ଶନିବାରରେ ଛାଡଖାଇ, ଜମିଲାନି ଆମିଷ ବେପାର କଂସେଇଖାନାରେ ଛେଳି, କୁକୁଡ଼ା ଗଦା

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ସରିଛି ପବିତ୍ର କାର୍ତ୍ତିକ ମାସ। ମାସ ସାରା ଆମିଷ ବଜାର ଖାଁ ଖାଁ ରହିଥିବା ବେଳେ ଛାଡ଼ଖାଇରେ ଭଲ ବେପାର ଆଶା କରିଛନ୍ତି ବ୍ୟବସାୟୀ। ଶୁକ୍ରବାର କାର୍ତ୍ତିକ ପୂର୍ଣ୍ଣିମା, ବୋଇତ ବନ୍ଦାଣ ଉତ୍ସବ ସରିବା ସହ କାର୍ତ୍ତିକ ମାସର ସମାପ୍ତ ହୋଇଛି। ଛାଡ଼ଖାଇ ଶନିବାରରେ ପଡିଛି। କିନ୍ତୁ ଶନିବାର ବହୁ ଲୋକ ଆମିଷ ଖାଆନ୍ତି ନାହିଁ । ରବିବାର ହିଁ ଛାଡ଼ଖାଇ ପାଳନ କରିବେ ଏବଂ ବେପାର ଭଲ ହେବ ବୋଲି ଆଶା ରଖିଛନ୍ତି ବ୍ୟବସାୟୀ।ମାସାଧିକ କାଳ ଆମିଷ ଛାଡ଼ି ଥିବାରୁ ଛାଡ଼ଖାଇରେ ଆମିଷ ଖାଇବା ପରମ୍ପରା ରହିଛି। ଏହିଦିନ ହଜାର ହଜାର ଛେଳିର ବଳି ଚଢ଼େ । କଂସେଇଖାନାରେ ଛେଳି ଓ କୁକୁଡା ମହଜୁଦ ରଖାଯାଇଛି। ମାଛ ପାଇଁ ଆନ୍ଧ୍ର ଉପରେ ହିଞ୍ଜିଳିକାଟୁ ଆମିଷ ବଜାର ନିର୍ଭର କରେ । କିନ୍ତୁ ସପ୍ତାହେ ହେଲା ସ୍ଥାନୀୟ ଅଞ୍ଚଳକୁ ଆନ୍ଧ୍ର ମାଛ ଆମଦାନୀ କମିଛି । ଆନ୍ଧ୍ରର ମାଛ ହିଞ୍ଜିଳିକାଟୁ ଅଞ୍ଚଳକୁ ୫୦ ପ୍ରତିଶତ ଆମଦାନୀ କମିଯାଇଛି ବୋଲି କହିଛନ୍ତି ହୋଲ୍‌ସେଲ୍ ମାଛ ବ୍ୟବସାୟୀ । ହିଞ୍ଜିଳିକାଟୁ ସହରକୁ ସପ୍ତାହରେ ୩ ଦିନ ମାଛ ଆନ୍ଧ୍ରରୁ ଆସିଥାଏ। ସୋମବାର, ଗୁରୁବାର ଓ ଶନିବାର ମାଛ ଆମଦାନୀ ହୋଇଥାଏ ଏବଂ ଅନ୍ୟ ବାର ମାନଙ୍କରେ ସେହି ମାଛ ବିକ୍ରି ହୁଏ। କିନ୍ତୁ ଏବେ ଆନ୍ଧ୍ରରୁ ମାଛ ଉତ୍ପାଦନରେ ବାଧାପ୍ରାପ୍ତ ଥିବାରୁ ରୋହି ଓ ଭାକୁର ମାଛରେ କିଲୋରେ ୨୦ଟଙ୍କା ବୃଦ୍ଧି ହୋଇଛି। ରୋହି ଓ ଭାକୁର ପାଇକାରୀରେ ୧୩୦ଟଙ୍କା ଦର ରହିଥିଲା ଏବଂ ୧୫୦ରୁ ୧୬୦ଟଙ୍କା କିଲୋ ବିକ୍ରି କରାଯାଉଥିଲା । ଏବେ ୨୦ଟଙ୍କା ଦର ବୃଦ୍ଧି ହେବା ପରେ ଗ୍ରାହକଙ୍କୁ ୧୬୦ରୁ ୧୮୦ଟଙ୍କାରେ ବିକ୍ରି ହେବ ବୋଲି ଜଣାପଡିଛି। ଆନ୍ଧ୍ରରୁ ଆସୁନି ମାଛ, କିଲୋରେ ୨୦ ଟଙ୍କା ବଢ଼ିଲା । ଯାହା ହେଲେବି ଛାଡଖାଇରେ ଆମିଷ କିଣିବେ ବୋଲି ବ୍ୟବସାୟୀ ମାନେ କହିଛନ୍ତି। କଉ ମାଛ ଶହେ ଟଙ୍କା, ଚିଙ୍ଗୁଡ଼ି ୩୫୦ରୁ ୫୦୦ଟଙ୍କା, କଙ୍କଡା ୪୦୦ରୁ ୫୦୦ଟଙ୍କା, ଚୁନା ମାଛ ୧୨୦ଟଙ୍କା, ମଟନ୍‌ ୭୦୦ରୁ ୮୦୦ଟଙ୍କା ଏବଂ ଅଣ୍ଡା ଡଜନ ୮୦ଟଙ୍କା ରହିଥିବା ଜଣାଯାଇଛି ।ଜୈନିକ ମାଂସ ବ୍ୟବସାୟୀ କହିଛନ୍ତି କାର୍ତ୍ତିକ ମାସରେ ବ୍ୟବସାୟ ଖାସ୍ ନଥିଲା । କେବଳ କିଛି ହୋଟେଲ୍ ଓ ନିୟମିତ ଗ୍ରାହକୁ ଆସୁଥିଲେ। କାର୍ତ୍ତିକ ସରିବା ପରେ ଭଲ ବ୍ୟବସାୟ ହେବ ବୋଲି ଆଶା କରାଯାଉଛି । କାର୍ତ୍ତିକ ମାସରେ ଦୁଇଟି ଛେଳିର ମାଂସ ବିକ୍ରି କରିବା କଷ୍ଟକର। ଏବେ ଛାଡ଼ଖାଇରେ ୮ରୁ ୧୦ଟି ଛେଳିର ମାଂସ ବିକ୍ରି ହେବ ବୋଲି ଆଶା କରାଯାଉଛି । ଚିକେନ୍ (କୁକୁଡ଼ା ମାଂସ) କିଲୋ ଶୁକ୍ରବାର ଓ ଶନିବାର ଦିନ ଦର୧୮୦ ଟଙ୍କା ରହିଥିଲା। ରବିବାର ଛାଡଖାଇ ବେପାର ଜମିବା ସହ ବେଶ୍ କିଛି ପଇସା ଅଧିକ ରୋଜଗାର ହେବ ବୋଲି ସ୍ଥାନୀୟ ଅଞ୍ଚଳର ଆମିଷ ବ୍ୟବସାୟୀ ମାନେ ଆଶାବାଦୀ ରହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ