୍ଲକରେ ଦୁଇ ବର୍ଷ ହେଲା ଧାନ ଫସଲକୁ ବର୍ଷା ଦାଉ ସାଧୁଛି। ଗତ ବର୍ଷ ଠିକ ଏହି ସମୟରେ ଅଦିନିଆ ବର୍ଷା ହୋଇ ଫସଲ ନଷ୍ଟ ହୋଇଥିଲା ବେଳେ ଚଳିତ ବର୍ଷ ଲଘୁଚାପ ବର୍ଷା ଦାଉ ସାଧିଛି। ଏହିପରି ଯଦି ଦୈବ ଦାଉରେ ପିଡିତ ହେବେ, ତେବେ ଆଗାମୀ ଦିନରେ ଚାଷୀ କୂଳ ଚାଷରୁ ମୁହଁ ମୋଡିବେ ବୋଲି ସାଧାରଣ ରେ ଆଲୋଚନା ହେଉଛି। ଚାଷୀଙ୍କ କହିବାନୁଯାୟୀ, ଧାନ ଫସଲ ଆରମ୍ଭ ଠାରୁ ଅମଳ ପର୍ଯ୍ୟନ୍ତ ଚାଷୀ ସବୁ ସମସ୍ୟା ର ସମ୍ମୁଖୀନ ହେଉଛି। କେତେବେଳେ ହାତୀ ଉପଦ୍ରବ ରେ ଧାନ ଫସଲ ନଷ୍ଟ ହେଉଥିବା ବେଳେ ବାରହା ଫସଲ ଉଜାଡୁଛନ୍ତି। ଅନ୍ୟ କେତେବେଳେ ବାତ୍ୟା ଦାଉ ସାଧୁଥିବା ବେଳେ କେତେବେଳେ ବନ୍ୟା ଦାଉରେ ଚାଷୀ କୂଳ ହତାଶ ହେଉଥିବା ଦେଖିବାକୁ ମିଳୁଛି। ତେବେ ଏଥିପ୍ରତି ସରକାର ଏବଂ ଜିଲ୍ଲା ପ୍ରଶାସନ ଅଣଦେଖା କରୁଥିବା ଅଭିଯୋଗ ହେଉଛି। ବାରମ୍ବାର ଚାଷୀମାନେ ବିଭିନ୍ନ କ୍ଷେତ୍ରରେ କ୍ଷତି ସହୁଥିବାରୁ ଋଣ ଶୁଝିବାରେ ଅକ୍ଷମ ଥିବାରୁ ଚଳିତ ବର୍ଷ ଋଣ ଛାଡ କରିବାକୁ ଚାଷୀମାନେ ନିବେଦନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ