ଶକ୍ତିପୀଠ ମାନଙ୍କରେ ଭକ୍ତି ଓ ନିଷ୍ଠାର ସହିତ ଚାଲିଛି ପାର୍ବଣ ପୂଜା
ନିମାପଡା,(ସନ୍ତୋଷ ଦାଶ):ଆଶ୍ଵିନ ମାସର ମୂଳାଷ୍ଟମୀ ତିଥି ଠାରୁ ନୟାହାଟ ଅଞ୍ଚଳ ଓ ଏହାର ଆଖପାଖ ପ୍ରାଚୀ ଉପତ୍ୟକାର ବିଭିନ୍ନ ପ୍ରସିଦ୍ଧ ଶକ୍ତି ପୀଠ ମାନଙ୍କରେ ଶାରଦୀୟ ପାର୍ବଣ ପୂଜା ଭକ୍ତି ଓ ନିଷ୍ଠାର ସହିତ ଚାଲିଛି। ଦେବୀ ପୀଠ ଗୁଡ଼ିକରେ ସପ୍ତଚଣ୍ଡୀପାଠ, ସିଂହପୂଜା, କଳସପୂଜା, ଦ୍ୱାରପାଳ ପୂଜା ଭଳି ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହେଉଥିବାବେଳେ ଦେବୀ ମା ଙ୍କୁ ଆସନ, ସ୍ବାଗତ, ପାଦ୍ୟ, ଅର୍ଘ୍ୟ, ଆଚମନ, ମଧୁପର୍କ, ଚମନ, ସ୍ନାନ,ମାର୍ଜଣା, ବସ୍ତ୍ର, ଭୂଷଣ, ଗନ୍ଧ, ପୁଷ୍ପ, ଦୀପ,ନୈବିଦ୍ୟ, ଆରତ୍ରିକ ,ପ୍ରଭୃତି ଷୋଡ଼ଶ ଉପଚାର ପୂଜା ପଦ୍ଧତି ରେ ଭକ୍ତି ଓ ନିଷ୍ଠାର ସହିତ ପୂଜା କରା ଯାଉଛି ବୋଲି କହିଛନ୍ତି ପଣ୍ଡିତ ସହଦେବ ମିଶ୍ର। ଶାରଦୀୟ ପାର୍ବଣ ପୂଜା ପାଇଁ ପ୍ରତ୍ୟେକ ଦିନ ମାଙ୍କ ନିକଟରେ ଆମିଷ ଭୋଗ ଲାଗି କରାଯାଉଛି ବୋଲି କହିଛନ୍ତି ମା ଚାଚଖାଇ ଙ୍କ ମନ୍ଦିର ପୂଜକ ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ। ସ୍ଥାନୀୟ ନରସିଂହପୁର ଗ୍ରାମ ର ଚାଚଖାଇ ମନ୍ଦିର, ସାମନ୍ତ ବଜାର ର ବିଶେଶ୍ୱରୀ ମନ୍ଦିର, ନିକଟସ୍ଥ ମୋଟିଆଁ ଗ୍ରାମର ନାରାୟଣୀ ଦୁର୍ଗାମନ୍ଦିର, ପିତାପଡ଼ାର ଅଙ୍ଗେଶ୍ୱର ମନ୍ଦିର ପରିସର ରେ ଥିବା ଦୁର୍ଗା ମନ୍ଦିର, ଓଟରର ଜାଗେଶ୍ୱରୀ ମନ୍ଦିର ଓ ବନଦୁର୍ଗା ମନ୍ଦିର, ଦୂର୍ଗେଶ୍ୱରଗଡର ଦୁର୍ଗା ମନ୍ଦିର, ସୋରଭାର ଜାଗୁଳାଇ ମନ୍ଦିର, କରମଙ୍ଗାର ଚଞ୍ଚଳାଇ ଓ ଉପୁଳାଇ ମନ୍ଦିର, କୁଣ୍ଡିସାର ବନ୍ଦରେଇ ମନ୍ଦିର, ନିଭରଣ ର ଗ୍ରାମେଶ୍ୱର ମନ୍ଦିର, ଆମ୍ବାପଡ଼ାର ଭଟ୍ଟାରିକା ମନ୍ଦିର ଓ ଆଖପାଖ ସମସ୍ତ ଗ୍ରାମ ର ଗ୍ରାମ ଦେବତୀ ପୀଠ ମାନଙ୍କ ରେ ଶାରଦୀୟ ପାର୍ବଣ ବା ଷୋଳ ପୂଜା ଭକ୍ତି ଓ ନିଷ୍ଠା ର ସହିତ ପାଳିତ ହେଉଛି। ଶାରଦୀୟ ପାର୍ବଣ ପୂଜା ପାଇଁ ଗାଁ ଠୁଁ ସହର ରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।