ଶିମିଳିପାଳରେ ପହଞ୍ଚିଲା ମହାରାଷ୍ଟ୍ରର ବାଘୁଣୀ

କରଞ୍ଜିଆ,(ଜିତେନ୍ଦ୍ର ରାଜ):ଶିମିଳିପାଳ ଅଭୟାରଣ୍ୟକୁ ଆସିଲେ ନୂଆ ଅତିଥି । ମହାରାଷ୍ଟ୍ରରୁ ଏକ ବାଘୁଣୀ ଅଣାଯାଇଥିବା ନେଇ ସୂଚନା ଦେଇଛନ୍ତି ପିସିସିଏଫ ସୁଶାନ୍ତ ନନ୍ଦ । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡ଼ଃ ପ୍ରକାଶ ଚାନ୍ଦ ଗୋଗୀନେନି ଏବଂ ଶିମିଳିପାଳ ଅଭୟାରଣ୍ୟର ବନ ଅଧିକାରୀମାନଙ୍କ ଏକ ସ୍ୱତନ୍ତ୍ର ଟିମ ମହାରାଷ୍ଟ୍ରରୁ ବାଘକୁ ଆଣିଥିବାର ଜଣାପଡ଼ିଛି । ଏହି ବାଘୁଣୀଟି ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲା ସ୍ଥିତ ତଡୋବା-ଅନ୍ଧାରୀ ଜାତୀୟ ବ୍ୟାଘ୍ର ଉଦ୍ୟାନରୁ ଆସିଛି । ତେବେ ଏହି ବାଘୁଣୀକୁ ଆଣି ଶିମିଳିପାଳ ଅଭୟାରଣ୍ୟରେ ଛାଡ଼ିବା ପାଇଁ ପୂର୍ବରୁ ସ୍ଥିରୀକୃତ ହୋଇଥିଲା । ସେହି ଅନୁଯାୟୀ ପ୍ରକ୍ରିୟ ଆରମ୍ଭ ହୋଇଥିଲା। ବାଘୁଣୀକୁ ଆଣିବା ପାଇଁ ଶିମିଳିପାଳ ଅଭୟାରଣ୍ୟର ଏକ ସ୍ୱତନ୍ତ୍ର ଦଳ କିଛି ଦିନ ପୂର୍ବରୁ ମହାରାଷ୍ଟ୍ର ଯାଇଥିଲେ । ପିସିସିଏଫ ସୁଶାନ୍ତ ନନ୍ଦଙ୍କ ସମେତ ଏହି ଟିମ ଶନିବାର ସକାଳ ୯ଟା ସମୟରେ ମହାରାଷ୍ଟ୍ର ଜଙ୍ଗଲରୁ ୨.୫ବର୍ଷର ବାଘୁଣୀକୁ ଚୟନ କରି ସ୍ୱାସ୍ଥ୍ୟ ଯାଞ୍ଚ କରିଥିଲେ। ଏଥିସହିତ ଆଇନ ଅନୁସାରେ ସମସ୍ତ କାର୍ଯ୍ୟ କରାଯାଇଥିଲା। ସମସ୍ତ ପ୍ରକ୍ରିୟା କରି ଗୋଟିଏ ବାଘୁଣୀକୁ ଯନ୍ତା ଗାଡ଼ିରେ ସ୍ଥଳ ପଥ ଦେଇ ଶିମିଳିପାଳ ଅଭୟାରଣ୍ୟକୁ ଅଣାଯାଇଥିବା ସୂଚନା ମିଳିଛି। ପଶୁ ଡାକ୍ତରୀ ଟିମ, ତାଲିମପ୍ରାପ୍ତ ବନ କର୍ମଚାରୀ ଏବଂ ଶିମିଳିପାଳ ବ୍ୟାଘ୍ର ସୁରକ୍ଷା ବଳ ଟିମ ରାସ୍ତାରେ ବାଘର ଯାଞ୍ଚ ପ୍ରକ୍ରିୟା କରିଛନ୍ତି । ଆଜି (ରବିବାର) ସନ୍ଧ୍ୟା ସୁଦ୍ଧା ଶିମିଳିପାଳ ଅଭୟାରଣ୍ୟରେ ବାଘୁଣୀ ପହଞ୍ଚିଥିଲା । ବାଘୁଣୀର ସ୍ୱାସ୍ଥ୍ୟ ଯାଞ୍ଚ କରି ଶିମିଳିପାଳ ଅଭୟାରଣ୍ୟରରେ ଛଡାଯାଇଥିବା ନେଇ ସୂଚନା ଦେଇଛି ବନବିଭାଗ । ବାଘୁଣୀ ନୂଆ କରି ଶିମିଳିପାଳକୁ ଆସିଥିବାରୁ ଏଠାକାର ପରିବେଶରେ ସେ କିପରି ରହୁଛି ସେନେଇ କର୍ତ୍ତୃପକ୍ଷ ଗତିବିଧି ଯାଞ୍ଚ କରୁଛନ୍ତି । ବର୍ତ୍ତମାନ ବାଘୁଣୀକୁ କୋର୍ ଏରିୟାରେ ଛଡାଯାଇଥିବାବେଳେ ତା’ର ସମସ୍ତ ଗତିବିଧି ଉପରେ ନଜର ରହିଛି। ପରେ ପର୍ଯ୍ୟାୟକ୍ରମେ ସ୍ୱାସ୍ଥ୍ୟବସ୍ଥା ମଧ୍ୟ ଯାଞ୍ଚ କରାଯିବ ବୋଲି ସୂଚନା ଦେଇଛି ବନବିଭାଗ । ଏହାସହ ଟ୍ରାପ୍ କ୍ୟାମେରା ଲଗାଯାଇ ତା’ର ଗତିବିଧି ଉପରେ ନଜର ରଖାୟିବ। ଶିମିଳିପାଳ ଅଭୟାରଣ୍ୟକୁ ଦୁଇଟି ବାଘ ଆସିବାକୁ ଥିବାବେଳେ ବର୍ତ୍ତମାନ ଗୋଟିଏ ବାଘ ଆସିଛି । ଆଗକୁ ଅନ୍ୟ ଏକ ପର୍ଯ୍ୟାୟରେ ଆଉ ଏକ ବାଘ ଆସିବ ବୋଲି ପିସିସିଏଫ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି । ଶିମିଳିପାଳ ଅଭୟାରଣ୍ୟ ବାଘ ବଂଶ ବୃଦ୍ଧି ପାଇଁ ଦେଶର ଏକ ଉତ୍ତମ ସ୍ଥାନ ବୋଲି କୁହାଯାଏ। ତେବେ ବାଘ ଗଣନା ରିପୋର୍ଟ ଅନୁଯାୟୀ ଶିମିଳିପାଳ ଅଭୟାରଣ୍ୟରେ ୨୮ଟି ବାଘ ଥିବାବେଳେ ତାହା ଆଗକୁ ବୃଦ୍ଧି ପାଇବ ବୋଲି ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ