ଶିବ ପଞ୍ଚାକ୍ଷର ମନ୍ତ୍ରରେ ପ୍ରକମ୍ପିତ ଆସିକାର ସମସ୍ତ ଶୈବପୀଠ

ଆସିକା, (ୱାଇଏନ୍‍ଏସ୍‍):ଆସିକା ସହର ତଥା ଏହାର ଆଖପାଖ ଅଞ୍ଛଳରେ ଥିବା ସମସ୍ତ ଶୈବପୀଠ ଗୁଡିକରେ ବୁଧବାର ପବିତ୍ର ମହାଶିବରାତ୍ରୀ ପାରମ୍ପରିକ ରୀତିନୀତି ଅନୁଯାୟୀ ପାଳିତ ହୋଇଯାଇଛି । ପ୍ରତ୍ୟୁଷରୁ ଶୈବପୀଠ ଗୁଡିକରେ ଦେବଦେବ ମହାଦେବଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା । ଆସିକା ସହରର ପୁଡୁଗେଶ୍ୱର, ରାମେଶ୍ୱର, ତ୍ରିବିଦ୍ଧେଶ୍ୱର, ନୀଳକଣ୍ଠେଶ୍ୱର, ସୁବର୍ଣ୍ଣେଶ୍ୱର, ବାଲୁଙ୍କେଶ୍ୱର, ନର୍ମଦେଶ୍ୱର, ବେଲେଶ୍ୱର, ତାଳେଶ୍ୱର, ମୁକ୍ତେଶ୍ୱର, ଦଣ୍ଡେଶ୍ୱର, ଚନ୍ଦ୍ରକଳ୍ପେଶ୍ୱର ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ସମସ୍ତ ଶୈବପୀଠ ଗୁଡିକରେ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଜମିଥିବା ବେଳେ ଶିବ ପଞ୍ଚାକ୍ଷର ମନ୍ତ୍ର, ହରହର ମହାଦେବ, ଓମ୍ ନମଃ ଶିବାୟ ଧ୍ୱନୀରେ ମନ୍ଦିର ପରିସର ପ୍ରକମ୍ପିତ ହୋଇପଡିଥିଲା । ଶ୍ରଦ୍ଧାଳୁ ଭକ୍ତମାନେ ଦିନ ତମାମ ନିଷ୍ଠାର ସହ ଉପବାସ କରି ଦେବଦେବ ମହାଦେବଙ୍କ ନିକଟରେ ବିଶ୍ୱାସର ଦୀପ ଜାଳି ପରିବାରର ମଙ୍ଗଳ ଓ ମନସ୍କାମନା ପୂରଣ ପାଇଁ ପ୍ରାର୍ଥନା କରିଥିଲେ । ମହାଶିବରାତ୍ରୀ ଅବସରରେ ଆସିକା ସହର ଉତ୍ସବ ମୁଖର ହୋଇପଡିଥିଲା ବେଳେ ଶୈବପୀଠ ଗୁଡିକରେ ପ୍ରବଳ ଜନସମାଗମ ହୋଇଥିଲା । ପ୍ରଭୂଙ୍କ ଦର୍ଶନ ପାଇଁ ଶୈବପୀଠ ଗୁଡିକୁ ଶ୍ରଦ୍ଧାଳୁ ଭକ୍ତଙ୍କ ସୁଅ ଛୁଟିଥିଲା । ଆସିକା ସହରର ବିଭିନ୍ନ ଶୈବପୀଠ ଗୁଡିକର ମନ୍ଦିର ପରିଚାଳନା କମିଟି ପକ୍ଷରୁ ପବିତ୍ର ମହାଶିବରାତ୍ରୀ ଉପଲକ୍ଷେ ଅଷ୍ଟପ୍ରହର ନାମଯଜ୍ଞ ଠାରୁ ଆରମ୍ଭ କରି ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ ହୋଇଥିଲା । ରାତ୍ରରେ ଆସିକା ଏନ୍‌ଏସି ଅନ୍ତର୍ଗତ ୫ ନଂ. ୱାର୍ଡ ବଜାରସାହିରେ ପବିତ୍ର ଋଷିକୂଲ୍ୟା ନଦୀ ତଟରେ କେଉଁ ଆବାହମାନ କାଳରୁ ପୂଜା ପାଉଥିବା ତ୍ରିବିଦ୍ଧେଶ୍ୱର ମହାପ୍ରଭୁଙ୍କୁ ଏକ ବିରାଟ ଶୋଭାଯାତ୍ରାରେ ନଗର ପରିକ୍ରମା କରାଯାଇଥିଲା ବେଳେ ବହୁ ଶ୍ରଦ୍ଧାଳୁ ଭକ୍ତ ଉଜାଗର ରହି ରାତ୍ରରେ ମହାଦୀପ ଦର୍ଶନ ନିମନ୍ତେ ମନ୍ଦିର ପରିସରରେ ଭିଡ ଜମାଇଥିବା ଦେଖିବାକୁ ମିଳିଥିଲା । ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆସିକା ଥାନା ଅଧିକାରୀ ରାଜେନ୍ଦ୍ର ନାରାୟଣ ପଟ୍ଟନାୟକ ଓ କୋଟିନଡା ଥାନା ଅଧିକାରୀ ଦୀପିକା ଦେବୀ ରାୟଙ୍କ ନେତୃତ୍ୱରେ ପୁଲିସ ପ୍ରଶାସନ ପକ୍ଷରୁ ମନ୍ଦିର ଗୁଡିକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ପବିତ୍ର ମହାଶିବରାତ୍ରୀ ଉପଲକ୍ଷେ ଶ୍ରଦ୍ଧାଳୁ ଭକ୍ତମାନେ ଶୈବପୀଠ ଗୁଡିକରେ ପହଞ୍ôଚ ଶିବ ଓ ମା’ ପାର୍ବତୀଙ୍କ ପ୍ରତିମା ନିକଟରେ କ୍ଷୀର ଓ ପଇଡ ପାଣି ଅର୍ପଣ କରିବା ସହ ଦେବ ଦେବ ମହାଦେବଙ୍କ ଅତିପ୍ରିୟ କେତକୀ ଫୁଲ ଠାରୁ ଆରମ୍ଭ କରି ବେଲପତ୍ର, ପଳାସ, ଅରଖ, ଦୁଦୁରା, ଅପରାଜିତା ଇତ୍ୟାଦି ଫୁଲ ଅର୍ପଣ କରୁଥିବା ଦେଖିବାକୁ ମିଳିଥିଲା । ମହାଶିବରାତ୍ରୀ ଅବସରରେ ଜାଗର ଯାତ୍ରା ପାଇଁ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଶୈବପୀଠ ଗୁଡିକ ଉତ୍ସବମୁଖର ହେବା ସହ ମନ୍ଦିରଗୁଡିକୁ ରଙ୍ଗୀନ ଆଲୋକମାଳାରେ ସଜ୍ଜିତ କରାଯାଇଥିଲା । ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ଦେବଦେବ ମହାଦେବଙ୍କ ଜାଗର ଯାତ୍ରା ପାଇଁ ଶୈବପୀଠ ଗୁଡିକରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା ବେଳେ ଶ୍ରଦ୍ଧାଳୁ ଭକ୍ତ ନିଷ୍ଠାର ସହ ଉପବାସ ରହି ଜାଗର ଯାତ୍ରାରେ ସାମିଲ୍‍ ହୋଇଥିବା ଦେଖିବାକୁ ମିଳିଥିଲା । ଶିବରାତ୍ରୀ ଉପଲକ୍ଷେ ଅତ୍ୟାବଶ୍ୟକୀୟ ସାମଗ୍ରୀ ରୂପେ ପରିଚିତ ଥିବା ନଡିଆ, କଦଳୀ, ସେଓ, କମଳା, ଅଙ୍ଗୁର ଇତ୍ୟାଦି ଫଳ କେତେକ ବ୍ୟବସାୟୀ ଚଢା ଦରରେ ବିକ୍ରୀ କରୁଥିବା ଯୋଗୁଁ ବିଭିନ୍ନ ଅଞ୍ଚଳର ଶ୍ରଦ୍ଧାଳୁ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ଦେଖିବାକୁ ମିଳିଥିଲା । ଶ୍ରଦ୍ଧାଳୁ ଭକ୍ତ ମାନେ ମହାଶିବରାତ୍ରୀ ଅବସରରେ ସାରା ରାତି ଉଜାଗର ରହି ଶିବ ସହସ୍ର ନାମ ଓ ଶିବ ସ୍ତୁତି ପାଠ କରିଥିଲେ । ମହାପ୍ରଭୂ ଶିବଙ୍କୁ ପ୍ରସନ୍ନ କରିବାର ଦଶଗୋଟି ବ୍ରତ ମଧ୍ୟରୁ ଶିବରାତ୍ରୀ ତିଥି ସର୍ବଶ୍ରେଷ୍ଠ ଓ ସର୍ବ କାମପ୍ରଦ ବୋଲି ଲୋକକଥା ପ୍ରଚଳିତ ରହିଆସିଛି । ହିନ୍ଦୁ ସଂପ୍ରଦାୟରେ ପାଳିତ ହେଉଥିବା ବାର ମାସରେ ୧୩ପର୍ବ ମଧ୍ୟରୁ ବିଭିନ୍ନ ସମୟରେ ଅଧିକାଂଶ ଦେବାଦେବୀଙ୍କ ପୂଜା ଦିନରେ ହେଉଥିବା ବେଳେ ଜାଗର ପର୍ବରେ ଭଗବାନ ଶିବଙ୍କୁ ରାତ୍ରରେ ପୂଜା କରାଯାଇଥାଏ । ଦେବ ଦେବ ମହାଦେବ ହେଉଛନ୍ତି ସକଳ ଶକ୍ତିର ଆରାଧ୍ୟ ଦେବତା । ଭଗବାନ ଶିବଙ୍କ ନାମ ଉଚ୍ଚାରଣ କଲେ ସବୁ ପ୍ରକାର ମଙ୍ଗଳ ହୋଇଥାଏ । ଭକ୍ତି ଓ ନିଷ୍ଠାର ସହ ମହାଶିବରାତ୍ରୀରେ ଜାଗର ବା ଉଜାଗର ରହି ବ୍ରତ ପାଳନ କଲେ ଭକ୍ତ ମାନଙ୍କ ମନୋବାଞ୍ଛା ପୂରଣ ହେବା ସହ ସଂସାରରୁ ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ଶିବରାତ୍ରୀ ଅବସରରେ ବୁଧବାର ପ୍ରତ୍ୟୁଷରୁ ରାତ୍ର ପର୍ଯ୍ୟନ୍ତ ଶୈବପୀଠ ଗୁଡିକରେ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଜମିଥିଲା ବେଳେ ପୂଜକ ମାନେ ଶିବଲିଙ୍ଗକୁ ଦୁଗ୍ଧ ମଧୁରେ ଅଭିଷେକ କରିବା ସହ ପୁଷ୍ପ ଓ ତ୍ରିଶାଖା ବେଲପତ୍ର ସାଙ୍ଗକୁ ଅନ୍ୟାନ୍ୟ ସାମଗ୍ରୀ ଅର୍ପଣ କରି ମନ୍ତ୍ରୋଚ୍ଚାରଣରେ ହରପାର୍ବତୀଙ୍କୁ ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ